ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କୃଷିବୀମା ନ ମିଳିଲେ ଧାରଣା ଓ ବିକ୍ଷୋଭ

ଭୁବନେଶ୍ୱର: ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପୂର୍ବରୁ ରାଷ୍ଟ୍ରୀୟ କୃଷି ବୀମା ଯୋଜନା ମାଧ୍ୟମରେ ବୀମା କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରାଯାଉଥିଲା । ଫଳରେ ଚାଷୀ ସହଜରେ ବୀମା କ୍ଷତି ପୂରଣ ପାଇପାରୁ ଥିଲେ । କିନ୍ତୁ ୨୦୧୬ ଖରିଫ୍‌ଠାରୁ ଦେଶରେ ମୋଦୀ ସରକାରର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯିବା ଫଳରେ ଏଥିରେ ଚାଷୀ ଲାଭବାନ ହେବା ପରିବର୍ତ୍ତେ ହାତ ଗଣତି କେତୋଟି ଘରୋଇ ବୀମା କମ୍ପାନୀ ଓ ସରକାରଙ୍କ ମଧୁ ଚନ୍ଦ୍ରିକାରେ ସରକାର ଓ କମ୍ପାନୀମାନେ ମାଲାମାଲ ହେଉଛନ୍ତି । ଲକ୍ଷ ଲକ୍ଷ ଚାଷୀ ଠିକଣା ସମୟରେ ବୀମା ପ୍ରିମିୟମ ପଇଠ କରି ଏବେ ବୀମା ସହାୟତା ପାଇବାରୁ ବଞ୍ଚିତ । ୨୦୨୧ ଖରିଫ୍ ଋତୁରେ ବଲାଙ୍ଗିର ଜିଲ୍ଲାର ୮୦ଟି ଗ୍ରାମ ପଞ୍ଚାୟତର ଚାଷୀ କୃଷି ବୀମା କରିଥିଲେ ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀଙ୍କୁ ଏବେ ସୁଦ୍ଧା କ୍ଷତି ପୂରଣ ଦିଆ ଯାଇନାହିଁ । କିଷାନ କଂଗ୍ରେସ ସମେତ ବହୁ ଚାଷୀ ସଂଗଠନ ତୁରନ୍ତ ବୀମା ଅର୍ଥ ପ୍ରଦାନ କରିବାକୁ ବାରମ୍ବାର ଦାବୀ କରି ଆସୁଥିବା ବେଳେ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ଚାଷୀଙ୍କୁ ପ୍ରତାରିତ କରି ଚାଲିଛନ୍ତି । ୨୦୨୧ ବର୍ଷରେ ଫସଲ କ୍ଷତିଗ୍ରସ୍ତ ଲାଗି ୧୩୬୦କୋଟି ଟଙ୍କାର ବୀମା ସହାୟତା ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ଯୋଗାଇଦେବାର ଥିଲା । କିନ୍ତୁ ଚାଷୀଙ୍କୁ ୯୪୦ କୋଟି ଟଙ୍କା ବୀମା ରାଶି ବଣ୍ଟନ କରାଯାଇ ଆଉ ଅବଶିଷ୍ଠାଂଶ ଟଙ୍କା ବୀମା କମ୍ପାନୀ ଚାଷୀଙ୍କୁ ଗତ ଏପ୍ରିଲ ମାସ ସୁଦ୍ଧା ପ୍ରଦାନ କରିବା କଥା । ବର୍ତ୍ତମାନ ଆଉ ପ୍ରାୟ ୪୨୦ କୋଟି ଟଙ୍କା ବୀମା ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରା ନ ଯିବା ଏକ କ୍ଷୋଭର ବିଷୟ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୃଷକସେଲ୍ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଉଭୟ ସରକାରଙ୍କ ଚାଷୀମାରଣ ନୀତିର ତୀବ୍ର ନିନ୍ଦା କରିଛନ୍ତି । ସରକାର ଏବେ ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି । ଯଦି ଆସନ୍ତା ୧୫ ଦିନ ମଧ୍ୟରେ ବଲାଙ୍ଗିର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ଫସଲ କ୍ଷତିଗ୍ରସ୍ତ ଏପରି ଚାଷୀଙ୍କୁ ବୀମା କ୍ଷତିପୂରଣ ରାଶି ପ୍ରଦାନ ନ କରନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁଯାୟୀ ସଂପୃକ୍ତ ବୀମା କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଧାରଣ, ବିକ୍ଷୋଭ ଓ ପ୍ରତିବାଦ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।   

Leave a Reply

Your email address will not be published. Required fields are marked *