ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି : ବ୍ୟବସାୟ ପାଇଁ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀମାନଙ୍କୁ ମିଳିବବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

‘ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ( Swatantra Yuba Udyami) । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ । ଏହି ଯୋଜନାରେ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧ ଲକ୍ଷ ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ତାଙ୍କ ନିଜ ବଜେଟରୁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଯୁବକ ଯୁବତୀମାନେ ବ୍ୟବସାୟ ବାଣିଜ୍ୟ ପାଇଁ ସରକାରଙ୍କ ସ୍ୱତନ୍ତ୍ର ସହାୟତା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂପର୍କିତ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଯାଇଥିଲା ଏବଂ ଆଜି ଏହା ଅନୁମୋଦନ ଲାଭ କରିଛି ।

ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନେ ସାମିଲ ହୋଇପାରିବେ । ଅନୁସୂଚିତ ଜାତି ଜନଜାତି ଓ ଭିନ୍ନକ୍ଷମ ବର୍ଗର ପିଲାଙ୍କ ପାଇଁ ଏହି ବୟମ ସୀମା ୧୮ ରୁ ୪୦ ବର୍ଷ । ଆବେଦନକାରୀଙ୍କ ପରିବାର କାଳିଆ କିମ୍ବା BSKY ଯୋଜନାରେ ସାମିଲ ହୋଇଥିବେ କିମ୍ବା ସେମାନଙ୍କ ବାର୍ଷିକ ପାରିବାରିକ ରୋଜଗାର ୨ ଲକ୍ଷରୁ କମ ହେବା ଆବଶ୍ୟକ । ପରିବାରର ଅର୍ଥ ଏଠାରେ ହେଉଛି ଆବେଦନକାରୀ ଓ ତାଙ୍କ ପତି ବା ପତ୍ନୀ । ଆବେଦନକାରୀଙ୍କର ଉଦ୍ୟମୀ ପଞ୍ଜିକୃତ କିମ୍ବା ଉଦ୍ୟମୀ ସହାୟତା ନମ୍ବର ରହିବା ଆବଶ୍ୟକ ।

ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆର୍ଥିକ ଅନୁଷ୍ଠାନରୁ ଋଣ ନେଇ Defaulter ହୋଇଥିବା କିମ୍ବା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଯୋଜନାର ବକୈୟା ଋଣ ଥିଲେ, ଆବେଦନକାରୀଙ୍କୁ ଏହି ଯୋଜନାର ସୁବିଧା ମିଳିବ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର କିମ୍ବା କୌଣସି ସରକାରୀ ଉଦ୍ୟୋଗର କର୍ମଚାରୀ ବା ସାମ୍ବିଧାନିକ ସଂସ୍ଥାର କର୍ମଚାରୀ ଏବଂ ତାଙ୍କ ପରିବାରଙ୍କୁ ଏହି ଋଣ ମିଳିବ ନାହିଁ । ପରିବାରର ଜଣେ ସଦସ୍ୟ ଏହି ସୁବିଧା ନେଇଥିଲେ ଅନ୍ୟ ସଦସ୍ୟ ଏହା ପାଇପାରିବେ ନାହିଁ ।

ଏହି ଯୋଜନାରେ ରାଜ୍ୟ ସରକାର ଅଣୁ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଉପଲବ୍ଧ 85 ପ୍ରତିଶତ ଋଣ ଗ୍ୟାରେଣ୍ଟି ବ୍ୟତିତ (Credit Guarantee Fund Trust for Micro and Small Enterprises (CGTMSE)) ଆହୁରି ୧୫ ପ୍ରତିଶତ ଋଣ ଗ୍ୟାରେଣ୍ଟି ପ୍ରଦାନ କରିବେ । ରାଜ୍ୟ ସରକାର ଋଣର ସମସ୍ତ ସୁଧ ଭାର ବହନ କରିବେ। CGTMSE ର ବାର୍ଷିକ ଗ୍ୟାରେଣ୍ଟି ଦେୟ ମଧ୍ୟ ରାଜ୍ୟ ସରକାର ବହନ କରିବେ ।

ଏଥିପାଇଁ ଆବେଦନକାରୀମାନଙ୍କୁ ଋଣ ପାଇଁ କୌଣସି ବନ୍ଧକ ବା Processing Fee ଦେବାକୁ ପଡିବ ନାହିଁ । ୪ ବର୍ଷରେ ଆବେଦନକାରୀମାନେ ମୂଳ ଋଣ ସୁଝି ପାରିବେ ।