ଭୁବନେଶ୍ୱର : ଶାନ୍ତିପ୍ରିୟ ଓଡିଶା ରାଜ୍ୟରେ ଦିନକୁ ଦିନ ଅପରାଧ ପ୍ରବଣତା ବଢିଚାଲିଛି । ଅପରାଧିମାନଙ୍କ ଚରାଭୁଇଁ ପାଲଟିବା ସହିତ ଭିତିଭୂମି ସୁଦୃଢ ହେବାରେ ଲାଗିଛି । ସଦ୍ୟ ପ୍ରକାଶିତ ଏନ୍ସିଆର୍ବି ରିପୋର୍ଟରେ ଓଡିଶାରେ ବଢିଚାଲିଥିବା ଅପରାଧ ସଂପର୍କିତ ତଥ୍ୟ ଚିନ୍ତାର କାରଣ । ଯେଉଁଠି ପୋଲିସ୍ ନିଜେ ଭୟଭୀତ, ସେଇଠି ସାଧାରଣ ଜନତା କେତେ ଯେ ଭୟଭୀତ ହୋଇନଥିବେ ? ସବୁଠୁ ବଡ ପ୍ରଶ୍ନ ହେଉଛି, “ପୋଲିସ୍ ଏତେ ଭୟଭୀତ କାହିଁକି ଏବଂ କାହା ଚାପରେ” ? ୨୩ ବର୍ଷର ନିରୁଙ୍କଶ ଶାସନ ପରେ ବି ଆଜି ଓଡିଶାରେ କାହିଁକି ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି ? “ସଦ୍ୟ ପ୍ରକାଶିତ ଏନ୍ସିଆର୍ବି ରିପୋର୍ଟର ତଥ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ପୋଲିସ୍ ଏବଂ ଏହାକୁ ପୂର୍ଣ୍ଣ ସହଯୋଗ କରୁଛି ବିଜେଡି ସରକାର” ବୋଲି ରାଜ୍ୟ ସଂପାଦକ ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି । ମଙ୍ଗଳବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ତଥା ଭଟ୍ଲି ବିଧାୟକ ସୁଶାନ୍ତ ସିଂହଙ୍କ ଉପସ୍ଥିତିରେ ବହୁଚର୍ଚ୍ଚିତ ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ଆଜି ମାସେ ବିତିଲା । ଥାନା ଭିତରେ ପସି ଭଙ୍ଗାରୁଜା କରିବା ସହିତ ସରକାରୀ ସଂପତି ନଷ୍ଟ କରାଗଲା । ଗତ ୫ ନଭେମ୍ବର ଦିନ ଥାନା ଭଙ୍ଗାରୁଜା ଘଟଣାରେ ତଥ୍ୟ, ଭିଡିଓ ଫୁଟେଜ୍ ଆଧାରରେ ୧୦୨ ଜଣ ଅଭିଯୁକ୍ତଙ୍କ ସମେତ ଅନ୍ୟାନ୍ୟ ସଂପୃକ୍ତଙ୍କ ନାମରେ ମାମଲା ରୁଜୁ କରାଗଲା । କାର୍ଯ୍ୟରତ ପୋଲିସ୍ ଅଧିକାରୀମାନଙ୍କୁ ଗାଳି ଓ ମରଣାନ୍ତକ ଆକ୍ରମଣ କରାଗଲା । ମାରାତ୍ମକ ଅସ୍ତ୍ରଶସ୍ତ୍ର ଦ୍ୱାରା ଆକ୍ରମଣ, ହତ୍ୟା ଧମକ ଓ ଉଦ୍ୟମ, ଲୋକ ସେବକଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଡକାୟତି, ଏସ୍ଟି ଏସ୍ସି ଆଟ୍ରୋସିଟି ଭଳି ବିଭିନ୍ନ ସଙ୍ଗୀନ ଦଫା ଆଧାରରେ ମାମଲା ରୁଜୁ କରାଗଲା । ଚିହ୍ନିତ ୧୦୨ ଜଣଙ୍କ ଭିତରୁ ମାତ୍ର ୪ ଜଣ ଏବଂ ଅନ୍ୟାନ୍ୟଙ୍କ ଭିତରୁ ୧୮ ଜଣ, ଏଭଳି ସର୍ବମୋଟ ୨୨ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ବର୍ତମାନ ସୁଦ୍ଧା ଅନ୍ୟାନ୍ୟଙ୍କ ଭିତରୁ ୧୩ ଜଣଙ୍କୁ ବେଲ୍ ମିଳିସାରିଲାଣି । ଏହି ଘଟଣାରେ ପୋଲିସ୍ ନିଜେ ଅଭିଯୋଗକାରୀ, ଆକ୍ରମଣରେ ନିଜେ ଆହତ ଏବଂ ନିଜେ ମଧ୍ୟ ସାକ୍ଷୀ । ‘କେଶ ଡାୟରୀ’ ଦାଖଲ ନହେବା ପର୍ଯ୍ୟନ୍ତ ପୋଲିସ୍ କୋର୍ଟରେ ଉପସ୍ଥିତ ରହୁଥିଲେ, କିନ୍ତୁ ‘କେଶ ଡାୟରୀ’ ଦାଖଲ ହେବା ପରେ ନିଜେ ପୋଲିସ୍ ଯିଏକି ଅଭିଯୋଗକାରୀ ଅନୁପସ୍ଥିତ ରହିଲେ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ପୋଲିସ୍ ହାଜର ହେଲେ ନାହିଁ । ଏହା ହିଁ ପୋଲିସ୍ ପ୍ରଶାସନ ଏବଂ ଶାସକ ବିଜେଡିର ମଧୁଚନ୍ଦ୍ରିକାକୁ ସ୍ପଷ୍ଟ କରିଛି । ଏହି ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଜାମିନ ଦେବା ପାଇଁ ଖୋଦ୍ ପୋଲିସ୍ ସହାୟତା କରୁଛି । ଏଭଳି ସଙ୍ଗୀନ ଘଟଣାକୁ ଚାପି ଦେବା ପାଇଁ ଶାସକ ବିଜେଡି ଉଦ୍ୟମ କରୁଛି । ‘ମୋ ପୋଲିସ୍’ ବର୍ତମାନ ‘ବିଜେଡି ପୋଲିସ୍’ରେ ପରିଣତ ହୋଇସାରିଛି । ଏହା କ’ଣ ‘ମୋ ପୋଲିସ୍’ର ଦକ୍ଷତା ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂହଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ? ଦଙ୍ଗାରେ ସଂପୃକ୍ତ ଥିବା ଶାସକ ବିଜେଡିର ନେତା ଓ କର୍ମୀ, ଶାସକ ଦଳର ଜନ ପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କୁ କାହିଁକି ଗିରଫ କରାଯାଉନାହିଁ ? ସ୍ଥାନୀୟ ପୋଲିସ୍ ପ୍ରଶାସନ ଏବଂ ରାଜ୍ୟ ସରକାର ଯଦି ଅକ୍ଷମ, ତାହେଲେ ଜନସାଧାରଣଙ୍କ ସୁରକ୍ଷା ସ୍ୱାର୍ଥରୁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ଶ୍ରୀ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।