ଶୋଚନୀୟ ପରାଜୟ

ଭାରତ ବିଶ୍ୱଗୁରୁ ହେବ ବୋଲି ପ୍ରଚାର କରୁଥିବା ୫୬ ଇଞ୍ଚ ଛାତିର କଥା କହୁଥିବା ବ୍ୟକ୍ତି ଦୀର୍ଘ ମାସ ହେବ ଯନ୍ତ୍ରଣାରେ ଥିବା ମଣିପୁର ରାଜ୍ୟର ଜନସାଧାରଣଙ୍କ ପାଖକୁ ଯାଇପାରିଲେ ନାହିଁ; କିନ୍ତୁ ବାଜେ,ବ୍ୟୟବହୁଳ,ଉତ୍ତମ ମାନବମାନଙ୍କ ମନକୁ ଅଶାନ୍ତି ଏବଂ ପଥଭ୍ରଷ୍ଟ କରୁଥିବା ଖେଳ ଦେଖିବାକୁ ନଭେମ୍ବର ୧୯ ତାରିଖ ଦିନ ଅହମ୍ମଦାବାଦଠାରେ ପହଞ୍ଚିଥିଲେ । ଖେଳ ଦେଖିବାକୁ ଯିବା ପାଇଁ ଯେତିକି ଟଙ୍କା ଦେଶର ରାଜକୋଷରୁ ଖର୍ଚ୍ଚ ହେଲା ସେହି ଟଙ୍କା ଅନୁନ୍ନତ ଅଞ୍ଚଳ କିମ୍ବା ଅନାଥ ଆଶ୍ରମକୁ ଦାନ କରିଥିଲେ ମାନବ ଜାତିର ମଙ୍ଗଳ ହୋଇପାରିଥାନ୍ତା । କ୍ରିକେଟ୍ ଗୋଟାଏ ଅତି ସରଳ ଏବଂ ସାଧାରଣ ଖେଳ । ପିଲାଠାରୁ ବୃଦ୍ଧ ଅତି ସାଧାରଣ ଭାବେ ବୁଝି ପାରନ୍ତି ଏବଂ ଖେଳି ପାରନ୍ତି । ଭାରତବାସୀ ଜାଣିବା ବିଷୟ ପ୍ରଧାନମନ୍ତ୍ରୀ ପଦ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ । ପଦବୀର ସମୟ ନଷ୍ଟ କରିବା ଅର୍ଥ ମାନେ ଦେଶର ବିକାଶର କ୍ଷତି କରିବା । ସମୟ ନଷ୍ଟ ହେଲେ ଫେରି ପାଇବା ଅସମ୍ଭବ । କିନ୍ତୁ ଅବସର ପରେ କେବେ ନା କେବେ ଖେଳ ଦେଖିବାର ସମୟ ମିଳିବ । ଖେଳ ଦେଖିବା ପାଇଁ ଅଯଥା ଟଙ୍କା ବ୍ୟୟ କରିବା ଆଦୌ ଗ୍ରହଣୀୟ ନୁହେଁ । ଟଙ୍କା ଗଛରେ ଫଳେ ନାହିଁ । ଅଜସ୍ର ପରିଶ୍ରମ କଲେ ଟଙ୍କା ମିଳିଥାଏ । ତେଣୁ ଭାବିଚିନ୍ତି ଟଙ୍କା ବ୍ୟୟ କରିବା ଆବଶ୍ୟକ । ଜନସାଧାରଣଙ୍କ ଟିକସ ଟଙ୍କାରେ ଦେଶ ଚାଲେ । ସେହି ଟିକସ ଟଙ୍କାକୁ ଖେଳ ଏବଂ ଅଯଥା ଆତ୍ମପ୍ରଚାରରେ ବିନିଯୋଗ କରିବା ଶାସ୍ତ୍ର ବିରୋଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ରାଜକୋଷରୁ ମନଇଚ୍ଛା ନିଜର ଫାଇଦା ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି । ଅଯଥା ଖର୍ଚ୍ଚରେ ମାନ୍ୟବରଙ୍କୁ କ’ଣ ଲାଭ ମିଳିଲା? ତାଙ୍କ ନାମରେ ନାମିତ ଷ୍ଟାଡ଼ିୟମରେ, ନିଜ ରାଜ୍ୟରେ ଅନୁଷ୍ଠିତ ଖେଳରେ ଏବଂ ନିଜେ ଉପସ୍ଥିତ ରହି ଖେଳ ଦେଖିବା ମାନ୍ୟବରଙ୍କୁ କିଛି ଫାଇଦା ମିଳିଲା କି? କେବଳ ମିଳିଲା ଇତିହାସରେ ନାମ ରହିବା ପାଇଁ । ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତ ଶୋଚନୀୟ ପରାସ୍ତ ହେଲା । ପ୍ରଧାନମନ୍ତ୍ରୀ ମହୋଦୟ ଆପଣ ନିଜ ପଦମର୍ଯ୍ୟାଦା ରକ୍ଷା କରନ୍ତୁ । ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ନାମରେ ନାମିତ ହୋଇଥିବା ଷ୍ଟାଡ଼ିୟମକୁ ନିଜ ନାମରେ କରାଇ ନେଇଥିବାରୁ ପ୍ରାୟଶ୍ଚିତ କରି ପୁଣି ଲୌହ ମାନବ ପଟ୍ଟେଲଙ୍କ ନାମରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ । ନାମ ପରିବର୍ତ୍ତନ କାରଣ ମଧ୍ୟ ସର୍ବସାଧାରଣ ଜାଣିବା ପାଇଁ ମିଡ଼ିଆ ମାଧ୍ୟମରେ ପ୍ରକାଶ କରାନ୍ତୁ । ଦୁଇଟି ବିଶ୍ୱକପ ବିଜୟ କରାଇଥିବା ଭାରତୀୟ ଦଳର ଅଧିନାୟକ କପିଲ ଦେବ ଏବଂ ମହେନ୍ଦ୍ର ସିଂଧୋନୀଙ୍କୁ ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚରେ ଅତିଥି ଭାବେ କାହିଁକି ଆମନ୍ତ୍ରଣ କରାଗଲା ନାହିଁ । ସେହି ବିଷୟରେ ଆପଣଙ୍କ ସାଥୀ ଅମିତ ଶାହାଙ୍କ ପୁଅ ତଥା ବିସିସିଆଇର ସଂପାଦକ ଜୟ ଶାହାଙ୍କୁ ତାଗିଦ୍ କରି ପଚାରନ୍ତୁ । ଭାରତର ଉତ୍ସବ ଏବଂ କାର୍ଯ୍ୟକ୍ରମରେ ଭାରତୀୟଙ୍କ ଗର୍ବ ଓ ଗୌରବଙ୍କ ଅଧିକାର ଅଛି । ମନମାନି କାର୍ଯ୍ୟ ଦେଶ ପାଇଁ ଶୁଭଙ୍କର ନୁହେଁ । ଯେମିତି ଭାରତ ଅଷ୍ଟ୍ରେଲିଆଠାରୁ ଅତି ଶୋଚନୀୟ ଭାବେ ପରାଜୟ କଲା ଏହାର ଏକ ବଡ଼ ଉଦାହରଣ ।