୮୦ କୋଟି ଟଙ୍କାର ପାଣ୍ଡରା ରିଭରଫ୍ରଣ୍ଟ ପ୍ରକଳ୍ପ


ଭୁବନେଶ୍ୱର : ରାଜ୍ୟର ନଦୀଭିତ୍ତିକ ପର୍ଯ୍ୟଟନର ବିକାଶ ଓ ନାଗରିକଙ୍କ ପାଇଁ ଉନ୍ନତ ଜନସ୍ଥାନ ସୃଷ୍ଟି ଲକ୍ଷ୍ୟରେ ଭୁବନେଶ୍ୱର ନିକଟସ୍ଥ ପାଣ୍ଡରାଠାରେ ୮୦ କୋଟି ଟଙ୍କା ବ୍ୟୟରେ ରିଭରଫ୍ରଣ୍ଟ ପ୍ରକଳ୍ପ ବିକଶିତ ହେବାକୁଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ପ୍ରକଳ୍ପ କୁଆଖାଇ ଓ କୁଶଭଦ୍ରା ନଦୀ ମଧ୍ୟରେ ଥିବା ପ୍ରାକୃତିକ ଦ୍ୱୀପକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ, ସାଂସ୍କୃତିକ ଓ ମନୋରଞ୍ଜନସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛି ।

ଜଳ ସମ୍ପଦ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ରାଜ୍ୟ ସରକାରଙ୍କ ୨,୨୪୦ କୋଟି ଟଙ୍କାର ମହାନଦୀ ରିଭରଫ୍ରଣ୍ଟ ବିକାଶ ଯୋଜନାର ଏକ ଅଂଶ । ଏହି ଯୋଜନା ମାଧ୍ୟମରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ପର୍ଯ୍ୟଟନ, ପରିବେଶ ଓ ଆର୍ଥିକ ସମ୍ଭାବନାର ଉପଯୋଗ କରାଯିବ ।

ପ୍ରକଳ୍ପର ମୁଖ୍ୟ ଆକର୍ଷଣ ଭାବେ ୧.୫ କିଲୋମିଟର ଦୀର୍ଘ ନଦୀତଟ ପଦଚଲା ପଥ, ଘାଟ, ଭାସମାନ ଜେଟି, ସୁସଜ୍ଜିତ ଜନସ୍ଥାନ, ଦର୍ଶନୀୟ ସ୍ଥାନ ଏବଂ ସାଇକେଲ ଓ ପଦଯାତ୍ରା ପଥ ନିର୍ମାଣ କରାଯିବ । ଏଥିସହ ଦୁଇ କିଲୋମିଟରରୁ ଅଧିକ ଦୀର୍ଘ ଉଚ୍ଚତା ବିଶିଷ୍ଟ ଟ୍ରି-ୱାକ୍ ନିର୍ମାଣ କରାଯାଇ ପର୍ଯ୍ୟଟକଙ୍କୁ ନଦୀ ଓ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟ ଉପଭୋଗ କରିବାର ସୁଯୋଗ ଦିଆଯିବ ।

ଏଠାରେ ମୁକ୍ତାକାଶ ରଙ୍ଗମଞ୍ଚ, ଥିମ୍ ଗାର୍ଡେନ୍, ପିକନିକ୍ ସ୍ଥଳ, ସାହସିକ କ୍ରୀଡ଼ା କ୍ଷେତ୍ର, ଯୋଗ କେନ୍ଦ୍ର, ଫୁଡ୍ କୋର୍ଟ ଓ ମନୋରଞ୍ଜନ ସ୍ଥାନ ବିକଶିତ ହେବ । ଏଥିସହ ଓଡ଼ିଶା ହାଟ ଓ ହେରିଟେଜ୍ ଭିଲେଜ୍ ପ୍ରତିଷ୍ଠା କରାଯାଇ ସ୍ଥାନୀୟ କାରିଗର, ହସ୍ତଶିଳ୍ପୀ ଓ ଲୋକକଳାକାରଙ୍କୁ ସେମାନଙ୍କ କଳା ଓ ପରମ୍ପରା ପ୍ରଦର୍ଶନ ପାଇଁ ସୁଯୋଗ ମିଳିବ ।

ପ୍ରକଳ୍ପରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଦେଶୀୟ ବୃକ୍ଷରୋପଣ, ମିୟାୱାକି ଜଙ୍ଗଲ, ପ୍ରଜାପତି ଉଦ୍ୟାନ, ପ୍ରାକୃତିକ ଉଦ୍ଭିଦ କ୍ଷେତ୍ର ଓ ପ୍ରକୃତି ପଦଯାତ୍ରା ପଥ ବିକଶିତ କରାଯିବ । ମୋଟ ଅନୁମୋଦିତ ପ୍ରକଳ୍ପ ବ୍ୟୟରୁ ୫୪ କୋଟି ଟଙ୍କା ନଦୀଘାଟ ନିର୍ମାଣ ଓ ନଦୀବନ୍ଧ ସୁରକ୍ଷା କାର୍ଯ୍ୟ ପାଇଁ ବ୍ୟୟବରାଦ କରାଯାଇଛି । ଏହା ବ୍ୟତୀତ ସେତୁ, ଆଭ୍ୟନ୍ତରୀଣ ରାସ୍ତା, ପାର୍କିଂ, ସୌର ଆଲୋକୀକରଣ, ସିସିଟିଭି, ଇଭି ଚାର୍ଜିଂ ସୁବିଧା ଓ ଅନ୍ୟାନ୍ୟ ପର୍ଯ୍ୟଟକ ସୁବିଧା ବିକଶିତ ହେବ। ଇଞ୍ଜିନିୟରିଂ, ପ୍ରକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକସନ୍ (ଇପିସି) ମୋଡ୍‌ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ନିର୍ମାଣ କାର୍ଯ୍ୟ ପାଇଁ ୨୪ ମାସ ଏବଂ ପରବର୍ତ୍ତୀ ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ବ୍ୟବସ୍ଥା ରହିଛି ।