ସମ୍ବଲପୁର : ବହୁ ମାନସ ମନ୍ଥନ ପରେ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଭାଜପାର ଓଡିଶାର ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ମଙ୍ଗଳବାର ଭାଜପା ପକ୍ଷରୁ ଓଡ଼ିଶା ବିଧାନସଭା କ୍ଷେତ୍ର ପାଇଁ ପ୍ରଥମ ଦଫାରେ ୧୧୨ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ସମ୍ବଲପୁରରୁ ପୁଣିଥରେ ଜୟନାରାୟଣ ମିଶ୍ରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଭାଜପା ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ । ଆଜି ଘୋଷିତ ତାଲିକାରେ ସମ୍ବଲପୁର ବିଧାନସଭା ଆସନରୁ ଜୟନାରାୟଣଙ୍କ ନାମ ପ୍ରକାଶ ପାଇବା ପରେ ଜୟଙ୍କ ସମର୍ଥକ, ସମ୍ବଲପୁର ଭାଜପାର ସମସ୍ତ ନେତା, କର୍ମକର୍ତ୍ତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ସ୍ଥାନୀୟ ଭାଜପା କାର୍ଯ୍ୟାଳୟରେ ତାଙ୍କ ସମର୍ଥକମାନଙ୍କ ସହ ନେତା, କର୍ମୀମାନେ ପରସ୍ପରଙ୍କୁ ମିଷ୍ଟାନ୍ନ ଖୁଆଇ ପ୍ରିୟ ନେତା ଜୟନାରାୟଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଫଳରେ ସମଗ୍ର ଭାଜପା କାର୍ଯ୍ୟାଳୟ ଉତ୍ସବ ମୁଖରିତ ହୋଇ ଉଠିଥିଲା । ପ୍ରାର୍ଥୀତ୍ୱ ଘୋଷିତ ହେବା ପରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଜୟନାରାୟଣ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଉତ୍ତମ ପ୍ରାର୍ଥୀ ଚୟନ ହୋଇଛି । ସମସ୍ତେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀ । ଯାହା ଆସନ୍ତା ନିର୍ବାଚନରେ ଓଡ଼ିଶାରେ ଭଲ ଫଳାଫଳ ସମ୍ଭାବନାକୁ ସ୍ପଷ୍ଟ କରିଛି । ସାଂସଦୀୟ କ୍ଷେତ୍ରରେ ଭାଜପା କେବଳ ଉତ୍କୃଷ୍ଟ ପ୍ରଦର୍ଶନ କରିବ ତାହା ନୂହେଁ ବରଂ ଫଳାଫଳ ଭାଜପା ସପକ୍ଷରେ ଏକ ତରଫା ହେବା ନିଶ୍ଚିତ । ଖାଲି ସେତିକି ନୁହେଁ ଆଗାମୀ ନିର୍ବାଚନରେ ଆମ ଦଳ ଭାଜପା ଏକକ ସଂଖ୍ଯା ଗରିଷ୍ଠତା ହାସଲ କରି ଓଡ଼ିଶାରେ ସରକାର ଗଢ଼ିବ ବୋଲି ଜୟନାରାୟଣ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।