ଭୁବନେଶ୍ୱର : ଆଜି, ଓଡ଼ିଶା କ୍ୟାବିନେଟ୍ ‘ଗ୍ରାମୀଣ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣ (O&M) ନୀତି ୨୦୨୬କୁ ଅନୁମୋଦନ କରିଛନ୍ତି । ଏହା ଏକ ଯୁଗାନ୍ତକାରୀ ନିଷ୍ପଭି, ଯାହା ଗ୍ରାମାଞ୍ଚଳରେ ନିରନ୍ତର ଏବଂ ନିର୍ଭରଯୋଗ୍ୟ ପାନୀୟ ଜଳ ସେବା ପ୍ରଦାନ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ।
ଗତ କିଛି ବର୍ଷ ମଧ୍ୟରେ, ଓଡ଼ିଶା ‘ଜଳ ଜୀବନ ମିଶନ’ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଦ୍ବାରା ଗ୍ରାମୀଣ ପରିବାରକୁ କାର୍ଯ୍ୟକ୍ଷମ ପାଇପ୍ ଜଳ ସଂଯୋଗ ଯୋଗାଇବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଆମେ ସମଗ୍ର ରାଜ୍ୟରେ ଏକକ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ, ସୌର-ଚଳିତ ଜଳଯୋଗାଣ ପ୍ରକଳ୍ପ ଏବଂ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଭଳି ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରିଛୁ । ତେବେ, କେବଳ ଭିଭିଭୂମି ନିର୍ମାଣ ଶେଷ ପଦକ୍ଷେପ ନୁହେଁ । ଏହି ବ୍ୟବସ୍ଥାଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ, ଦକ୍ଷ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ରଖୁବା ସମାନ ଭାବେ ଗୁରୁତ୍ବପୂର୍ଣ୍ଣ ।

ଏହି ନୂତନ ଅନୁମୋଦିତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ (O&M)ନୀତି ନିରବଚ୍ଛିନ୍ନ ଜଳ ଯୋଗାଣ, ପାନୀୟ ଜଳର ମାନ ନିର୍ଦ୍ଧାରଣ, ଭିତ୍ତିଭୂମିର ପ୍ରତିରୋଧାତ୍ମକ ରକ୍ଷଣାବେକ୍ଷଣ ଏବଂ ସ୍ବଚ୍ଛ ଆର୍ଥିକ ପରିଚାଳନା ପାଇଁ ଏକ ବିସ୍ତୃତ ରୂପରେଖ ପ୍ରଦାନ କରେ । ଏହି ନୀତିରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥା (RWSS), ଜିଲ୍ଲା କର୍ତ୍ତୃପକ୍ଷ, ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ୍ୟ ଜଳ ଓ ପରିମଳ କମିଟିଗୁଡ଼ିକର ଦାୟିତ୍ବକୁ ସ୍ପଷ୍ଟ ଭାବେ ନିର୍ଦ୍ଧାରଣ ହୋଇଅଛି, ଯାହାଦ୍ୱାରା ବିକେନ୍ଦ୍ରୀକୃତ ଶାସନ ଏବଂ ଜନସାଧାରଣଙ୍କର ସାମୁଦାୟିକ ମାଲିକାନା ସୁଦୃଢ଼ ହେବ ।
ଏହି ନୀତିରେ ଗଠିତ ବ୍ୟବହାରକାରୀ ଶୁଳ୍କ ବ୍ୟବସ୍ଥା, ଗ୍ରାମ ସ୍ତରରେ ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା, ନିୟମିତ ଭାବେ ଜଳର ଗୁଣମାନ ପରୀକ୍ଷଣ, SCADA ଏବଂ loT ଆଧାରିତ ପ୍ରଣାଳୀ ମାଧ୍ୟମରେ ଡିଜିଟାଲ ପର୍ଯ୍ୟାଲୋଚନା ସହିତ ରିଅଲ୍-ଟାଇମ ନିୟନ୍ତ୍ରଣପାଇଁ ଏକ କେନ୍ଦ୍ରୀୟ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ସ୍ଥାପନାର ବ୍ୟବସ୍ଥା ରହିଛି । ସେହି ପରି, ଜଳଯୋଗାଣ ଜାରି ରଖୁବା ପାଇଁ ପ୍ରତିଷେଧକ ରକ୍ଷଣାବେକ୍ଷଣ ଏବଂ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବ୍ୟବସ୍ଥାମାନ ମଧ୍ୟ ଏଥିରେ ସାମିଲ ରହିଛି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ନୀତି ଗ୍ରାମୀଣ ପାନୀୟ ଜଳ ଭିତ୍ତିଭୂମିରେ ହୋଇଥିବା ବିପୁଳ ସରକାରୀ ପୁଞ୍ଜି ବିନିଯୋଗକୁ ସୁରକ୍ଷିତ ରଖେ । ଏହି ନୀତି ଦ୍ଵାରା ମଧ୍ୟ ଓଡ଼ିଶାରେ “ହର ଘର ଜଳ” ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ଏହି ନୀତି ପ୍ରଣୟନ ହେତୁ ବର୍ତମାନ ରାଜ୍ୟ କୋଷାଗାର ଉପରେ କୌଣସି ଅକ ଆର୍ଥିକ ବୋଝ ସୃଷ୍ଟି ହେବ ନାହଁ ।
ଏହି ନିଷ୍ପଭି ସହିତ ଓଡ଼ିଶା ଗ୍ରାମୀଣ ଜଳ ଯୋଗାଣ ପରିଚାଳନା ପରବର୍ତ୍ତୀ ପର୍ଯ୍ୟାୟକୁ ଗତି କରୁଅଛି, ଯେଉଁଠାରେ ସ୍ଥାୟୀତ୍ଵ, ଉତ୍ତରଦାୟିତ୍ଵ ଏବଂ ସେବାର ଶ୍ରେଷ୍ଠତା ଉପରେ ଗୁରୁତ୍ବ ଦିଆଯାଇଛି । ଆମର ଉଦ୍ଦେଶ୍ୟ ସ୍ପଷ୍ଟ: ପ୍ରତ୍ୟେକ ଗ୍ରାମୀଣ ପରିବାର ନିକଟରେ କେବଳ ଟ୍ୟାପ୍ ସଂଯୋଗ ନୁହେଁ, ବରଂ ସେମାନେ ପ୍ରତିଦିନ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ପାଇବା ଉଚିତ ।
ବର୍ତ୍ତମାନ ସରକାରଙ୍କ କାର୍ଯ୍ୟ ସମୟରେ ସାରା ରାଜ୍ୟରେ ଗ୍ରାମୀଣ ପାନୀୟ ଜଳ ଢାଞ୍ଚା ସୁଦୃଢ଼ ହେବାରେ ଗୁରୁତ୍ବପୂର୍ଣ୍ଣ ପ୍ରଗତି ହାସଲ ହୋଇଛି । ସମୁଦାୟ ୨୭ଟି ମେଗା ପାଇ ଜଳ ଯୋଗାଣ ପ୍ରକଳ୍ପ ସଫଳତାର ସହ ସମାପ୍ତ କରାଯାଇଛି । ଏହାଛଡ଼ା, ୮୨ଟି ପ୍ରକଳ୍ପରେ ଜଳ ବିଶୋଧନାଗାର (WTP) ଓ ଜଳ ଉତ୍ସ (Intake well) ଭଳି ମୁଖ୍ୟ ଢାଞ୍ଚା ସମାପ୍ତ ହୋଇଥିବାରୁ ଗ୍ରାମଗୁଡ଼ିକୁ ଜଳ ଯୋଗାଣ ଆରମ୍ଭ କରିବା ସମ୍ଭବ ହୋଇଛି ।
ଏତଦ୍ ବ୍ୟତୀତ, ଏହି ସମୟରେ ୩,୦୪୬ଟି ଏକକ ଗ୍ରାମ ଜଳ ଯୋଗାଣ ପ୍ରକଳ୍ପ ଏବଂ ୨,୭୦୨ଟି ସୌର ଶକ୍ତି ଆଧାରିତ ଜଳ ଯୋଗାଣ ପ୍ରକଳ୍ପ ସମାପ୍ତ କରାଯାଇଛି । ଏହି ସମସ୍ତ ପ୍ରୟାସର ଫଳସ୍ୱରୂପ, ଫଙ୍କସନାଲ୍ ହାଉସହୋଲ୍ଡ ଟ୍ୟାପ୍ କନେକ୍ସନ୍ (FHTC) ମାଧ୍ୟମରେ ପାନୀୟ ଜଳ ପାଉଥିବା ଗ୍ରାମର ସଂଖ୍ୟା ୬,୦୩୨ ରୁ ବୃଦ୍ଧି ପାଇ ୨୧,୦୦୦ରୁ ଅଧିକ ହୋଇଛି । ଅତିରିକ୍ତ ଜଳ ଯୋଗାଣ ବ୍ୟବସ୍ଥା ବାବଦରେ ବର୍ତମାନ ସରକାରଙ୍କ ଦ୍ବାରା ୨୮,୭୪୧ଟି ନଳକୂପ (ଟ୍ୟୁବୱେଲ୍) ମଧ୍ୟ ସ୍ଥାପନ କରାଯାଇଛି ।
ଯେଉଁ ସ୍ଥାନରେ କାର୍ଯ୍ୟର ପ୍ରଗତି ଅସନ୍ତୋଷଜନକ ରହିଛି, ସେଠାରେ ସରକାର ଠିକାଦାର ମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ମେଗା ଓ ଏକକ ଗ୍ରାମ ଜଳ ଯୋଗାଣ ପ୍ରକଳ୍ପ ରେ ସମୁଦାୟ ପ୍ରାୟ ୧,୧୨୦ କୋଟି ଟଙ୍କା ଜରିମାନା ଆରୋପ କରାଯାଇଛି ଏବଂ ଆବଶ୍ୟକତା ଅନୁଯାୟୀ ଏଫ୍.ଆଇ.ଆର୍ ମଧ୍ଯ ଦାଖଲ କରାଯାଇଛି ।
