ସାମୁଦ୍ରିକ ପରମ୍ପରାକୁ ଆଗେଇ ନେବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର : ଚିଲିକା କେବଳ ଏକ ପ୍ରାକୃତିକ ସମ୍ପଦ ନୁହେଁ, ଏହା ଓଡ଼ିଶାର ସମୃଦ୍ଧ ଇତିହାସ, ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହାର ପ୍ରାକୃତିକ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଦିଗରେ ସମସ୍ତେ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ କହିଛନ୍ତି ।

ସୋମବାର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ କଲେଜ ପଡ଼ିଆରେ ଆୟୋଜିତ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ-୨୦୨୬ର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ, ଏହି ମହୋତ୍ସବ ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସ, ସମୃଦ୍ଧ ପରମ୍ପରା ଓ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟର ପ୍ରତୀକ ।

ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟ ପରମ୍ପରା ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ଓଡ଼ିଶାର ସାଧବମାନେ ନିଜର ସାହସ, ଦୂରଦୃଷ୍ଟି ଓ ଉଦ୍ୟମଶୀଳତା ବଳରେ ଦୂରଦୂରାନ୍ତ ଦେଶକୁ ସମୁଦ୍ରଯାତ୍ରା କରି ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ଏହି ଯାତ୍ରା କେବଳ ବାଣିଜ୍ୟ ମଧ୍ୟରେ ସୀମିତ ନଥିଲା, ବରଂ ଏହା ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ଜ୍ଞାନ ଓ ଜୀବନଧାରା ଅନ୍ୟ ଦେଶରେ ପ୍ରସାରିତ ହୋଇଥିଲା ।

କାର୍ତ୍ତିକ ପୂର୍ଣ୍ଣିମାରେ ପାଳିତ ବୋଇତ ବନ୍ଦାଣ ପରମ୍ପରା ଆମର ସେହି ଗୌରବମୟ ଅତୀତକୁ ସ୍ମରଣ କରାଏ । ସାଧବମାନେ ଜାଭା, ବାଲି, ସୁମାତ୍ରା, ଶ୍ରୀଲଙ୍କା, ମିଆଁମାର ଆଦି ଦେଶକୁ ଯାତ୍ରା କରି ଓଡ଼ିଶାର ସାଂସ୍କୃତିକ ପରିଚୟକୁ ବିଶ୍ୱଦରବାରରେ ପହଞ୍ଚାଇଥିଲେ । ସେମାନଙ୍କ ସାହସ, ଧୈର୍ଯ୍ୟ ଓ କର୍ମନିଷ୍ଠା ଆଜିର ପିଢ଼ି ପାଇଁ ମଧ୍ୟ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ ।

ଚିଲିକା ଏସିଆର ସର୍ବବୃହତ୍ ଲବଣାକ୍ତ ଜଳ ହ୍ରଦ ଏବଂ ଏକ ରାମସାର ମାନ୍ୟତାପ୍ରାପ୍ତ ଆର୍ଦ୍ରଭୂମି । ଏହାର ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶଗତ ମହତ୍ତ୍ୱ ଅତୁଳନୀୟ । ଚିଲିକା ଅଞ୍ଚଳର ଅନେକ ଲୋକଙ୍କ ଜୀବିକା ଏହି ହ୍ରଦ ଉପରେ ନିର୍ଭରଶୀଳ । ଏଥିସହ ଓଡ଼ିଶାର ଆଧ୍ୟାତ୍ମିକ ପରମ୍ପରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମଧ୍ୟ ଚିଲିକାର ଗଭୀର ସମ୍ପର୍କ ରହିଛି ବୋଲି ରାଜ୍ୟପାଳ କହିଥିଲେ ।

ବୋଇତ ବନ୍ଦାଣର ଗୌରବମୟ ପରମ୍ପରାରୁ ପ୍ରେରଣା ନେଇ ଯୁବପିଢ଼ି ଶିକ୍ଷା, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ଉଦ୍ୟୋଗ, ସାମୁଦ୍ରିକ ବାଣିଜ୍ୟ, ପର୍ଯ୍ୟଟନ ଓ ପରିବେଶ ସଂରକ୍ଷଣ ଭଳି କ୍ଷେତ୍ରରେ ନୂଆ ସଫଳତା ହାସଲ କରିବାକୁ ସେ ଆହ୍ୱାନ ଦେଇଥିଲେ । ଯୁବପିଢ଼ିଙ୍କ ପ୍ରତିଭା ଓ ଉଦ୍ୟମ ସହ ପୂର୍ବପୁରୁଷଙ୍କ ଗୌରବମୟ ଐତିହ୍ୟର ସମନ୍ୱୟ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ମହୋତ୍ସବର ସଫଳ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ, ଆୟୋଜକ କମିଟି, କଳାକାର, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ବୋଇତ ବନ୍ଦାଣରେ ପ୍ରତିଫଳିତ ସାହସ, ଏକତା, ଭାଇଚାରା, ପ୍ରକୃତି ପ୍ରତି ସମ୍ମାନ ଓ ପ୍ରଗତିର ଭାବନା ସମାଜକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ ବୋଲି ସେ କହିଥିଲେ ।

ଏହି ଅବସରରେ ଚିଲିକାର ପୂର୍ବତନ ବିଧାୟକ ଡ .ବିଭୂତି ଭୂଷଣ ହରିଚନ୍ଦନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା । ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ, ପୁରୀ ଶ୍ରୀ ସମ୍ବିତ ପାତ୍ର ଓ ବିଶିଷ୍ଟ ସାହିତ୍ୟିକ ଡ. ବିଜୟାନନ୍ଦ ସିଂହ ମଧ୍ୟ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଖୋର୍ଦ୍ଧା ଏସ୍‌ପି ପରମାର ସ୍ମିତ ପର୍ଶୋତ୍ତମଦାସ ଓ ବାଲୁଗାଁ ଏନ୍‌ଏସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ ।