ବିଜେପି ଛାଡ଼ି ହାତ ଧରିଲେ ଲଲାଟେନ୍ଦୁ ଶତପଥୀ ।

ଭୁବନେଶ୍ୱର : ଓଡ଼ିଶାରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ବିଲୋପ ପାଇଁ ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁରୁବାର ଦିନ ବିଜେପି ନେତା ଲଲାଟେନ୍ଦୁ ଶତପଥୀ କଂଗ୍ରେସରେ ଯୋଗଦାନ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ସେ ଚିଲିକା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । କଂଗ୍ରେସ ଭଳି ଜାତୀୟ ଦଳରେ ସ୍ୱତନ୍ତ୍ର ନୀତି ଓ ଆଦର୍ଶ ରହିଥିବାବେଳେ ଦଳ ସର୍ବଦା ଗରିବ ଜନସାଧାରଣଙ୍କ ସହିତ ରହିଆସିଛି । ଦେଶରେ ଗଣତନ୍ତ୍ରର ସୁରକ୍ଷା କ୍ଷେତ୍ରରେ କଂଗ୍ରେସର ବଡ଼ ଯୋଗଦାନ ରହିଛି । ଖାଲି ସେତିକି ନୁହେଁ ସବୁ ପରିସ୍ଥିତିରେ ଦଳ ଗରିବ ଜନସାଧାରଣଙ୍କ ସ୍ୱର ହୋଇରହିଛି । ତେଣୁ ଲଲାଟେନ୍ଦୁ କଂଗ୍ରେସ ଆଦର୍ଶରେ ରହି ନୀତିନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଦଳରେ ଯୋଗ ଦେଇଥିବା କହିଛନ୍ତି । ଜଣେ ସ୍ୱାଧୀନଚେତା ବ୍ୟକ୍ତିତ୍ୱ ଭାବେ ପରିଚିତ ଲଲାଟେନ୍ଦୁ କେବଳ ଜଣେ ଆଦର୍ଶ ବ୍ୟକ୍ତି ନୁହନ୍ତି, ବରଂ ଅନେକ ସାମାଜିକ ସଂଗଠନ ପ୍ରତିଷ୍ଠା କରି ସେ ତୃଣମୂଳସ୍ତରରେ ଜନସାଧାରଣଙ୍କ ସେବା କରି ଚର୍ଚ୍ଚାରେ ରହିଛନ୍ତି । ଦକ୍ଷତା ବିକାଶ, ଓଡ଼ିଶା ଷ୍ଟାର୍ଟଅପ୍ ଭଳି କାର୍ଯ୍ୟକ୍ରମ ହାତକୁ ନେଇ ସେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଲଲାଟେନ୍ଦୁ ଭାରତୀୟ ଜନତା ପାର୍ଟିର ଆଇଟି ଓ ସୋସିଆଲ ମିଡିଆ କନ୍‌ଭେନର, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଓ ମିଡିଆ ପ୍ୟାନେଲିଷ୍ଟ ଭାବେ ଗୁରୁ ଦାୟିତ୍ୱ ନିର୍ବାହ କରୁଥିଲେ । ଓଡ଼ିଶା ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ସଭାପତି ବିଜୟ ପଟ୍ଟନାୟକ,ଏଆଇସିସି ସମ୍ପାଦକ ତଥା ରାଜ୍ୟ ସହ ପ୍ରଭାରୀ ଶାହନୱାଜ ଚୌଧୁରୀ, ଏଆଇସିସି ମିଡିଆ ପ୍ରଭାରୀ ବବିତା ଶର୍ମା ଓ ରାଜ୍ୟ ଗଣମାଧ୍ୟମ ଓ ଯୋଗାଯୋଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ ଶ୍ରୀ ଶତପଥୀ କଂଗ୍ରେସରେ ଯୋଗଦେଇଥିଲେ । ତାଙ୍କ ଯୋଗଦାନ କଂଗ୍ରେସକୁ ଆହୁରି କ୍ରୀୟାଶୀଳ ଓ ତୃଣମୂଳସ୍ତରରେ ସୁଦୃଢ଼ କରିବ ବୋଲି ପ୍ରଭାରୀ ଡ. ଅଜୟ କୁମାର ପ୍ରକାଶ କରିଛନ୍ତି ।