ସମଲେଇ ପ୍ରକଳ୍ପର ଲୋକାର୍ପଣ ।

ଭୁବନେଶ୍ଵର : ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ । ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ମା ଙ୍କ ଦର୍ଶନ ଓ ପ୍ରାର୍ଥନା କରି ଓଡ଼ିଶା ବାସୀଙ୍କ ସୁଖ, ଶାନ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ତା ପରେ, ଶହ ଶହ ସାଧୁ, ସନ୍ଥ, ସେବକ, ପଣ୍ଡିତଙ୍କ ଗହଣରେ ଯଜ୍ଞ, ହୋମ, ଓ ମନ୍ତ୍ର ଧ୍ବନିରେ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ସମଲେଇ ପ୍ରକଳ୍ପ ହେଉଛି Samaleswari Temple Area Management and Local Economic Initiative. ୨୦୨୧ ଫେବୃଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୨୦୨୨ ମେ ୧୪ ତାରିଖ ଠାରୁ କାମ ଆରମ୍ଭ ହୋଇଥିଲା । 5T ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି । ପ୍ରତି ଏକ ମାସ, ଦୁଇ ମାସ ସମୟ ବ୍ୟବଧାନରେ ଶ୍ରୀ ପାଣ୍ଡିଆନ ସମ୍ବଲପୁର ଯାଇ ପ୍ରକଳ୍ପର ସମୀକ୍ଷା କରିଥିଲେ । ମନ୍ଦିର ଭିତରେ ପ୍ରାୟ ୬ ଏକର ପରିମିତ ଅଂଚଳରେ ଉନ୍ନୟନ କାର୍ଯ୍ୟ କରାଯାଇଛି । ଭୋଗ ମଣ୍ଡପ, ପୂଜକ ମାନଙ୍କ ବିଶ୍ରାମ ଗୃହ, ଭକ୍ତ ମାନଙ୍କ ଜିନିଷ ପତ୍ର ରଖିବା ପାଇଁ କ୍ଲୋକ ରୁମ୍, ପ୍ରସାଦ ସେବନ ଦୃହ, ଭୋଗ ବିକ୍ରୟ ଗୃହ, ପର୍ଯ୍ୟଟକ ସୂଚନା କେନ୍ଦ୍ର, Cafeteria, ଆଦି ନିର୍ମିତ ହୋଇଛି । ମନ୍ଦିର ବାହାରେ ଏକ କିଲୋମିଟର ଅଞ୍ଚଳ ରେ ପରିକ୍ରମା ର କରିଡ଼ର ନିର୍ମାଣ କରାଯାଇଛି। ସମସ୍ତ ନିର୍ମାଣ khandalites ପଥରରେ ନିର୍ମିତ ହୋଇଛି । ପାର୍କିଂ ରେ ୨୦୦ ୪- ଚକିଆ ଗାଡ଼ି ଓ ୨୦ ବସ ରହିବାର ବ୍ୟବସ୍ଥା ହୋଇଛି । ମୁଖ୍ୟମନ୍ତ୍ରୀ ସମସ୍ତ ନବ ନିର୍ମିତ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ପୁଷ୍କରିଣୀର ନୂଆ ରୂପ, ୱାଚ୍ ଟାୱାର, ପରିକ୍ରମା କରିଡ଼ର, ଚିତ୍ତାକର୍ଷକ ମହାନଦୀ ଘାଟ ସବୁ ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରି ଥିଲେ । ମହାନଦୀ ରିଭର୍ ଫ୍ରଣ୍ଟ ଦ୍ରୁଶ୍ୟ ଅତୀବ ରମଣୀୟ ହୋଇଛି । ଏହା ୩୫୦ ମିଟର ଦୀର୍ଘ ଓ ୨୫ ମିଟର ପ୍ରସ୍ଥ ବିଶିଷ୍ଟ କରାଯାଇଛି । ଆଳତି ପାଇଁ ୩୧ ମିଟର ର ପ୍ଲାଟଫର୍ମ କରାଯାଇଛି ।ମହାନଦୀ ଘାଟ ଅତ୍ୟନ୍ତ ଚିତ୍ତାକର୍ଷକ ରୂପ ନେଇଛି । ଏଠାରେ ସ୍ଥାୟୀ ଭାବେ ମହାନଦୀ ଆଳତି ର ବ୍ୟବସ୍ଥା କରାଯାଇଛି । ୩୭ ମିଟର ଦୀର୍ଘ, ଓ ୬ ମିଟର ଉଚ୍ଚ ଏକ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି । ସୂଚନା ଯୋଗ୍ୟ ଯେ ମା ଙ୍କ ପୀଠକୁ ଦୈନିକ ଏବେ ୫ ରୁ ଦଶ ହଜାର ଭକ୍ତ ଆସୁଛନ୍ତି । ରୂପାନ୍ତର ପରେ ଦୈନିକ ୨୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି । ଏହା ସହିତ ପୂଜା ପାର୍ବଣ ଦିନରେ ୫୦ ହଜାର ରୁ ଏକ ଲକ୍ଷ ଭକ୍ତ ଆସିବାର ସମ୍ଭାବନା ରହିଛି । ଏହାଦ୍ବାରା ସ୍ଥାନୀୟ ଅର୍ଥନୀତିର ଉନ୍ନତି ହେବ । ଏହାସହିତ, ବିଶେଷକରି ପଶ୍ଚିମ ଓଡ଼ିଶାର ଶିଳ୍ପୀ, କାରିଗର ଓ ବୁଣାକାର ମାନେ ମଧ୍ୟ ଅଧିକ ରୋଜଗାର ପାଇବାର ସମ୍ଭାବନା ବୃଦ୍ଧି ପାଇବ । ମିଶନ ଶକ୍ତି କାଫେ ପରିଦର୍ଶନ କରି ମା ମାନଙ୍କ କାମର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପରେ ଦୃଢ଼ ଅବଦାନ ରଖିଥିବା ଶିଳ୍ପୀ, କାରିଗର ଓ ଶ୍ରମିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେମାନେ ହେଲେ ଲିଙ୍ଗରାଜ ମହାରଣା, ଶିଶିର ସାହୁ, ସାରଙ୍ଗ ମେହେର, ସୋମନାଥ ସାହୁ, ନିର୍ମଳ ମହାରଣା, ହରିହର ପ୍ରଧାନ, ଶୁଭ ଚାରଣ ବେହେରା, ଓ ସନ୍ତୋଷ । ଗୋପାଲ ଜୀଉ ମଠର ମହନ୍ତଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ସାତ ଜଣ ମହାନ୍ ବିଭୂତିଙ୍କୁ ମଧ୍ଯ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଭେଟି ଥିଲେ । ସେମାନେ ହେଲେ ଶ୍ରୀ ହଳଧର ନାଗ, ଶ୍ରୀ ଚତୁର୍ଭୁଜ ମେହେର, କ୍ରିଷ୍ଣା ପଟେଲ, ଶ୍ରୀ ଜୀତେନ୍ଦ୍ର ହରିପାଲ, ଶ୍ରୀ ବିନୋଦ ପଶାୟତ, ଶ୍ରୀ ମିତ୍ରଭାନୁ ଗୌନ୍ତିଆ ଓ ଶ୍ରୀ କୈଳାସ ଚନ୍ଦ୍ର ମେହେର ।