ଶ୍ରୀମତୀ ବେଵୀଲତା ଶତପଥୀଙ୍କ କବିତା ସଙ୍କଳନ “ଚିଠି” ଉନ୍ମୋଚିତ

ଭୁବନେଶ୍ୱର : ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ପଦ୍ମାଲୋକ ଫାଉଣ୍ଡେସନ ଆନୁକୂଲ୍ୟରେ ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ ବେବୀଲତା ଶତପଥୀଙ୍କ ପ୍ରଥମ କବିତା ସଙ୍କଳନ “ଚିଠି”ର ଶୁଭ ଉନ୍ମୋଚନ ସମାରୋହ ଗୁରୁବାର ସନ୍ଧ୍ୟାରେ ଏକ ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ଉତ୍ସବରେ ରାଜ୍ୟର ଅନେକ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସଂସ୍କୃତି ପ୍ରେମୀ ଯୋଗଦେଇଥିଲେ ।
ସମାରୋହରେ ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ପଦ୍ମାଲୋକ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇ.ଏ.ଏସ. (IAS) ଅଧିକାରୀ ଶ୍ରୀଯୁକ୍ତ ଦାଶରଥୀ ଶତପଥୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ନିମ୍ନଲିଖିତ ବ୍ୟକ୍ତିବିଶେଷ ଯୋଗଦେଇ କବିତା ପୁସ୍ତକଟିର ଉନ୍ମୋଚନ କରିଥିଲେ: ପ୍ରଫେସର ଡ. ସୌଭାଗ୍ୟ କୁମାର ମିଶ୍ର: କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି । ଶ୍ରୀଯୁକ୍ତ ଦେବପ୍ରସାଦ ଦାଶ: ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ଡ. ପ୍ରଭାସ ଆଚାର୍ଯ୍ୟ: ବିଶିଷ୍ଟ ସମ୍ପାଦକ ଓ ପ୍ରକାଶକ । ପ୍ରଫେସର ଡା. ସରୋଜିନୀ ଷଡ଼ଙ୍ଗୀ : ବିଶିଷ୍ଟ କବି ଓ ଚିକିତ୍ସକ । ଶ୍ରୀଯୁକ୍ତ ବିଜୟ ମଲ :ବିଶିଷ୍ଟ ନାଟ୍ୟକାର ଓ ସଂଳାପକାର । ଶ୍ରୀଯୁକ୍ତ ରକ୍ଷନ ନାୟକ: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ସଭାର ମୁଖ୍ୟ ଆକର୍ଷଣ ଓ ସାରସ୍ୱତ ଚର୍ଚ୍ଚା ମଧ୍ୟରେ ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ଅତିଥି ଓ ବକ୍ତାମାନଙ୍କର ସାରଗର୍ଭକ ବକ୍ତବ୍ୟ । ଜଣେ ଲେଖକ ବା ଲେଖିକା କିପରି ବିଭିନ୍ନ ପ୍ରତିକୂଳ ପରିବେଶ ଓ ପରିସ୍ଥିତିକୁ ସାମ୍ନା କରି, ନିଜର ଅନୁଭୂତିକୁ ଭାଷାର ରୂପ ଦେଇ କବିତା ମାଧ୍ୟମରେ ସମାଜରେ ପରିପ୍ରକାଶ କରନ୍ତି, ତାହା ବକ୍ତାମାନଙ୍କ ସାରାଂଶରେ ଅତି ଚମତ୍କାର ଭାବେ ପ୍ରତିଫଳିତ ହୋଇଥିଲା । ଜଣେ ସାରସ୍ୱତ ସାଧକର ସୃଜନଶୀଳ ଯାତ୍ରା ଓ ସମାଜ ପ୍ରତି ଥିବା ଦାୟିତ୍ୱବୋଧ ସମ୍ପର୍କରେ ଏହି ଆଲୋଚନା ଉପସ୍ଥିତ ଦର୍ଶକ ଓ ଶ୍ରୋତାମାନଙ୍କୁ ବେଶ୍ ଆକର୍ଷିତ କରିଥିଲା । ଅତିଥିମାନେ “ଚିଠି” ପୁସ୍ତକର କବିତାଗୁଡ଼ିକରେ ଥିବା ମାନବୀୟ ସମ୍ବେଦନା ଓ ସାମ୍ପ୍ରତିକ ସମାଜର ପ୍ରତିଛବିକୁ ଉଚ୍ଚ ପ୍ରଶଂସା କରିଥିଲେ । ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ଭୂୟାଁ ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ରୂପେ ସଂଯୋଜନା କରିଥିଲେ । ପରିଶେଷରେ, ଏକ ସୁନ୍ଦର ଓ ଆନନ୍ଦମୟ ପରିବେଶରେ ବହୁ ସଂଖ୍ୟକ ସାହିତ୍ୟ ପ୍ରେମୀଙ୍କ ଗହଣରେ ଏହି ଉନ୍ମୋଚନ ସମାରୋହ ସଫଳତାର ସହ ସମାପନ ହୋଇଥିଲା । ଫାଉଣ୍ଡେସନ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା ।