ତୁମେ କହିବା ପାଇଁ କିଏ ?

ଅଯୋଧ୍ୟାରେ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ଏବଂ ଶ୍ରୀରାମଙ୍କ ମୂର୍ତ୍ତି ପ୍ରତିଷ୍ଠା ହେବ । ଏଥିପାଇଁ ଆୟୋଜିତ ଉତ୍ସବକୁ ନେଇ ଭାରତର ଚାରି ଜଣ ଶଙ୍କରାଚାର୍ଯ୍ୟ ଯାହା କହୁଛନ୍ତି ତାହା ସଂପୂର୍ଣ୍ଣ ଠିକ୍ । ଉତ୍ସବକୁ ନଯିବା ପାଇଁ କଂଗ୍ରେସ ସହିତ ଅନ୍ୟାନ୍ୟ ରାଜନୈତିକ ଗୋଷ୍ଠୀ ଯେଉଁ କଥା କହୁଛନ୍ତି ଏବଂ ନିଷ୍ପତ୍ତି ନେଇଛନ୍ତି ତାହା ବି ସଂପୂର୍ଣ୍ଣ ଠିକ୍ । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଭାରତର ଉତ୍ସବ ନୁହେଁ । ଏହା ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଉତ୍ସବ । ସ୍ୱାଧୀନତା ଦିବସ (ଅଗଷ୍ଟ ୧୫), ଗଣତନ୍ତ୍ର ଦିବସ (ଜାନୁଆରୀ ୨୬) ଏବଂ ଗାନ୍ଧି ଜୟନ୍ତୀ (ଅକ୍ଟୋବର ୨) ହିଁ ୧୫୦ କୋଟି ଭାରତୀୟଙ୍କ ପ୍ରକୃତ ଉତ୍ସବ । ଶ୍ରୀରାମ ମନ୍ଦିର ପ୍ରତିଷ୍ଠାକୁ କିଏ ଯିବେ ନଯିବେ ସେ ବିଷୟରେ ବିଜେପି ଏବଂ ଆରଏସ୍‌ଏସ୍ ବାଲା କହିବା ପାଇଁ କିଏ? ସେମାନେ କ’ଣ ସମସ୍ତଙ୍କ ସୃଷ୍ଟି କର୍ତ୍ତା କି? ଭାରତ ସରକାର ଏହି ଉତ୍ସବ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ମଧ୍ୟ ଠିକ୍ ନୁହେଁ । ଭାରତର ଋଣ ଭାର ଦ୍ରୁତ ଗତିରେ ବଢ଼ିଚାଲିଛି । World Bank ଏବଂ I.M.F ଖାତାରେ ଭାରତର ଋଣ ୨୦୫ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି । ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଆମ ହିନ୍ଦୁ ଧର୍ମର ଚାରି ଶଙ୍କରାଚାର୍ଯ୍ୟ ଯେଉଁ ଉପଦେଶ ଦେଉଛନ୍ତି ସେହି ପ୍ରକାରେ କାର୍ଯ୍ୟ କରିବା ଆବଶ୍ୟକ । ସେମାନେ ହେଉଛନ୍ତି ହିନ୍ଦୁ ଧର୍ମର ମାର୍ଗଦର୍ଶକ । ମାର୍ଗଦର୍ଶକଙ୍କ କଥା ଯଦି ନମାନି, ରାଜନୀତି ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ତେବେ ଦେଶ ପାଇଁ ଶୁଭଙ୍କର ନୁହେଁ । ଶ୍ରୀରାମ ନବମୀ ଦିନ ଶ୍ରୀରାମ ମନ୍ଦିର ଏବଂ ତାଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଥିଲେ ଶାସ୍ତ୍ର ସମ୍ବନ୍ଧୀୟ ହୋଇଥାନ୍ତା । ସବୁ କାର୍ଯ୍ୟ ବିଧିବିଧାନରେ ହେଲେ ସମସ୍ତଙ୍କ ମନରେ ଖୁସି ଆଣି ଦେଇଥାନ୍ତା । ସମୀର କୁମାର ସିଂହ, ସଂପାଦକ,ଓଡ଼ିଶା ନ୍ୟୁଜ୍