ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍,ନବସୃଜନ କେନ୍ଦ୍ର ଆରମ୍ଭ କରିଛି

ଝାରସୁଗୁଡ଼ା : ଦେଶର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମ୍‌ଏଲ୍) ପକ୍ଷରୁ ଝାରସୁଗୁଡ଼ାରେ ଶିକ୍ଷା ଓ ବୈଷୟିକ ନବସୃଜନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏକ ନୂତନ ପଦକ୍ଷେପ ନିଆଯାଇଛି । କମ୍ପାନୀ ପକ୍ଷରୁ କଟାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଝାରସୁଗୁଡ଼ା ଉଦ୍ୟମିତା ଓ ମେକର୍‌ ସ୍ପେସ୍‌ (ଜେମ୍ସ) ନବସୃଜନ କେନ୍ଦ୍ର ଉଦ୍‌ଘାଟିତ ହୋଇଛି । ଏହି କେନ୍ଦ୍ର ମାଧ୍ୟମରେ ଅଞ୍ଚଳର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଓ ପ୍ରାୟୋଗିକ ଶିକ୍ଷାର ସୁଯୋଗ ପାଇପାରିବେ ।

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ସହଯୋଗରେ ବିକଶିତ ଏହି କେନ୍ଦ୍ରରେ ଭାରତ ସରକାରଙ୍କ ସମର୍ଥିତ ଅଟଳ ଟିଙ୍କରିଂ ଲ୍ୟାବ୍‌ (ଏଟିଏଲ୍‌) ପ୍ରତିଷ୍ଠା କରାଯାଇଛି । ଏଠାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପରୀକ୍ଷାନିରୀକ୍ଷା, ନୂତନ ଡିଜାଇନ୍‌ ଓ ନମୁନା ପ୍ରସ୍ତୁତି ମାଧ୍ୟମରେ ଶିକ୍ଷା ଗ୍ରହଣ କରିପାରିବେ । ଏହା ସହିତ ବେଦାନ୍ତ ପକ୍ଷରୁ ଏହି ପରୀକ୍ଷାଗାରକୁ ଅତିରିକ୍ତ ଉପକରଣ ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇ ଏକ ଅତ୍ୟାଧୁନିକ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଇଛି ।

ଏହି କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ସ, ରୋବୋଟିକ୍ସ ଓ ଡିଜାଇନ୍‌ କ୍ଷେତ୍ରରେ ଉନ୍ନତ ଉପକରଣ ଉପଲବ୍ଧ ହେବ । ଏହାଦ୍ୱାରା ପିଲାମାନେ ଶ୍ରେଣୀଗୃହର ପାଠପଢ଼ା ବାହାରେ ନିଜସ୍ୱ ଚିନ୍ତାଧାରାକୁ ବାସ୍ତବ ରୂପ ଦେବା, ନୂତନ ନମୁନା ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକର ଉନ୍ନତି ଆଣିବାର ସୁଯୋଗ ପାଇବେ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଜିଜ୍ଞାସା, ସୃଜନଶୀଳ ଚିନ୍ତାଧାରା ଓ ସମସ୍ୟା ସମାଧାନ ଦକ୍ଷତା ବିକାଶରେ ସହାୟକ ହେବ । ଏଥିସହ ଛୋଟ ବୟସରୁ ଉଦ୍ୟମିତା ମନୋଭାବ ଗଢ଼ିତୋଳିବା ସହ ସାମୂହିକ ଉଦ୍ୟମ ମାଧ୍ୟମରେ ବାସ୍ତବ ଜୀବନର ସମସ୍ୟାର ସମାଧାନ ଖୋଜିବାକୁ ପିଲାମାନଙ୍କୁ ଉତ୍ସାହିତ କରାଯିବ ।

ଏହି ଅବସରରେ ଭିଏଏମ୍‌ଏଲ୍‌ ଝାରସୁଗୁଡ଼ାର ମୁଖ୍ୟ କାର୍ଯ୍ୟନିର୍ବାହୀ ସି. ଚନ୍ଦ୍ରୁ କହିଛନ୍ତି, “ବିଶ୍ୱସ୍ତରୀୟ ଉତ୍ପାଦନ ଓ ନବସୃଜନ କ୍ଷେତ୍ରରେ ଭାରତର ଅଗ୍ରଣୀ ଯାତ୍ରା ଆଜିର ଯୁବପିଢ଼ିଙ୍କ ପାଇଁ ଆମେ ସୃଷ୍ଟି କରୁଥିବା ସୁଯୋଗ ଉପରେ ନିର୍ଭର କରିବ। ଜେମ୍ସ ପ୍ରକଳ୍ପ ମାଧ୍ୟମରେ ଝାରସୁଗୁଡ଼ାର ଛାତ୍ରଛାତ୍ରୀଙ୍କୁ ପ୍ରାରମ୍ଭିକ ସ୍ତରରୁ ବୈଷୟିକ ଜ୍ଞାନ, ନବସୃଜନ ଓ ପ୍ରାୟୋଗିକ ସମସ୍ୟା ସମାଧାନର ଅନୁଭୂତି ଦେବାକୁ ଆମେ ଉଦ୍ୟମ କରୁଛୁ। ଶିକ୍ଷା କ୍ଷେତ୍ରରେ ନିବେଶ ହେଉଛି ରାଷ୍ଟ୍ର ନିର୍ମାଣରେ ନିବେଶ । ଏଭଳି ସୁଯୋଗର ପରିସର ବୃଦ୍ଧି କରିବାରେ ସହଯୋଗ କରି ଆମେ ଗର୍ବିତ ।”

ଏହି ଉଦ୍‌ଘାଟନୀ ସମାରୋହରେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କୁ ପ୍ରାୟୋଗିକ ବିଜ୍ଞାନ, ପ୍ରଯୁକ୍ତି, ଯନ୍ତ୍ରବିଦ୍ୟା ଓ ଗଣିତ ଶିକ୍ଷାରେ ଦକ୍ଷ କରିବା ଦିଗରେ ବେଦାନ୍ତ ଓ ଜିଲ୍ଲା ପ୍ରଶାସନର ଏହି ମିଳିତ ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ ।

ଝାରସୁଗୁଡ଼ାରେ ଶିକ୍ଷା ଓ ଯୁବବର୍ଗଙ୍କ ବିକାଶ ପାଇଁ ବେଦାନ୍ତ ଆଲୁମିନିୟମର ବ୍ୟାପକ ପ୍ରତିବଦ୍ଧତାର ଅଂଶ ହେଉଛି ଏହି ଜେମ୍ସ ନବସୃଜନ କେନ୍ଦ୍ର । ବୃନ୍ଦାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠାଗାର ପ୍ରତିଷ୍ଠା, ବିଭିନ୍ନ ବିଦ୍ୟାଳୟରେ ଡିଜିଟାଲ୍‌ ଶିକ୍ଷା ବ୍ୟବସ୍ଥାର ବିକାଶ, ନନ୍ଦଘର ମାଧ୍ୟମରେ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ସୁଯୋଗ ବୃଦ୍ଧି ଲାଗି ଜିଲ୍ଲା ପ୍ରଶାସନ ସହ ସହଭାଗିତା ଭଳି ପଦକ୍ଷେପ ଜରିଆରେ କମ୍ପାନୀ ନିରନ୍ତର ନିବେଶ କରିଆସୁଛି । ଏହି ପ୍ରୟାସ ଯୁବପିଢ଼ିଙ୍କ ମଧ୍ୟରେ ଜିଜ୍ଞାସା, ଆତ୍ମବିଶ୍ୱାସ ଓ ଭବିଷ୍ୟତର ଆହ୍ୱାନକୁ ସାମ୍ନା କରିବାର ଦକ୍ଷତା ବିକାଶରେ ସହାୟକ ହେଉଛି । ଜେମ୍ସ କେନ୍ଦ୍ରର ଯୋଗଦାନ ଏହି ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ପିଲାମାନଙ୍କୁ ନବସୃଜନ, ପରୀକ୍ଷାନିରୀକ୍ଷା ଓ ପ୍ରାୟୋଗିକ ଶିକ୍ଷାର ଅଧିକ ସୁଯୋଗ ପ୍ରଦାନ କରିବ ।