ସାମଗ୍ରିକ ବିକାଶ ପାଇଁ ସମନ୍ୱିତ ଉଦ୍ୟମ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସାମୂହିକ ଉଦ୍ୟମ ଉପରେ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାର ବିକାଶ ଲକ୍ଷ୍ୟ ହାସଲ ପାଇଁ ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ, ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ ବିକାଶମୂଳକ କାର୍ଯ୍ୟର ନିୟମିତ ସମୀକ୍ଷା ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାକୁ ଦିନିକିଆ ଗସ୍ତ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସମୟରେ ରାଜ୍ୟପାଳ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲାପାଳ ଅମୃତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ ପର୍ଶୋତ୍ତମଦାସଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ବିଭିନ୍ନ ବିକାଶମୂଳକ ପଦକ୍ଷେପର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରି ରାଜ୍ୟପାଳ ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟରେ ସମାପ୍ତି ପାଇଁ ବିଭାଗୀୟ ସମନ୍ୱୟ ଓ ନିୟମିତ ସମୀକ୍ଷାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । ଏଥିସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନ ସାକାର କରିବା ଦିଗରେ ଯୋଗଦାନ ରଖିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ ।

ବୈଠକରେ ସାଇନ୍ସ ସିଟି, ଶିଳ୍ପାଞ୍ଚଳ, ବୃହତ୍ ଜଳସେଚନ ପ୍ରକଳ୍ପ, କ୍ରୀଡ଼ା ଭିତ୍ତିଭୂମି, ପାଠାଗାର, ପାଇକ ସ୍ମାରକୀ ଓ ସାଂସ୍କୃତିକ କେନ୍ଦ୍ର, ବୟନ ଶିଳ୍ପ ହବ୍‌ର ସମ୍ପ୍ରସାରଣ, ଚିଲିକା ଇକୋ-ଟୁରିଜିମ୍ ଓ ବନ୍ୟଜନ୍ତୁ ପର୍ଯ୍ୟଟନ ସର୍କିଟ୍, ଐତିହ୍ୟ ଓ ତୀର୍ଥସ୍ଥଳୀର ଭିତ୍ତିଭୂମି ଏବଂ ପାନୀୟ ଜଳ ସୁବିଧା ଆଦି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାସହ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ଏବଂ ଆଇନଶୃଙ୍ଖଳା ସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ଉପରେ ଜୋର ଦେବା ସହ ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ।

ଖୋର୍ଦ୍ଧା ଜିଲ୍ଲା ଗସ୍ତ ଅବସରରେ ରାଜ୍ୟପାଳ ଟାଙ୍ଗୀ ବ୍ଲକ୍‌ର ଭୁଷଣ୍ଡପୁରସ୍ଥିତ ପବିତ୍ର ମା’ ଉଗ୍ରତାରା ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଓଡ଼ିଶାବାସୀଙ୍କ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ସେ ମା’ଙ୍କ ଆଶୀର୍ବାଦ ପ୍ରାର୍ଥନା କରିଥିଲେ ।

ପରେ ସେ ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ସାନରାଉତପଡ଼ା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ସ୍ଥାନୀୟ ଜନପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସଦସ୍ୟା ଏବଂ ପିଏମ୍‌ଏୱାଇ-ଜି, ପୋଷଣ ଓ ମୁଦ୍ରା ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଓ ତୃଣମୂଳସ୍ତରରେ ଏହାର ପ୍ରଭାବ ସମ୍ପର୍କରେ ହିତାଧିକାରୀମାନଙ୍କ ଅନୁଭୂତି ଓ ମତାମତ ଶୁଣିଥିଲେ। ସରକାରୀ ଯୋଜନାର ସୁଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ଜନସହଭାଗିତାର ଗୁରୁତ୍ୱ ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ ।