କୁତ୍ରିମ ଗ୍ୟାସ ସଂକଟ ସୃଷ୍ଟିକରି କଳାବଜାରୀ ଉଦ୍ୟମ କରୁଛି ସରକାର

ଭୁବନେଶ୍ୱର : କଂଗ୍ରେସ ଭବନ ଠାରେ ଆଜି ଏକ ଅଭିନବ ଢ଼ଙ୍ଗରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଗ୍ୟାସ ଏବଂ ପେଟ୍ରୋଲ ଦ୍ରବ୍ୟକୁ ନେଇ କେନ୍ଦ୍ର ସରକାରଙ୍କ ଅଭାବି ବିକ୍ରୀ ମସୁଧା ଏବଂ ମୂଲ୍ୟବୃଦ୍ଧି ବିରୋଧରେ କଂଗ୍ରେସ ଦଳର ମୁଖପାତ୍ର ଏବଂ ମହିଳା କଂଗ୍ରେସର ସଦସ୍ୟ ଯୋଗଦେଇ ନିଜ ମତାମତ ଉପସ୍ଥାପନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ସୋନାଲି ସାହୁ କହିଥିଲେ, ବିଜେପି ସରକାର ସାଧାରଣ ଜନତାଙ୍କୁ ଏକ ସଂକଟମୁହାଁ ପରିସ୍ଥିତି ଆଡକୁ ଟାଣିନେବାକୁ ବାଧ୍ୟ କରୁଛନ୍ତି । ସାରା ଦେଶ ସମେତ ରାଜ୍ୟରେ ଗ୍ୟାସ ପାଇଁ ହାହାକାର ପଡ଼ିଥିବା ବେଳେ ସରକାର ଘରୋଇ ଗ୍ୟାସ ଫିଲିଂ ପିଛା ୬୦ ଟଙ୍କା ଓ ବ୍ୟବସାୟିକ ଫିଲିଂ ପିଛା ୧୧୫ ଟଙ୍କା ବଢ଼ାଇ ଦେଲେ । ଯାହା ୬ ବର୍ଷରେ ସର୍ବାଧିକ । ନୋଟ ବନ୍ଦୀ ପରି ଗ୍ୟାସ୍ ବନ୍ଦ କରି ପ୍ରଧାନମନ୍ତ୍ରୀ ସାରାଦେଶକୁ ପୁଣି ଲାଇନରେ ଛିଡ଼ା କରାଇବା ଦୁର୍ଭାଗ୍ୟଜନକ । ୟୁପିଏ ସରକାର ଘରୋଇ ସିଲିଣ୍ଡର ଗ୍ୟାସ ଫିଲିଂ ୪୩୭ ଟଙ୍କା ଥିବାବେଳେ ବିଜେପିର ସିଲିଣ୍ଡର ରାନୀ, ସ୍ମୃତିଇରାନୀ ବେଶ ଶାଶୁ ବୋହୁର ଡ୍ରାମା କରୁଥିଲେ । ଆଜି ଯେତେବେଳେ ଗ୍ୟାସ୍ ଦର ୬୩୯ ଟଙ୍କାରେ ପହଞ୍ଚଛି, ସେତେବେଳେ ସ୍ମୃତି ଇରାନୀ ଚୁପ୍ କାହିଁକି ? ନୂଆ ନୂଆ ସ୍ଥିତି ଇରାନୀଙ୍କ ଯାଗା ନେଇଥିବା କଙ୍ଗନା ରଣାୱତ ଚୁପ୍ କାହିଁକି ? କ’ଣ ସାପ ସୁଙ୍ଘି ଦେଇଛିକି ?
ଠନ୍ ଠନ୍ ଠନ୍ ଠନ୍ କରି ସୁଭଦ୍ରା ଯୋଜନାରେ ପଇସା ପଠାଇବାର ଭାଷଣ ମାରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଆଜି ରାଜ୍ୟର ମହିଳାମାନେ ପ୍ରଶ୍ନ କରୁଛନ୍ତି, ଆମେ ବି ଠନ୍ ଠନ୍ ଠନ୍ ଠନ୍ କରି ପଇସା ଦେଉଛୁ । କିନ୍ତୁ ଆମ ହାଣ୍ଡିଶାଳକୁ ଗ୍ୟାସ ଦିଅ । ସରକାର ପ୍ରଥମେ ଗ୍ୟାସ୍ ଫିଲିଂ ଅବଧି ୧୫-୨୧ ଦିନ, ତାପରେ ଏବେ କହିଲେଣି ୨୫ ଦିନ ପୂର୍ବରୁ ବୁକିଂ ହୋଇପାରିବନି । ଖାଲି ସେତିକି ନୁହେଁ ଗତ ୫ ତାରିଖରୁ ଅର୍ଥାତ ଆଜିକୁ ୮ଦିନ ହେଲାଣି ନାଁ ମୋବାଇଲରେ ବୁିକଂ ହେଉଛି, ନା ହାଟସ୍ଆପରେ । ଜାଣିସୁଣି ସରକାର କଳାବଜାରୀ ସହିତ ମହିଳାମାନଙ୍କୁ ଶୋଷଣ କରିବାପାଇଁ ଗ୍ୟାସର ଅଭାବୀ ବିକ୍ରିକୁ ବଢ଼ାଇଦେଲେ । ଯାହା ଫଳରେ ଲୋକେ ବ୍ଲାକ୍ ରେ ୨୦୦୦ ରୁ ୨୫୦୦ ଟଙ୍କା ଦେଇ ଗ୍ୟାସ ଫିଲିଂ କରିବାକୁ ବାଧ୍ୟ ହେଉଛନ୍ତି, ଭାବନ୍ତୁ ଗୃହିଣୀମାନଙ୍କୁ ସରକାର କେମତି କନ୍ଦାଉଛନ୍ତି । ସୁଭ୍ରଦା ଏବେ ହାଣ୍ଡିଶାଳରେ କାନ୍ଦୁଛି । ମହିଳାମାନେ ଚୁଲିରେ ରୋେଇ କରିବା ଦ୍ୱାର ତାଙ୍କର କୁଆଡ଼େ ଆଖିକୁ କଷ୍ଟ ଦେଉଥିଲା, ସେଇ କଥାକୁ ବାହୁନି ବାହୁନି ମନକି ବାତରେ କହୁଥିଲେ ତେଣୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଗ୍ୟାସ କନେକସନ୍ ନେବାକୁ କମ୍ପାନୀ ମାନଙ୍କ ପାଇଁ ମାର୍କେଟିଂ କରାଇଲେ । ଆଜି ଯେତେବେଳେ ମହିଳାଙ୍କୁ ବାଧ୍ୟ କରାଯାଉଛି ପୁଣି ସେଇ ଚୂଲିରେ ରୋଷେଇ କରିବାକୁ? କ’ଣ କହିବେ ମୋଦି ? ଆଜି କ’ଣ ମା’ ମାନଙ୍କୁ ଆଖି ଖରାପ ହେଉନି ? ମା’ ମାନଙ୍କ ପାଇଁ ଆଜି କଷ୍ଟ ଲାଗୁନି ମୋଦିଙ୍କୁ ? ସାରା ଦେଶରେ ଏବେ ୧ କୋଟି ୯୦ ହଜାର ଘରୋଇ ଗ୍ୟାସ ଉପଭୋକ୍ତା ରହିଛନ୍ତି । ଏଥିମଧ୍ୟରୁ ୫୫ ଲକ୍ଷ ୪୭ ହଜାର ୩୫୭ ଜଣ ଉଜ୍ଜ୍ୱଳା ଗ୍ୟାସ ହିତାଧିକାରୀ ରହିଛନ୍ତି । ରାଜ୍ୟରେ ଦୈନିକ (ଘରୋଇ ଓ ବ୍ୟବସାୟିକ) ହିତାଧିକାରୀମାନେ ହାରାହାରି ୩୨ଲକ୍ଷ କେଜି ଗ୍ୟାସ ବ୍ୟବହାର କରିଥାନ୍ତି । କିନ୍ତୁ ସେପଟେ ରାଜ୍ୟରେ ଥିବା ୯୬୬ ଗ୍ୟାସ ଏଜେନ୍ସିକୁ ସୋମବାର ଠାରୁ କର୍ମସିଆଲ ଟାଙ୍କି ଯୋଗାଣ ବନ୍ଦ । ଯାହା ଫଳରେ ରାଜ୍ୟର ସମସ୍ତ ସହରରେ ଥିବା ପ୍ରାୟ ୧୦,୦୦୦ ରୁ ଉର୍ଦ୍ଧ୍ୱ ରେଷ୍ଟୁରାଣ୍ଟ ବନ୍ଦ । ସମସ୍ତ ଉଠା ଜଳଖିଆ ଦୋକାନ ବନ୍ଦ । ୨୦ % ହୋଟେଲ ବନ୍ଦ । ଅନଲାଇନ ଫୁଡ ଡେଲିଭରି ଏକ ପ୍ରକାର ବନ୍ଦ । ଏହି ଇଣ୍ଡଷ୍ଟ୍ରି ସହିତ ଓ ଇଣ୍ଡଷ୍ଟ୍ରି କାମ କରୁଥିବା ପ୍ରାୟ ୧୮ରୁ ୨୦ଲକ୍ଷ ବ୍ୟକ୍ତି ସିଧାସଳଖ ରୋଜଗାର ହରେଇଛନ୍ତି । ମାସକୁ ୧୦ ରୁ ୧୨ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିବା ସ୍ୱିଗୀ, ଯୋମାଟୋ ଭଳି ବ୍ୟକ୍ତି ବେରୋଜଗାର ହେବାକୁ ଯାଉଛନ୍ତି । ଏହା ଦ୍ୱାରା ପ୍ରାୟ ସିଧାସଳଖ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ଆଗକୁ ଓଡ଼ିଶା ଭୟଙ୍କର ଆର୍ଥିକ ସଂକଟର ସମ୍ମୁଖିୀନ ହେବାକୁ ଯାଉଛି । ସାରା ରାଜ୍ୟରେ ୱେଲଡିଂ ଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ପର୍ଯନ୍ତ ସବୁ ଠପ୍ । ଗ୍ୟାସ ନଥିବା କାରଣରୁ ସତ୍ୟନଗର ଶ୍ମଶାନରେ ଶବଦାହ କାର୍ଯ୍ୟ ବନ୍ଦ । କୋରାପୁଟରେ ବାଣିଜ୍ୟକ ଗ୍ୟାସ ସିଲିଣ୍ଡର ବିକ୍ର ବନ୍ଦ କରିବାକୁ ଏଜେନ୍ସି କରିସାରିଲେଣି । ଏତେ ସବୁ ଅବ୍ୟବସ୍ଥା ଭିତରେ ସରକାର କ’ଣ କରୁଛନ୍ତି ? ବର୍ତ୍ତମାନ କେତେଦିନ ପାଇଁ ଗ୍ୟାସ ମହଜୁଦ ଅଛି ତାହା ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରୁ ନାହାନ୍ତି କାହିଁକି ? ଯଦି, ଶିଶୁ ସରକାର ଆଉ କୁଆଁ କୁଆଁ ହୋଇ କାନ୍ଦିବା ଆପଣଙ୍କ ଅଭ୍ୟାସ, ତେବେ ଉଭୟ ବିରୋଧି ଦଳ ସହିତ ବସି ଏହାର ସମାଧାନ କାହିଁକି କରୁନାହାନ୍ତି ? କାଳେ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କର ଆମ୍ବାନୀଙ୍କ ସହିତ ସମ୍ପର୍କ ପଦାରେ ପଡ଼ିଯିବ ବୋଲି, ନାଁ ଲୋକଙ୍କୁ ଲୁଟିବା ପାଇଁ ରଚିଥିବା ଷଡଯନ୍ତ୍ର ଧରାପଡ଼ିବ ବୋଲି । ଲୋକଙ୍କୁ ଲୁଟିବାପାଇଁ ପ୍ରଥମେ ଗ୍ୟାସର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି କରାଗଲା । ତା’ପରେ ୬୦ ଟଙ୍କା ବଢ଼ାଗଲା । ଅନ୍ୟପଟେ ଗୁଜୁରାଟରେ ଜାମନଗରରେ ଥିବା ରିଲାଏନ୍ସ ଇଣ୍ଡ୍ରଷ୍ଟ୍ରିର ପେଟ୍ରୋ ରସାୟନ ପରିସରରେ ଏଲପିଜି ଉତ୍ପାଦନକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଗଲା । ବିଶ୍ୱର ଅବସ୍ଥା ବିଷୟରେ କ’ଣ ସରକାର ଅବଗତ ନଥିଲେ, ନା ସରକାର ପାଖରେ ଦୈନିକ କେତେ ଗ୍ୟାସର ଆବଶ୍ୟକତା ରହିଛି ସେ ତଥ୍ୟ ନଥିଲା । ସରକାର ଜାଣିଶୁଣି ରିଲାଏନ୍ସ ଜରିଆରେ ଲୋକଙ୍କୁ ଲୁଟ ପାଇଁ ଏକ ବଡ଼ ଷଡଯନ୍ତ୍ର କରିଛନ୍ତି । ଯୁଦ୍ଧକୁ ଆଳକରି ସେଥିରୁ ବି ମୁନାଫା କମେଇବାକୁ ବସିଛନ୍ତି । ସେପଟେ କଳାବଜାରୀ ରୋକିବାପାଇଁ ଦେଶବ୍ୟାପି “ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ- ୧୯୫୫” (ଏସମା) ଲାଗୁ କରିଦେଇ ଚୁପଚାପ ତାମସା ଦେଖୁଛନ୍ତି । ରାଜ୍ୟରେ ଅନେକ ଯାଗାରେ ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍ ଦେଖାଯାଇଛି । ମାଲକାନଗିରିରୁ ଭୟଙ୍କର ଚିତ୍ର ସାମ୍ମାକୁ ଆସିଛି । ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପ ଖାଲି ପଡ଼ିଛି । ଯଦି ପରିସ୍ଥିତି ଏପରି ରୁହେ ତେବେ ଦମକଳ ଆମ୍ବୁଲାନ୍ସ ଭଳି ଜରୁରୀ ସେବା ଠପ୍ ହେବାକୁ ବେଶୀ ସମୟ ଲାଗିବନି । ଆଗକୁ ପରିବହନ ସଂସ୍ଥା ମଧ୍ୟ ଠପ୍ ହେବାକୁ ଯାଉଛି । ପେଟ୍ରୋଲ ଡିଜେଲର ଦର କ୍ରମାଗତ ବୃଦ୍ଧି ପାଇବାରୁ ଲୋକଙ୍କୁ ଇଲେକ୍ଟ୍ରୋନିକ୍ସ ସିଏନଜି ଗ୍ୟାସ ଚାଳିତ ଯାନ ବ୍ୟବହାର କରିବାକୁ ସରକାର କହିଲେ । ରାଜ୍ୟରେ ମଧ୍ୟ ୨୦୨୫ ତଥ୍ୟ ଅନୁସାରେ ୭.୭% କାର ଓ ୧୧% ଥ୍ରି ହ୍ୱିଲର ସିଏନଜି ଅନୁସାରେ ଚାଲିଛି ଏବଂ ବର୍ତ୍ତମାନ ଏହା ଆହୁରି ବଢ଼ିଛି । ସୁଲଭ ଦରରେ ସିଏନଜି ଯୋଗାଇ ଦେବାପାଇଁ ରିଲାଏନ୍ସ ବାୟୋ ଏନରଜି ପ୍ଲାଂଟ ଢ଼େଙ୍କାନାଳରେ ସିବିଜି ବା (କମ୍ପୋଜ ବାୟୋ ଗ୍ୟାସ) ପ୍ରଡକ୍ସନ ୟୁନିଟ କରି ସିଏନଜି ରିଲିଆନ୍ସ ଜିଓ ପେଟ୍ରୋଲ ପମ୍ପରେ ବିକ୍ରି କରୁଛନ୍ତି । ପ୍ରାୟ ୧୦୦ ଏକର ଜମିରେ ପ୍ରତିଷ୍ଠା ହୋଇଥିବା ୟୁନିଟ ଏଇଠାରୁ ଗୋବର କଲେକସନ କରି ଚାଷୀମାନଙ୍କ ଠାରୁ ୨୫ କେଜି ନଡା ଓ ପାଳକୁ ୩୧ ଟଙ୍କାରେ ସିଏନଜି ପ୍ରସ୍ତୁତ କରି ୮୭.୨୬ ପଇସାରେ ବିକ୍ରୀ କରୁଛନ୍ତି । ଏପରି ପରିସ୍ଥିତିରେ ସରକାର କିପରି ଖାଉଟି କମ୍ଦାମରେ ସିଏନଜି ପାଇବେ ସେ ବ୍ୟବସ୍ଥା କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ବିଜେପି ସରକାରଙ୍କ ନାରୀ ବିରୋଧୀ ମନୋବୃତ୍ତିକୁ ତୀବ୍ର ବିରୋଧ କରିବା ସହ ଗ୍ୟାସ ଅଭାବୀ ବିକ୍ରୀ ସିଧାସଳଖ ପେଟରେ ଓ ହାଣ୍ଡିରେ ଲାତ ବୋଲି ଅଭିହିତ କରିଥିଲେ l ପିସିସି ମୁଖପାତ୍ର ମନୀଷା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ଅମ୍ରିତା ଦାସ, ମହିଳା କଂଗ୍ରେସ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଓ ମହିଳା ନେତ୍ରୀ ଜୟସ୍ମିତା ମହାନ୍ତି କୁତ୍ରିମ ଗ୍ୟାସ ସଂକଟକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଅତିଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ ।