୧୨୦ଟି ଭ୍ରାମ୍ୟମାଣ ଡାକ୍ତରୀଦଳ ଓ ୪୬ଟି ଡାକ୍ତରୀ ରିଲିଫ୍‌ ଶିବିର କାର୍ଯ୍ୟ କରୁଛି

‘ଫନୀ’ ପ୍ରଭାବିତ ଅଞ୍ଚଳରେ

ଭୁବନେଶ୍ୱର : ‘ଫନୀ’ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃସଂସ୍ଥାପନ ଓ ରିଲିଫ୍‌ ବିତରଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ସେହିପରି ସ୍ୱାସ୍ଥ୍ୟସେବା ଉପରେ ପ୍ରାଥମିକତା ଦିଆଯାଇଛି । ଅନୁରୂପ ଭାବରେ ଟେଲିଯୋଗାଯୋଗ, ବିଦ୍ୟୁତ୍ ସଂଯୋଗୀକରଣ, ପାନୀୟ ଜଳଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜନଜୀବନ ସ୍ୱାଭାବିକ ହୋଇଉଠିବା ସହିତ ସରକାରୀ ସ୍ତରରେ ବିବିଧ ତକ୍ସଊରତାର ସହ କାର୍ଯ୍ୟକ୍ରମଗୁଡ଼ିକର ରୂପାୟନ ଅବ୍ୟାହତ ରହିଛି ।

ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଜାଗ ରହିଛି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବାତ୍ୟା ପ୍ରଭାବିତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରାଯାଇଛି ଓ ପୁରୀ ଜିଲ୍ଲାର ଅତ୍ୟଧିକ ପ୍ରଭାବିତ ପୁରୀ, ଗୋପ, କଣାସ, ସତ୍ୟବାଦୀ, ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ବ୍ଳକ୍‌ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି ବୋଲି ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ତଥା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ବାତ୍ୟା ପୂର୍ବରୁ ୧୯୪୫ ଜଣ ଗର୍ଭବତୀ ମହିଳାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ଓ ୬୦୦ ନିରାପଦ ପ୍ରସବ ସମ୍ଭବ ହୋଇଥିଲା । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ବିଜୁଳିଯୋଗାଣ ଅବ୍ୟାହତ ରହିଥିବାବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ପୁରୀ ଜିଲ୍ଲାର ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଖୋର୍ଦ୍ଧା ଜିଲ୍ଲାର ୧୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରୁ ୧୧ଟିରେ ଜଳଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି । ଯଥେଷ୍ଟ ଔଷଧପତ୍ର ମହଜୁଦ ରଖାଯାଇଛି । ପ୍ରଭାବିତ ଅଞ୍ଚଳରେ ୧୨୦ଟି ଭ୍ରାମ୍ୟମାଣ ଡାକ୍ତରୀଦଳ ଓ ୪୬ଟି ଡାକ୍ତରୀ ରିଲିଫ୍‌ ଶିବିରକାର୍ଯ୍ୟ କରୁଛି । ଅଣ-ପ୍ରଭାବିତ ଜିଲ୍ଲାମାନଙ୍କୁ ୩୪ ଜଣ ଡାକ୍ତର ଓ ୨୩୪ ଜଣ ସ୍ୱାସ୍ଥ୍ୟ ସହାୟକଙ୍କୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଥିବାବେଳେ କେବଳ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅତି ପ୍ରଭାବିତ ୧୮୯ଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟ ସେବା ନିମନ୍ତେ ୨୦ ଜଣ ଡାକ୍ତର ଏବଂ ୨୦୦ ସ୍ୱାସ୍ଥ୍ୟ ସହାୟକ କାର୍ଯ୍ୟ କରୁଛନ୍ତି । ଆସନ୍ତା ୨ ମାସ ନିମନ୍ତେ ପୁରୀ ଜିଲ୍ଲାର କିଶୋରୀ ତଥା ମହିଳାମାନଙ୍କୁ ୨୪ ଲକ୍ଷ ସାନିଟାରି ନାପ୍‌କିନ୍‌ ମାଗଣାରେ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଁ କଲ୍ୟାଣ
ସମିତିମାନଙ୍କୁ ସ୍ୱାସ୍ଥ୍ୟ ରକ୍ଷା ଅଭିଯାନ ନିମନ୍ତେ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏ ଯାବତ୍‌ ସମିତିଗୁଡ଼ିକ ୧୮୫୩୬ଟି ସଫେଇ ଅଭିଯାନ ସଂପନ୍ନ କରିଥିବାବେଳେ ୬୯୬୭୨ଟି ଖୋଲାସ୍ଥାନ ଜଳଉତ୍ସକୁ ବିଶୋଧନ କରାଯାଇଛି । ୧୫ଟି ଜଳାଶୟରେ ଜଳ ଦୂଷିତ ଥିବାରୁ ସେଗୁଡ଼ିକ ପାନୀୟ ଜଳ ପାଇଁ ନିରାପଦ ନୁହେଁ ବୋଲି ଚିହ୍ନଟ କରି ବ୍ୟବହାର ନକରିବା ପାଇଁ ବ୍ୟବସ୍ଥା ହୋଇଛି । କୌଣସି ଅଞ୍ଚଳରେ ସଂକ୍ରାମକ ରୋଗ ବ୍ୟାପିଥିବାର ତଥ୍ୟ ନାହିଁ । ସାଧାରଣ ସମୟ ଭଳି କାଁ ଭାଁ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କର ଚିକିତ୍ସା କରାଯାଉଛି ।

ଗ୍ରାମୀଣ ପାନୀୟ ଜଳଯୋଗାଣ

ବାତ୍ୟା ଫନୀ ଦ୍ୱାରା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ସମୁଦାୟ ୨୩୬୪ଟି ଗ୍ରାମୀଣ ପାନୀୟ ଜଳଯୋଗାଣ ବ୍ୟବସ୍ଥା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨୯୪ଟିକୁ ସଂପୂର୍ଣ କାର୍ଯ୍ୟକ୍ଷମ କରାଯାଇପାରିଛି । ଭଦ୍ରକ, କେନ୍ଦ୍ରାପଡ଼ା ଯାଜପୁର, ଜଗତସିଂହପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଶତପ୍ରତିଶତ ଜଳଯୋଗାଣ ସ୍ୱାଭାବିକ ହୋଇଛି । ସେହିପରି ପୁରୀ ଜିଲ୍ଲାର ଅତ୍ୟଧିକ କ୍ଷତିଗ୍ରସ୍ତ ବ୍ରହ୍ମଗିରି ଓ କାକଟପୁର ବ୍ୟତୀତ ଅନ୍ୟ ସମସ୍ତ ବ୍ଲକ୍‌ରେ ୨୮୭ଟି ପାଇପ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ସହ ୯୮ ପ୍ରତିଶତ ସଫଳତା ହାସଲ ହୋଇଛି । ଯେଉଁ ପଞ୍ଚାୟତରେ ପାଇପ ଜଳଯୋଗାଣ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ, ସେଠାରେ ଦିନକୁ ଦୁଇଥର ଟ୍ୟାଙ୍କର ଯୋଗେଁ ପାନୀୟ ଜଳ ଯୋଗାଇ ଦିଆଯାଉଛି । କେବଳ ପୁରୀ ଜିଲ୍ଲାରେ ୨୮୬ଟି ଟ୍ୟାଙ୍କର ଯୋଗେ ଦିନକୁ ଦୁଇଥର ୫.୭୨ ଲକ୍ଷ ଲିଟର ପାନୀୟ ଜଳ ଯୋଗାଇ ଦିଆଯାଉଛି । ଜଳର ମାନ ପରୀକ୍ଷା କରିବା ପାଇଁ କେବଳ ପୁରୀ ଜିଲ୍ଲାରେ ୧୧ଟି ବିଶେଷଜ୍ଞ ଦଳ ନିୟମିତ ଭାବରେ ନଳକୂଅ,
ପାଇପ ଜଳଯୋଗାଣ ବ୍ୟବସ୍ଥା ଏବଂ ଟ୍ୟାଙ୍କରଗୁଡ଼ିକର ଜଳ ପରୀକ୍ଷା କରିବା ସହ ଲୋକମାନଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ବ୍ୟବସ୍ଥାକୁ ସୁନିଶ୍ଚିତ କରୁଛନ୍ତି ।

ବିଦ୍ୟୁତ୍ ସଂଯୋଗୀକରଣ

ଗତକାଲି ସୁଦ୍ଧା କଟକ ସିଡିଡି-୧ ଡିଭିଜନରେ ଥିବା ସମସ୍ତ ୭୧ ହଜାର ୮୬୭ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇ ଶତପ୍ରତିଶତ ସଫଳତା ହାସଲ ହୋଇଥିବାବେଳେ ସିଡିଡି-୨ରେ ପ୍ରାୟ ୬୯ ହଜାର ୦୩୧ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୫୦ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । କଟକ ସିଇଡି ଅନ୍ତର୍ଗତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୯୫ ହଜାର ୫୯୯ ଉପଭୋକ୍ତାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୮ ହଜାର ୨୩୦ ଉପଭୋକ୍ତାଙ୍କୁ ବିଦୁ୍ୟତ ସଂଯୋଗ ଦିଆଯାଇଛି ।
ଭୁବନେଶ୍ୱରରେ ବିସିଡିଡି-୧ ଅନ୍ତର୍ଗତ ସମସ୍ତ ୫୮୭୪୨ ଉପଭୋକ୍ତାଙ୍କୁ ଆଜି ସୁଦ୍ଧା ବିଦ୍ୟୁତ୍ ଯୋଗାଇ ଦିଆଯାଇଛି । ବିସିଡିଡି-୨ ଅନ୍ତର୍ଭୁକ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧ ଲକ୍ଷ ୪୭ ହଜାର ୫୩୧ ଉପଭୋକ୍ତାଙ୍କ ମଧ୍ୟରୁ ୧ ଲକ୍ଷ ୧୮ ହଜାର ୭୭୮ ଜଣ ଉପଭୋକ୍ତାଙ୍କୁ ବିଦୁ୍ୟତ ସଂଯୋଗ ଯୋଗାଇ ଦିଆଯାଇଛି । ସେହିପରି ବିଇଡି ଅଞ୍ଚଳର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶି ୧ ଲକ୍ଷ ୯ ହଜାର ୯୮୪ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୯୩ ହଜାର ୮୪୧ ଜଣଙ୍କୁ ବିଦ୍ୟୁତ୍ ପୁନଃସଂଯୋଗ କରାଯାଇଛି । ଫଳରେ ବିସିଡିଡି-୨ର ୮୧ ପ୍ରତିଶତ ଏବଂ ବିଇଡିର ୮୫ ପ୍ରତିଶତ ଉପଭୋକ୍ତା ବିଦ୍ୟୁତ୍ ସଂଯୋଗୀକରଣ ପାଇପାରିଛନ୍ତି ।

ଟେଲି ଯୋଗାଯୋଗ

ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ନିରନ୍ତର ଉଦ୍ୟମ କ୍ରମେ ଟେଲିଯୋଗାଯୋଗ ଓ ମୋବାଇଲ୍‌ ସେବାରେ ପ୍ରତିଦିନ ଉନ୍ନତି ଘଟୁଛି । ଖୋର୍ଦ୍ଧା ଜିଲ୍ଲାରେ ୬୫ ପ୍ରତିଶତରୁ ବୃଦ୍ଧିପାଇ ୭୪ ପ୍ରତିଶତ ମୋବାଇଲ୍‌ ଟାୱାର କାର୍ଯ୍ୟକ୍ଷମ କରାଯାଇଥିବାବେଳେ ପୁରୀ ଜିଲ୍ଲାର ୪୫ ପ୍ରତିଶତ ଓ କଟକ ଜିଲ୍ଲାର ୮୪ ପ୍ରତିଶତ ମୋବାଇଲ୍‌ ଟାୱାର କାର୍ଯ୍ୟକ୍ଷମ ହୋଇଛି । ସେହିପରି ଭୁବନେଶ୍ୱର ସହରରେ ୭୬%, ପୁରୀ ସହରରେ ୩୮% ଓ କଟକ ସହରରେ ୮୫% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି । ପୁରୀ ସହରରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪ଟି କାଓ କାର୍ଯ୍ୟ କରୁଛି । ଏୟାରଟେଲ୍‌ର ଦୋଳମଣ୍ଡପ ସାହି, ବାଲିଘାଟ, ପୋଖରିଆ ଓ ବଳିଆପଣ୍ଡା/ହରଚଣ୍ଡିଠାରେ ୪ଟି କାଓ ଆଜି କାର୍ଯ୍ୟକ୍ଷମ ହେବା ଫଳରେ ଏୟାରଟେଲ୍‌ କାଓ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଜିଓର ୩ଟି ଓ ଭୋଡ଼ାଫୋନର ଗୋଟିଏ କାଓ କାର୍ଯ୍ୟ କରୁଥିଲା । ଆଜି ସୁଦ୍ଧା ୧୪ଟି କାଓ କାର୍ଯ୍ୟକ୍ଷମ ହେବା ଫଳରେ ଟେଲିଯୋଗାଯୋଗ ଓ ମୋବାଇଲ୍‌ ସେବାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଖୋର୍ଦ୍ଧାର ୯୯ଟି ବିଏସ୍‌ଏନ୍‌ଏଲ୍‌ର ଟେଲିଫୋନ ଏକ୍ସଚେଞ୍ଜ ମଧ୍ୟରୁ ୯୩ଟି କାର୍ଯ୍ୟକ୍ଷମ କରାଯାଇଛି । ପୁରୀର ୪୧ଟି ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ ଏକ୍ସଚେଞ୍ଜ ମଧ୍ୟରୁ ୩୧ଟି ଏବଂ କଟକର ସମସ୍ତ ୭୭ଟି ଏକ୍ସଚେଞ୍ଜ କାର୍ଯ୍ୟ କରୁଛି ।

ବ୍ୟାଙ୍କିଂ ସେବା

ଆଜି ସୁଦ୍ଧା ପୁରୀରେ ୮୧.୦୮ ପ୍ରତିଶତ, ଖୋର୍ଦ୍ଧାରେ ୯୭.୭୨ ପ୍ରତିଶତ, କଟକରେ ୯୮.୯୮ ପ୍ରତିଶତ, ଜଗତସିଂହପୁରରେ ୯୬.୩୪, ଗଞ୍ଜାମରେ ୯୯.୫୩ ଏବଂ କେନ୍ଦ୍ରାପଡ଼ାରେ ଶତ ପ୍ରତିଶତ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହୋଇଛି । ପୁରୀରେ ୨୭.୨୭%, ଖୋର୍ଦ୍ଧାରେ ୬୧.୭୪%, କଟକରେ ୬୭.୪୨%, ଜଗତସିଂହପୁରରେ ୭୦.୯୦%, ଗଞ୍ଜାମରେ ୯୭.୭୦% ଏବଂ କେନ୍ଦ୍ରାପଡ଼ାରେ ୮୦.୧୨% ଏଟିଏମ୍‌ କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍‌ ଦ୍ୱାରା ପୁରୀ ଜିଲ୍ଲାରେ ୧୨ଟି ମୋବାଇଲ୍‌ ଏଟିଏମ୍‌ ବ୍ୟବସ୍ଥା କରାଯାଇଛି । ଏହି ମୋବାଲଲ୍‌ ଏଟିଏମ୍‌ଗୁଡ଼ିକ ମେ ୧୦ ତାରିଖଠାରୁ ପୁରୀ ସହର ଏବଂ ଗୋପ, କୋଣାର୍କ ଓ ନିମାପଡ଼ା ଆଦି ଛଅଟି ସ୍ଥାନରେ କାର୍ଯ୍ୟ କରୁଛି । ୧୫ ମେ ସୁଦ୍ଧା ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ସର୍ବସାଧାରଣଙ୍କ ଦ୍ୱାରା ୪୭୮୭ଟି ଉଠାଣ ମାଧ୍ୟମରେ ସମୁଦାୟ
୨ କୋଟି ୨ ଲକ୍ଷ ଟଙ୍କା ଉଠାଯାଇଛି । ଏହା ବ୍ୟତୀତ ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୪ଟି, ୟୁକୋ ବ୍ୟାଙ୍କ ୩ଟି, ଆଇସିଆଇସିଆଇ ବ୍ୟାଙ୍କ ୨ଟି, ଆହ୍ଲାବାଦ ବ୍ୟାଙ୍କ୍‌ ଗୋଟିଏ, ଆନ୍ଧ୍ର ବ୍ୟାଙ୍କ ଗୋଟିଏ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗୋଟିଏ ଏବଂ ଏକ୍ସିସ୍‌ ବ୍ୟାଙ୍କ ଗୋଟିଏ ଏହି ଭଳି ଭାବେ ସମୁଦାୟ ୧୩ଟି ମୋବାଇଲ୍‌ ଏଟିଏମ୍‌ ଯୋଗେ ଲୋକମାନଙ୍କ ପାଇଁ ଟଙ୍କା ଉଠାଣ ବ୍ୟବସ୍ଥା କରାଯାଇଛି । ସର୍ବମୋଟ ପୁରୀ ଜିଲ୍ଲାରେ ୨୫ଟି ମୋବାଇଲ ଏଟିଏମ୍‌ ମାଧ୍ୟମରେ ସେବା ମିଳୁଛି । ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ପ୍ରଭାବିତ ଜିଲ୍ଲାରେ ବ୍ୟାଙ୍କ ସେବା ସ୍ୱାଭାବିକ ସ୍ଥିତିକୁ ଫେରିଛି ।

ରିଲିଫ୍‌ ସହାୟତା

ନଗଦ ଅର୍ଥ ଆକାରରେ ପୁରୀ ଜିଲ୍ଲାରେ ୯୧.୭%, ଖୋର୍ଦ୍ଧା ଜିଲ୍ଲାରେ ୯୩.୫%, ଜଗତସିଂହପୁର ଜିଲ୍ଲାରେ ୯୫%, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୫.୫%, କଟକ ଜିଲ୍ଲାରେ ୯୬%, ଭୁବନେଶ୍ୱର ମହାନଗର ନଗମ ଅଞ୍ଚଳରେ ୮୫% ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ସମୁଦାୟ ୯୪ ପ୍ରତିଶତ ହିତାଧିକାରୀଙ୍କୁ ନଗଦ ଅର୍ଥ ରିଲିଫ୍‌ ଆକାରରେ ଦିଆଯାଇଛି । ସେହିପରି ପୁରୀ ଜିଲ୍ଲାରେ ୯୬.୬%, ଜଗତସିଂହପୁରରେ ୯୯%, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୦.୪୩%,
କଟକ ଜିଲ୍ଲାରେ ୯୭%, ବିଏମ୍‌ସି ଅଞ୍ଚଳରେ ୫୦%, ଖୋର୍ଦ୍ଧା ଜିଲ୍ଲାରେ ୮୦% ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଛି । ଆଜି ସୁଦ୍ଧା ଖୋର୍ଦ୍ଧା, ଜଗତସିଂହପୁର, ଭୁବନେଶ୍ୱର ଏବଂ ପୁରୀରେ ୭ ଲକ୍ଷ ୫୩ ହଜାର ୩୭୭ ହିତାଧିକାରୀଙ୍କ ମଧ୍ୟରୁ ୪ ଲକ୍ଷ ୬୪ ହଜାର ୩୯୧ ଜଣ ହିତାଧିକାରୀଙ୍କୁ ପଲିଥିନ ଅଥବା ପଲିଥିନ୍‌ ବାବଦରେ ଅର୍ଥ ପ୍ରଦାନ କରାଯାଇଛି ।

ଦକ୍ଷତା ବିକାଶ

ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ସରକାରୀ ଆଇଟିଆଇର ପ୍ରଶିକ୍ଷାର୍ଥୀମାନେ ଭୁବନେଶ୍ୱର ଓ କଟକ ସହରରେ ଘରକୁ ଘର ଯାଇ ମରାମତି କାର୍ଯ୍ୟ ନିମନ୍ତେ ହାତ ବଢ଼ାଇଛନ୍ତି । ଆଜି ପର୍ଯ୍ୟନ୍ତ ଏହି ପ୍ରଶିକ୍ଷାର୍ଥୀ ଭୁବନେଶ୍ୱର ଓ କଟକ ସହରର ୨୭ ହଜାର ୪୫୮ ଘରକୁ ଯାଇ ସର୍ବସାଧାରଣଙ୍କୁ ସେବା ଯୋଗାଇଛନ୍ତି । କେବଳ କଟକ ସହରରେ ୨୬୧ ଜଣ ପ୍ରଶିକ୍ଷାର୍ଥୀ ୮ ହଜାର ୬୮୧ ଘରକୁ ଯାଇ ସେବା ଯୋଗାଇଛନ୍ତି । ପୁରୀର ବାତ୍ୟା ପ୍ରଭାବିତ ଅଞ୍ଚଳରେ ମଧ୍ୟ ଏହି ପ୍ରଶିକ୍ଷାର୍ଥୀମାନେ ବିଦ୍ୟୁତ୍ ସଂଯୋଗ ଓ ପୁନଃସଂସ୍ଥାପନ କାର୍ଯ୍ୟରେ ସହଯୋଗ କରିବେ ।

ଜଙ୍ଗଲ ଓ ପରିବେଶ

ଫନୀ ଯୋଗୁଁ ଯେଉଁ ବ୍ୟକ୍ତିବିଶେଷଙ୍କ ଫାର୍ମ କିମ୍ବା ବଗିଚାରେ ଲଗାଯାଇଥିବା ବୃକ୍ଷ ଭାଙ୍ଗି ଯାଇଛି ସେଗୁଡ଼ିକୁ କାଟି ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଡିଏଫ୍‌ଓଙ୍କୁ ଆବେଦନ କରିବାକୁ ହେବ । ଏଥି ପାଇଁ ସହରାଞ୍ଚଳରେ ପ୍ରାଧିକୃତ ଜଙ୍ଗଲ ଅଧିକାରୀ ଏବଂ ଗୃହକର୍ତ୍ତା ଜଣେ ସାକ୍ଷୀଙ୍କ ଉପସ୍ଥିତିରେ କ୍ଷେତ୍ର ତଦାରଖ ପରେ ଟିମ୍ବର ଟ୍ରାନ୍ସଫର ପରମିଟ୍‌ ମିଳିବ । ସେହିଭଳି ଗ୍ରାମାଞ୍ଚଳରେ ପ୍ରାଧିକୃତ ଜଙ୍ଗଲ ଅଧିକାରୀ, ଗୃହକର୍ତ୍ତା ଏବଂ ୱାର୍ଡମେମ୍ବରଙ୍କ ଉପସ୍ଥିତିରେ ବାସ୍ତବ କ୍ଷେତ୍ର ତଦାରଖ ହୋଇ ରିପୋର୍ଟ ପରେ ଟିମ୍ବର
ଟ୍ରାନ୍ସଫର ପରମିଟ୍‌ ଡିଏଫ୍‌ଓଙ୍କ ପାଖରେ ମିଳିବ ।

Categories
STATE

RELATED BY

  • ରସଗୋଲା ଦିବସ ପାଳିତ

    ଭୁବନେଶ୍ୱର:ସଂସ୍କୃତି ଓ ପରମ୍ପରାକୁ ସଦାସର୍ବଦା ବଜାୟ ରଖି ଆସିବା ସହ ଏହାକୁ ସବୁବେଳେ ପ୍ରାଥମିକତା ଦେଇଆସୁଥିବା ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ପବିତ୍ର ନୀଳାଦ୍ରିବିଜେ ଅବସରରେ ରସଗୋଲା ଦିବସ...
  • ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ କଣ କହିଲେ ଜାଣନ୍ତୁ

    ଆପଣଙ୍କ ବିଭାଗ କାମ ବିଷୟରେ Monthly Report ମୁଁ ପାଇଛି । ଠିକ୍ ସମୟରେ ରିପୋର୍ଟ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ଆଜି ଆପଣମାନଙ୍କୁ ପାଞ୍ଚୋଟି ବିଷୟରେ କହିବାକୁ ଚାହେଁ ।  ଆପଣମାନେ extensive tour କରନ୍ତୁ ।...
  • ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଢ଼େଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନ

    ଭୁବନେଶ୍ୱର:ରାଜ୍ୟ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ.ପ୍ରେମାନନ୍ଦ ନାୟକ ବୁଧବାର ଅପରାହ୍ନରେ ଢ଼େଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ବିଭିନ୍ନ ଟ୍ରେଡ଼୍‌ରେ ଥିବା କର୍ମଶାଳା ଓ ୱାର୍କସପ୍‌, ସ୍ମାର୍ଟ କ୍ଲାସରୁମ୍‌ ଓ ଟୁଲ୍‌ରୁମ୍‌ ବୁଲି...
  • ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ପାଇଁ ଗୁରୁତ୍ୱାରୋପ

    ଭୁବନେଶ୍ୱର: ପରିବେଶ କେବଳ ଏକ ରାଜ୍ୟ ପ୍ରସଙ୍ଗ ନୁହେଁ ବରଂ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ । ମାନବ ସଭ୍ୟତାର ଏବଂ ସମ୍ପୂର୍ଣ୍ଣ ଜୀବଜଗତର ଏହା ସ୍ଥିତିର ପ୍ରସଙ୍ଗ । ଜଙ୍ଗଲ ହେଉଛି ପରିବେଶର ଏକ ପ୍ରମୁଖ ଅଙ୍ଗ । ପରୋକ୍ଷଭାବେ...
WhatsApp chat