ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା : ଓଡ଼ିଶା ରେ ଆରମ୍ଭ ହେବ ଭୋଟର ତାଲିକାର ‘ତୃତୀୟ ପର୍ଯ୍ୟାୟ’ ସ୍ୱତନ୍ତ୍ର ସଘନ ସଂଶୋଧନ ।
- ଓଡ଼ିଶାରେ ଜୁଲାଇ ୧ରୁ ତୃତୀୟ ପର୍ଯ୍ୟାୟ ଏସଆଇଆର ।
- ଓଡ଼ିଶା ସମେତ ୧୬ ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଂଚଳରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଏସଆଇଆର ।
- ଓଡ଼ିଶାରେ ନିଯୁକ୍ତ ବିଏଲଓ ଙ୍କ ସଂଖ୍ୟା -୩୮,୧୨୩
- ବୁଥ ସ୍ଥରୀୟ ଏଜେଣ୍ଟ (ବିଏଲଏ)-୨୭,୭୨୩.
ଭୁବନେଶ୍ୱର : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ତୃତୀୟ ପର୍ଯ୍ୟାୟ “ସ୍ୱତନ୍ତ୍ର ସଘନ ସଂଶୋଧନ” (ଏସ୍ଆଇଆର୍) କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ସମୟସୂଚୀ ନିର୍ଦ୍ଧାରଣ କରାଯାଇଥିବା କମିଶନ ସୂଚନା ଦେଇଛନ୍ତି ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ବାଦ୍ ଦେଇ ଏହି ସଂଶୋଧନ କାର୍ଯ୍ୟକ୍ରମ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିବ । ଏହି ତିନିଟି ଅଞ୍ଚଳରେ ପ୍ରତିକୂଳ ପାଣିପାଗ ଏବଂ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବା ପରେ ଅଲଗା ଭାବେ କାର୍ଯ୍ୟସୂଚୀ ଘୋଷଣା କରାଯିବ ।
ରାଜ୍ୟରେ ହେବାକୁ ଥିବା ଏହି ବ୍ୟାପକ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପ୍ରାୟ ୩୮ ହଜାର ୧୨୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରେ ଘରେ ପହଞ୍ଚି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ । ସେମାନଙ୍କୁ ସହଯୋଗ କରିବା ପାଇଁ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ତରଫରୁ ୨୭ ହଜାର ୭୨୩ ଜଣ ବୁଥ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିୟୋଜିତ ହୋଇଛନ୍ତି ।
ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ କରି ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ କମିଶନ ଅନୁରୋଧ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୫୯ କୋଟି ଭୋଟରଙ୍କ ତଥ୍ୟ ସଫଳତାର ସହ ସଂଶୋଧନ କରାଯାଇଥିଲା। । ଏହି ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ୬.୩ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୯.୨ ଲକ୍ଷ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ମାନଙ୍କୁ ନିଯୁକ୍ତ କରାଯାଇଥିଲା
ଓଡିଶା – SIR ପର୍ଯ୍ୟାୟ III କାର୍ଯ୍ୟସୂଚୀ:
SIR ପାଇଁ ଯୋଗ୍ୟତା ତାରିଖ: 01.07.2026
ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ: 20.05.2026 ରୁ 29.05.2026 ପର୍ଯ୍ୟନ୍ତ
BLOମାନଙ୍କ ଦ୍ୱାରା ଘରେ ଘରେ ପରିଦର୍ଶନ: 30.05.2026 ରୁ 28.06.2026 ପର୍ଯ୍ୟନ୍ତ
ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ: 28.06.2026 ସୁଦ୍ଧା
ଖସଡା ଭୋଟର ତାଲିକା ପ୍ରକାଶ: 05.07.2026
ଦାବି ଓ ଆପତ୍ତି ଦାଖଲ ସମୟସୀମା: 05.07.2026 ରୁ 04.08.2026 ପର୍ଯ୍ୟନ୍ତ
ନୋଟିସ ପର୍ଯ୍ୟାୟ / ଦାବି ଓ ଆପତ୍ତିର ନିଷ୍ପତ୍ତି: 05.07.2026 ରୁ 02.09.2026 ପର୍ଯ୍ୟନ୍ତ
ଅନ୍ତିମ ଭୋଟର ତାଲିକା ପ୍ରକାଶ: 06.09.2026