କେନ୍ଦୁପତ୍ର ତୋଳାଳି ପରିବାରର ଦୁଇଟି ଝିଅ ବାହାଘର ପାଇଁ ସହାୟତା,ପ୍ରତ୍ୟେକ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ।

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ କେତେକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଅନୁଯାୟୀ କେନ୍ଦୁ ପତ୍ର ତୋଳାଳୀମାନଙ୍କୁ ଚଳିତ ଫସଲ ଋତୁ ପାଇଁ ୫୦ ପ୍ରତିଶତ ବୋନସ୍‌ ମିଳିବ । ଏହି ବୋନସ୍ ପରିମାଣ ଗତ ବର୍ଷଠାରୁ ଦୁଇ ଗୁଣ ଅଟେ । ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ଜମା ହେବ । ସେହିପରି କେନ୍ଦୁ ପତ୍ର ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ Incentive ର ବ୍ୟବସ୍ଥା କରାଯାଇଛି । ସାମୟିକ କର୍ମଚାରୀଙ୍କୁ ଏକ ମାସ ଅଧିକ କାମ ଦିଆଯିବ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କେନ୍ଦୁ ପତ୍ର ପ୍ରତି ବିଡା ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି। କୋଡିଏ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୧ ଟଙ୍କା ୪୦ ପଇସାରୁ ଟଙ୍କା ୬୦ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଚାଳିଶ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୨ ଟଙ୍କା ୮୦ ପଇସାରୁ ୩ ଟଙ୍କା ୨୦ ପଇସାକୁ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ ଯେ ସାମୟିକ କର୍ମଚାରୀ ମାନଙ୍କ ମଜୁରୀ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି । ସେମାନଙ୍କର T.A. ଓ Cycle Allowance ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । କେନ୍ଦୁପତ୍ର ତୋଳାଳି ମାନେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିବେ। ପୂର୍ବରୁ ଏହି ବୟସ ସୀମା ୬୦ ବର୍ଷ ଥିଲା ।

ଘୋଷଣା ଅନୁଯାୟୀ ଆଗାମୀ ଅପ୍ରେଲ ମାସରୁ ଆରମ୍ଭ ହେଉଥିବା ନୂଆ ଫସଲ ଋତୁରେ କେନ୍ଦୁପତ୍ର ତୋଳାଳି ପରିବାରକୁ ଦୁଇଟି ଝିଅ ବାହାଘର ପାଇଁ ସହାୟତା ମିଳିବ । ପ୍ରତ୍ୟେକ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ ।
5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଆଜି ତାଙ୍କର ସମ୍ବଲପୁର ଜିଲ୍ଲା ଗସ୍ତ ଅବସରରେ ରେଢ଼ାଖୋଲ ସଭାରେ ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ
ଏବଂ ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କୀତ Video Message ବଜାଇ ଶୁଣାଇଥିଲେ

ସୂଚନାଯୋଗ୍ୟ ଯେ କେନ୍ଦୁପତ୍ର ହିତାଧିକାରୀମାନଙ୍କ ମଧ୍ୟରୁ ଶତକଡା ୮୦ ଭାଗ ମହିଳା ଅଟନ୍ତି ଏବଂ ୯୫ ପ୍ରତିଶତରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ମୁଖ୍ୟତଃ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଅଟନ୍ତି ।

କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହିସବୁ ପଦକ୍ଷେପ ଦ୍ବାରା ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ ଉପକାର ପାଇବେ ଏବଂ ରାଜ୍ୟ ସରକାର ଏଥିପାଇଁ ୧୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ।