ନବସୃଜନ, ଗବେଷଣା ଓ ରାଷ୍ଟ୍ର ନିର୍ମାଣ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର : ଶିକ୍ଷା, ନବସୃଜନ ଓ ନୂତନ ଚିନ୍ତାଧାରାକୁ ଜୀବନର ମୂଳମନ୍ତ୍ର କରିବା ସହ ଶିକ୍ଷାକୁ କେବଳ ବ୍ୟକ୍ତିଗତ ସଫଳତାର ମାଧ୍ୟମ ନକରି ସମାଜ ଓ ଦେଶର ସେବାରେ ବିନିଯୋଗ କରିବାକୁ ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ଶୁକ୍ରବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଶୃଙ୍ଖଳା, କଠିନ ପରିଶ୍ରମ ଓ ସାଧୁତାକୁ ଜୀବନର ଆଧାର କରି ଛାତ୍ରଛାତ୍ରୀମାନେ ନିଜକୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ପ୍ରସ୍ତୁତ କରିବା ଆବଶ୍ୟକ । ଉତ୍କଳ ବିଶ୍ୱବିଦ୍ୟାଳୟକୁ ଓଡ଼ିଶାର ଅସ୍ମିତା, ଭାଷା ଓ ଶିକ୍ଷାଗତ ଆକାଂକ୍ଷାର ପ୍ରତୀକ ଭାବେ ଅଭିହିତ କରି ରାଜ୍ୟପାଳ କହିଥିଲେ ଯେ, ଏକ ଛୋଟ କୋଠରୀରୁ ଯାତ୍ରା ଆରମ୍ଭ କରିଥିବା ଏହି ଅନୁଷ୍ଠାନ ଆଜି ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ତଥା ଉଚ୍ଚଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ ହୋଇଛି । ଏହି ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରି ଅନେକ ଶିକ୍ଷକ, ବୈଜ୍ଞାନିକ, ପ୍ରଶାସକ, ସାହିତ୍ୟିକ ଓ ଜନସେବକ ଭାବେ ରାଜ୍ୟ ତଥା ଦେଶର ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି । ବିଶ୍ୱବିଦ୍ୟାଳୟର NAAC A+ ମାନ୍ୟତା ଏହାର ଉଚ୍ଚ ଶୈକ୍ଷିକ ମାନଦଣ୍ଡର ପ୍ରତିଫଳନ ହୋଇଥିବାବେଳେ, ଅଧ୍ୟାପକମାନଙ୍କ ମଧ୍ୟରୁ ଅନେକଙ୍କୁ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ମିଳିବା ଏହାର ଗବେଷଣା କ୍ଷେତ୍ରରେ ସଫଳତାକୁ ପ୍ରମାଣିତ କରୁଛି ବୋଲି ସେ କହିଥିଲେ । ପରିଜା ପାଠାଗାରରେ ହଜାର ହଜାର ଦୁର୍ଲଭ ତାଳପତ୍ର ପୋଥିର ଡିଜିଟାଇଜେସନ୍ ଏବଂ ସାମାଜିକ ବିକାଶ ଉଦ୍ଦେଶ୍ୟରେ ୧୦ଟି ଗ୍ରାମକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଷ୍ୟ ଭାବେ ଗ୍ରହଣ କରାଯିବା ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏହା ଆମର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ସହ ସମାଜ ପ୍ରତି ଶିକ୍ଷାନୁଷ୍ଠାନର ଦାୟିତ୍ୱବୋଧକୁ ପ୍ରତିଫଳିତ କରୁଛି ବୋଲି ସେ ମତବ୍ୟକ୍ତ କରିଥିଲେ । ପରିବର୍ତ୍ତିତ ଶିକ୍ଷା ବ୍ୟବସ୍ଥା ଓ ବୈଷୟିକ ଜ୍ଞାନକୌଶଳର ପ୍ରସାର ସମ୍ପର୍କରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (AI), ଡିଜିଟାଲ ଶିକ୍ଷା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା ନୂତନ ସୁଯୋଗ ସୃଷ୍ଟି କରିଛି । ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଡିଗ୍ରୀ ପ୍ରଦାନରେ ସୀମିତ ନରହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟବହାରିକ ଦକ୍ଷତା, ସୃଜନଶୀଳତା, ନୈତିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧର ବିକାଶ ଉପରେ ଗୁରୁତ୍ୱ ଦେବା ଉଚିତ । ଜାତୀୟ ଶିକ୍ଷାନୀତି-୨୦୨୦ସମ୍ପର୍କରେ ଉଲ୍ଲେଖ କରି ସେ ବହୁବିଷୟଭିତ୍ତିକ ଓ ନିଯୁକ୍ତିଭିତ୍ତିକ ଶିକ୍ଷାର ଆବଶ୍ୟକତା ଉପରେ ଜୋର ଦେବା ସହ ମାତୃଭାଷା ଓ ଅନ୍ୟ ଭାରତୀୟ ଭାଷାରେ ଶିକ୍ଷା ଗ୍ରହଣକୁ ଉତ୍ସାହିତ କରିଥିଲେ । ୨୦୩୬ରେ ଓଡ଼ିଶାର ଶତବାର୍ଷିକୀ ଏବଂ ୨୦୪୩ରେ ଉତ୍କଳ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଦେଶର ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ଦିଗରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ବୋଲି ରାଜ୍ୟପାଳ କହିଥିଲେ । ବିକଶିତ ଭାରତ ଗଠନ ପାଇଁ ବିକଶିତ ଓଡ଼ିଶା ଅପରିହାର୍ଯ୍ୟ ଏବଂ ଏହି ଲକ୍ଷ୍ୟ ହାସଲରେ ଗୁଣାତ୍ମକ ଶିକ୍ଷାର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । କୃଷି, ସ୍ୱାସ୍ଥ୍ୟସେବା, ପରିବେଶ, ମତ୍ସ୍ୟଚାଷ ଓ ଜନଜାତି ବିକାଶ ଭଳି କ୍ଷେତ୍ରରେ ବାସ୍ତବ ସମସ୍ୟାର ସମାଧାନ ପାଇଁ ଗବେଷଣା ଓ ଶିଳ୍ପାନୁଷ୍ଠାନ ମଧ୍ୟରେ ଅଧିକ ସମନ୍ୱୟ ଓ ସହଯୋଗ ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଏଥିସହ ଗ୍ରାମାଞ୍ଚଳ, ଜନଜାତି ବହୁଳ ଅଞ୍ଚଳ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ସୁଯୋଗ ପ୍ରଦାନ ଏବଂ ମହିଳାଙ୍କ ପାଇଁ ନିରାପଦ ଓ ସମାବେଶୀ ଶିକ୍ଷା ପରିବେଶ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ The Taste of the Hills: Foodways and Identity Among the Bonda and Didayi of Malkangiri ପୁସ୍ତକ ଉନ୍ମୋଚନ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଓ NLC ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ । ଏହି ଅବସରରେ ବେଦାନ୍ତ ଆଲୁମିନି ମେଟାଲ୍ ଲିମିଟେଡର ନନ ଏଗଜିକ୍ୟୁଟିଭ ଇଣ୍ଡିପେନଡେଣ୍ଟ ଡ଼ାଇରେକ୍ଟର ତଥା ନାଲ୍‌କୋର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ଼. ତପନ କୁମାର ଚାନ୍ଦ ଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଯଜ୍ଞେସ୍ୱର ଦଣ୍ଡପାଟ ସ୍ୱାଗତ ଭାଷଣ ଦେଇଥିବାବେଳେ କୁଳସଚିବ ଶ୍ରୀମତୀ ସ୍ୱାତୀ ମିଶ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ।