ଭୁବନେଶ୍ୱର:ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ‘ଓଡ଼ିଶୀ ଆସର’ ଓଡ଼ିଶୀ ଗବେଷଣା କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ ଉତ୍କଳ ରଂଗମଞ୍ଚରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଂଗୀତର ଭାବଧାରାକୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ ପ୍ରତି ମାସର ଶେଷ ସପ୍ତାହରେ ଅନୁଷ୍ଠିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଗୁରୁ ଏବଂ ଶିକ୍ଷାନବୀଶ ତଥା ଛାତ୍ରଛାତ୍ରୀମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥାଆନ୍ତି । ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଉଦ୍ଦେଶ୍ୟରେ ଏହା ସରକାରୀ ସ୍ତରରେ ଅନନୟ ପଦକ୍ଷେପ । ଅନୁଷ୍ଠିତ ଏହି ଓଡ଼ିଶୀ ଆସର କାର୍ଯ୍ୟକ୍ରମେ ପ୍ରାରମ୍ଭରେ ସୁନିତାରାଣୀ ବିଶ୍ୱାଳ (ଏକକ ଗାୟନ), ଅର୍ପିତା ସାହୁ ଏବଂ ସ୍ମୃତିରେଖା ପ୍ରତିହାରୀ (ଦ୍ୱେତ ଗାୟନ), ରାସବିହାରୀ ନାଥ, ଅତିଥି କଳାକାର (ଏକକ ଗାୟନ) ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ । ପରେ ପରେ ମର୍ଦ୍ଦଳ ବାଦନ ପରିବେଷଣ କରିଥିଲେ ସୌମ୍ୟରଞ୍ଜନ ନାୟକ, ଅତିଥି କଳାକାର ଏବଂ କାର୍ଯ୍ୟକ୍ରମ ଶେଷରେ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ, ଅତିଥି କଳାକାର ମିନତୀ ପ୍ରଧାନ । ବାଦ୍ୟଯନ୍ତ୍ରରେ ସେମାନଙ୍କୁ ସହଯୋଗ କରିଥିଲେ – ଗୁରୁ କେଶବ ଚନ୍ଦ୍ର ରାଉତ, ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ (ସୀତାର୍), ରମେଶ ଚନ୍ଦ୍ର ଦାଶ (ବେହେଲା), କାଳନ୍ଦୀ ଚରଣ ପରିଡ଼ା (ମର୍ଦ୍ଦଳ) । ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର । ଉକ୍ତ କାର୍ଯ୍ୟକ୍ରମ ଦର୍ଶକ ମହଲରେ ବେଶ୍ ଆଦୃତ ହେବା ସହିତ ଏହିପରି କାର୍ଯ୍ୟକ୍ରମ ଅଧିକ ଆୟୋଜନ ହେବା ନିମନ୍ତେ ଦର୍ଶକ ମହଲରେ ଆଲୋଚନା ପ୍ରକାଶ ପାଇଛି ।