ଯେଉଁ ଚାଷୀମାନଙ୍କର ୫ ଏକର ରୁ ଅଧିକ ଚାଷ ଜମି ଥାଏ ସେ କଣ ତା ଜମିକୁ ପଡିଆ ପକେଇ ଦେବ କି ?

ଓଡ଼ିଶା ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ପ୍ରାୟ ୮୦ ହଜାର ଚାଷୀଙ୍କ ଜମିରେ  ବୋରେୱାଲ ଲାଗିବ । ବହୁତ୍ ଭଲ କଥା ଚାଷୀଙ୍କୁତ ପ୍ରାଥମିକତା ଦିଆଯିବ ଦରକାର । ଏଥିରେ ସରକାର ୯୫% ଆର୍ଥିକ ଅନୁଦାନ ପ୍ରଦାନ କଲାବେଳେ ଚାଷୀଙ୍କୁ କେବଳ 5% ଦେବାକୁ ହେବ । ସୂଚନା ଅନୁଯାୟୀ ବିଜୁ କୃଷକ ବିକାଶ ଯୋଜନାରେ ଯେଉଁ ମାନେ ଦରଖାସ୍ତ ଦାଖଲ କରିଥିବା ସେହି ମାନଙ୍କୁ କେବଳ ଏହାର ସୁବିଧା ମିଳିବ । ଯେଉଁ ମାନେ ଭୁଲବଶତଃ ଦରଖାସ୍ତ ଦାଖଲ କରି ନାହାଁନ୍ତି ସେମାନଙ୍କ ପାଇଁ ଆଉ କିଛି ନିୟମ ନାହିଁ । ରାଜ୍ୟରେ ତ କେବଳ 80 ହଜାର ଚାଷୀ ନାହାନ୍ତି । ଓଡ଼ିଶାର ଲୋକ ସଂଖ୍ୟାର 76% ହେଉଛନ୍ତି ଚାଷୀ । ଯେଉଁ କୃଷକଙ୍କ ର 5 ଏକର ପର୍ଯ୍ୟନ୍ତ ଜମି ଥିବ ସେମାନେ କେବଳ ଏହି ନିୟମର ପରିସର ଭୁକ୍ତ ହୋଇ ପାରିବେ । କିନ୍ତୁ ଯାହାର ଅଧିକ ଜମି ଥିବ ସେମାନଙ୍କର କଣ ଚାଷ ପାଇଁ ପାଣି ର ଆବଶ୍ୟକତା ନାହିଁ,ସେମାନେ କାହା ଉପରେ ନିର୍ଭର କରିବେ । କାରଣ ଓଡ଼ିଶାରେ କେନାଲ ଗୁଡ଼ିକର ଅବସ୍ଥା ଯାହା ସେଥିରେ ଲୋକମାନେ ପାଣି ଠିକ୍ ରୂପେ ପାଇ ପାରନ୍ତି ନାହିଁ । ଯଦିବା ପାଣି ଆସେ ତେବେ ତାହା କେନାଲର  ଶେଷ ମୁଣ୍ଡ ରେ ପହଞ୍ଚେ ନାହିଁ । ସବୁଠାରୁ ବଡ ଅସୁବିଧା ଏହିକି ଯେ ଚାଷୀଙ୍କ ଠିକ୍ ଚାଷ ସମୟରେ ପାଣି ଛଡା ଯାଏ ନାହିଁ । ଜଳସେଚନ ବିଭାଗର ଅଧିକାରୀମାନେ ତାଙ୍କ ଇଚ୍ଛାରେ କେନାଲ ରେ ପାଣି ଛାଡନ୍ତି । କୌଣସି ଦିନ ବିଭାଗୀୟ ମନ୍ତ୍ରୀ,ଉଚ୍ଚ ଅଧିକାରୀ କେନାଲ ପରିଦର୍ଶନ ରେ ଯାଆନ୍ତି ନାହିଁ ବା ସେମାନଙ୍କୁ ପଚାରିଲେ ମଧ୍ୟ କହିପାରିବେ ନାହିଁ ଯେ ଓଡ଼ିଶାରେ କେତେ କେନାଲ ଅଛି  କେଉଁ କେନାଲ କେଉଁ ଆଡ଼େ ଯାଇଛି ଓ କାହାର ଅବସ୍ଥା କିପରି । ଏହା ଏକ ବଡ ଦୁଃଖ ଦାୟକ ଘଟଣା । ଯେଉଁ ଚାଷୀ ମାନଙ୍କ ର 5 ଏକର ରୁ ଅଧିକ ଚାଷ ଜମି ଥାଏ ସେ କଣ ତା ଜମିକୁ ପଡିଆ ପକେଇ ଦେବ କି ? ଏହା କି ପ୍ରକାର ର ନିୟମ ଏବେ ଯେମିତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ଗରିବୀ ସୀମା ରେଖା ତଳେ ଥିବା ତାଲିକାରେ ଅନ୍ତର୍ଭୁକ୍ତ ଲୋକଙ୍କୁ ହିଁ ଏହି ସେବା ମିଳିବ । ଏହି ଯୋଜନା ରେ ସ୍ପଷ୍ଟ ଭାବରେ ଆଇନ ଅଛି ଯେ ଯେଉଁ ମାନେ ପେନସନ ପାଉଥିବେ ସେମାନେ ଏହି ଯୋଜନା ର ଲାଭ ପାଇପାରିବେ ନାହିଁ  । ଯେତେ ଲୋକ ପେନସନ ପାଉଛନ୍ତି ସମସ୍ତେ କଣ ଉଚ୍ଚ ପଦବୀର ଅଧିକାରୀ କି ? ଅନେକ ଚତୁର୍ଥ ଶ୍ରେଣୀ କର୍ମଚାରୀ , ସ୍ଵିପର ,ଝାଡୁଦାର ,ସରକାରୀ କର୍ମଚାରୀ ହୋଇ ମଧ୍ୟ କେତେ ପେନସନ ପାଉଛନ୍ତି ତାହା ସରକାର ଙ୍କୁ ଭଲ ଭାବରେ ଅବଗତ ଅଛି । ତେବେ ସେପରି ଲୋକମାନେ କାହିଁକି ଏହି ସୁବିଧାର ଫାଇଦା ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ।   ଯେଉଁ ଦେଶ ବା ରାଜ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନ ରେ ଯେତେ ଉନ୍ନତ ସେ ରାଜ୍ୟ ସେତେ ଉନ୍ନତ । ଖାଲି ଘୋଷଣା କରିଦେଲେ ସବୁ ହୋଇ ଯାଏନି । ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର ହୁଅନ୍ତୁ ଯେତେ ସବୁ ଚାଷୀ ଙ୍କ ପାଇଁ ଯୋଜନା ସବୁ ହେଉଛି ତାର ସୁଫଳ କେବଳ ମଧ୍ୟସ୍ଥି ମାନେ ହିଁ ତାର ଫାଇଦା ଉଠାନ୍ତି । ତାହାର କାରଣ ଏହି ଯେ ସରକାର ହେଉ ଯୋଜନା କରନ୍ତି ପରବର୍ତ୍ତୀ ସମୟରେ ନା ବିଭାଗୀୟ ମନ୍ତ୍ରୀ ବା ଉଚ୍ଚ ପଦସ୍ଥ ଅଧିକାରୀ ମାନେ କେହି ତଦାରଖ ପାଇଁ ଯାଆନ୍ତି ନାହିଁ । ଅନେକ ଛୋଟ ଛୋଟ ଚାଷୀ କଠିନ ପରିଶ୍ରମ କରି ଯେଉଁ ଉତ୍ପାଦନ କରନ୍ତି ଯଦି ତାହା ବଳକା ହେଲା ତେବେ ତାର ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ । ଯଦି ବା କେଉଁଠି ଅଛି ତାହା କାମ କରୁନି ।ତେବେ ଚାଷୀ କଣ କରିବ ? ଏ କ୍ଷେତ୍ର ରେ ଚାଷୀ ମାନେ ଅତି କମ ମୂଲ୍ୟରେ ପାଖ ପଡୋଶୀ ରାଜ୍ୟ ର ବେପାରୀ ବା ନିଜ ରାଜ୍ୟର ବେପାରୀ ଙ୍କୁ ବିକି ଦେଉଛନ୍ତି । ଏବେ ଯେଉଁ ବିଜୁ କୃଷକ କଲ୍ୟାଣ ଯୋଜନା ରେ ଚାଷୀ ଙ୍କ ଜମିରେ ବୋରୱେଲ ରିହାତି ଦରରେ ଲଗାଇବାକୁ ଚେଷ୍ଟା କରୁଛନ୍ତି ଯଦି ବିଭାଗୀୟ ମନ୍ତ୍ରୀ ଓ ବିରଷ୍ଠ ଅଧିକାରୀ ମାନେ ପ୍ରକୃତ ତଦାରଖ ନ କରନ୍ତି ତେବେ ଏହା ମଧ୍ୟ କାହାକୁ ମେଞ୍ଚେ କାହାକୁ କେଞ୍ଚେ ପରି ହେବ ।

ପ୍ରଦୀପ୍ତ କୁମାର କର,ପ୍ଲଟ ନଂ ୨୫,ସୂର୍ଯ୍ୟ ନଗର,ଭୁବନେଶ୍ୱର,୯୮୬୧୦୭୫୪୦୪