ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ପରିସରଭୁକ୍ତ କରାଯାଉ

ଭୁବନେଶ୍ୱର : ସୋମବାର ଦିନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା । ପ୍ରାୟ ୧ଘଣ୍ଟା ଧରି ସୁଶାନ୍ତ ସିଂଙ୍କ ଘର ସାମନାରେ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିଥିଲା । ପୋଲିସ ସହ ଧସ୍ତାଧ୍ୱସ୍ତି ହେବା ସହ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ କରାଯାଇଥିଲା । ଏହାପରେ ଛାତ୍ର କଂଗ୍ରେସର କର୍ମକର୍ତାମାନେ ୟାସିର ନୱାଜଙ୍କ ନେତୃତ୍ୱରେ ସିଧାସଳଖ ଅପର ପିଏମଜି ନିକଟକୁ ଆସି ବିଧାନସଭା ଘେରାଉ କରିଥିଲେ । ବାରିକେଟ ଭାଙ୍ଗି ଛାତ୍ର କଂଗ୍ରେସ କର୍ମକର୍ତାମାନେ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଏହି ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ସଂପୃକ୍ତିକୁ ରାଜ୍ୟ ସରକାର ଘଣ୍ଟ ଘୋଡ଼ାଉଛନ୍ତି । ଅସଲ ଦୋଷୀକୁ ଛାଡ଼ି ଦେବାପାଇଁ ହତ୍ୟାକାରୀ ଗୋପାଳ ଦାସଙ୍କୁ କେତେବେଳେ ମାନସିକ ବିକାରଗସ୍ତ ବୋଲି ସଜେଇ ଦିଆଯାଉଛି ତ କେତେବେଳେ ଲାଟିନ ଭିତରେ ଗୋପାଳର ଚିଠିକୁ ଖୋଜାଯାଉଛି । କ୍ରାଇମବ୍ରାଞ୍ଚ ୨୨ବର୍ଷ ଧରି ମିଥ୍ୟାକାହାଣୀ ସୃଷ୍ଟିକରି ବିିଭିନ୍ନ ହତ୍ୟା ଏବଂ ଦୁଷ୍କର୍ମ ଘଟଣାରେ ବିଜେଡ଼ି ଦଳର ବିଧାୟକ ଓ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେଇ ଆସୁଛି । ୨୨ ବର୍ଷର ନବୀନ ଶାସନରେ କ୍ରାଇମବ୍ରାଞ୍ଚ ଏକ ନିକମା ବିଭାଗ ବୋଲି ପ୍ରମାଣିତ ହୋଇଛି । ଛାତ୍ର କଂଗ୍ରେସ ଦାବି କରୁଛି ମାନ୍ୟବର ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ । ଛାତ୍ର କଂଗ୍ରେସ ଦାବି କରୁଛି ଏହି ହତ୍ୟା ଘଟଣାର ତଦନ୍ତରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରକୁ ଅଣାଯାଉ । ତାଙ୍କର ଏବଂ ତାଙ୍କର ଚାରିପାଖରେ କାମ କରୁଥିବା ଲୋକଙ୍କର ମୋବାଇଲ ଫୋନର କଥୋପକଥନ ଓ ବିଭିନ୍ନ କାର୍ଯ୍ୟକ୍ରମକୁ ତଦନ୍ତ କରାଯାଉ । ଅସଲ ମାଷ୍ଟରମାଇଁଣ୍ଡକୁ ଲୁଚେଇ ଦେଇ ଗୋପାଳ ଦାସକୁ ହତ୍ୟାକାରୀ କହିବା ଦୁଃଖଦାୟକ । ଗୋପାଳ ଦାସ ଏ ହତ୍ୟାର ଏକ ମାଧ୍ୟମ । ମାତ୍ର ଷଡ଼ଯନ୍ତ୍ରକାରୀ ହେଉଛନ୍ତି ସୁଶାନ୍ତ ସିଂ । ଏ ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କର ଦିନ ଦ୍ୱିପ୍ରହରେ ପୋଲିସ ଦ୍ୱାରା ହତ୍ୟା ହେବା ଘଟଣା ସ।।ରା ଦେଶକୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ଏହା ଏକ ଯୋଜନାବଧ ହତ୍ୟା । ଏ ହତ୍ୟାର ପ୍ରକୃତ ତଦନ୍ତ କରିବାର ସରକାରଙ୍କର ଆନ୍ତିରିକତା ନାହିଁ । ଯଦି ସୁଶାନ୍ତ ସିଂକୁ ତଦନ୍ତ ପରିଷରଭୁକ୍ତକୁ ଅଣାନଯାଏ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଶ୍ରୀ ନୱାଜ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ନିହାର ରଞ୍ଜନ ବେହେରା, ନଳିନୀକାନ୍ତ ନାୟକ, ମହମ୍ମଦ ଗୁଲଫାମ, ରଣଜିତ ସେନାପତି, ସାଗର ପଟ୍ଟନାୟକ, ସୌରଭ ପଟ୍ଟନାୟକ, ମୁନୁ ପରିଡ଼ା, ବିଶ୍ୱଭୂଷଣ ମହାପାତ୍ର, ସୁରଜ ରାଉତ, ବିଭୁତିଭୂଷଣ ମହାପାତ୍ର, ଉଦ୍ଦିତ ପ୍ରଧାନ, ମହମ୍ମଦ ସମିଉଲ, ରିୟାଜୁଲ ଇସଲାମ, ଆର୍ଯ୍ୟାନ ସାସମଲ, ରାମେଶ୍ୱର ଶତପଥି, ସମିର ରାଉତ, ମୁନା ପରିଡ଼ା, କୁନାଲ ସିଂ, ମହମ୍ମଦ ମୁଫି, ଆଶୀର୍ବାଦ ବେହେରା, ଅଭିଶେକ ପାତ୍ର, ସାହାରୁଖ ଖାନ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *