ସମ୍ବଲପୁର : ଆଜି ହେଉଛି ବିଶ୍ୱ ର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ । ଆଜିର ଦିନ ଟି ଭାରତ ବର୍ଷ ର କୋଣ ଅନୁକୋଣ ରେ ରହୁଥିବା ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ଙ୍କ ପାଇଁ ଏକ ସ୍ୱତନ୍ତ୍ର ଓ ଖୁସିର ଦିନ । ଦେଶର ରାଜଧାନୀ ନୂଆଦିଲ୍ଲୀ ରେ ଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟ ଠୁଁ ଆରମ୍ଭ କରି ବୁଥ କାର୍ଯ୍ୟାଳୟ ଯାଏଁ ସବୁଠି ଆଜି ଉତ୍ସବର ଦିନ । ଆଜିର ଏହି ବିଶେଷ ଦିନ ରେ ସମଗ୍ର ଦେଶ ରେ ବିଜେପି ପକ୍ଷରୁ ବିବିଧ କାର୍ଯ୍ୟକ୍ରମମାନେ ହାତକୁ ନିଆ ଯାଇଥାଏ । ଏହି ମର୍ମ ରେ ଆଜି ସମ୍ବଲପୁର ବିଜେପି ଜିଲ୍କା କାର୍ଯ୍ୟାଳୟ ଠାରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ର ନେତା ଜୟ ନାରାୟଣ ମିଶ୍ରଙ୍କ ଉପସ୍ଥିତି ଚଳିତ ବର୍ଷର କାର୍ଯ୍ୟକ୍ରମ କୁ ଏକ ସ୍ୱତନ୍ତ୍ରତା ପ୍ରଦାନ କରିଛି । ସମ୍ବଲପୁର କଚେରୀ ରୋଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସଭାପତିତ୍ୱ ରେ ଆଜି ଦଳର ପ୍ରତିଷ୍ଠା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ସମ୍ବଲପୁର ବିଜେପି ମୁଖ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କରିବା ସହ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।
ଏହି ଅବସରରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଅକ୍ଳାନ୍ତ ପରିଶ୍ରମ ମାଧ୍ୟମରେ ବିଜେପିକୁ ବିରାଟ ବଟ୍ଟବୃକ୍ଷରେ ପରିଣତ କରିଥିବା ବରିଷ୍ଠ ନେତାଗଣ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଣାମ ଜଣାଇଛନ୍ତି । ସେ କହିଛନ୍ତି ରାଷ୍ଟ୍ରୀୟ ସେବକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଜେପି ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଅଗଣିତ କର୍ମଯୋଗୀଙ୍କ ଅବଦାନରେ ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ପରିବାରରେ ପରିଣତ ହୋଇଛି ଏବଂ ଏକ ବିରାଟ ବଟ୍ଟବୃକ୍ଷର ରୂପ ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭୂତପୂର୍ବ ନେତୃତ୍ୱ, ଶୀର୍ଷ ନେତୃତ୍ୱର ପ୍ରୟାସ ଏବଂ କର୍ମଠ କାର୍ଯ୍ୟକର୍ତ୍ତାଙ୍କ ନିଃସ୍ୱାର୍ଥପର ସେବା ମନୋଭାବ ଯୋଗୁଁ ଆଜି ବିଜେପି ଦେଶର ସବୁଠାରୁ ବିଶ୍ୱସ୍ତ ରାଜନୈତିକ ଦଳ ଭାବରେ ଉଭା ହୋଇଥିବା ବେଳେ ଜନସାଧାରଣଙ୍କ ପ୍ରଥମ ପସନ୍ଦ ହୋଇଛି । ଅନ୍ତ୍ୟୋଦୟ, ସେବା ହିଁ ସଂଗଠନ ଭଳି କାଳଜୟୀ ଚିନ୍ତାଧାରାରୁ ପ୍ରେରଣା ନେଇ ସମସ୍ତ କାର୍ଯ୍ୟକର୍ତ୍ତାମାନେ ଏକ ବିକଶିତ ଭାରତ ଗଠନ ଏବଂ ଭାରତ ମାତାର ଗୌରବ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରିବା ।
“ଫିର୍ ଏକ ବାର୍ ମୋଦୀ ସରକାର, ଓଡ଼ିଶାରେ ଦରକାର, ଡବଲ ଇଞ୍ଜିନ ସରକାର” ର ନାରା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଛି । ବିଗତ ୧୦ ବର୍ଷରେ ଅନେକ କାମ ହୋଇଛି, ଯାହାର ପ୍ରତିଫଳନ ସମ୍ବଲପୁରରେ ହୋଇଛି । ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ,ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଲୋକଙ୍କ ସମ୍ବଲପୁରବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି । ଆଇଆଇଏମ ପ୍ରତିଷ୍ଠା ସହ ସମ୍ବଲପୁର ରେଳ ଷ୍ଟେସନର ନବୀକରଣ ହୋଇଛି । ଦେଶରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭରସା ବଢିଛି । ଆମେ ସମସ୍ତ କାର୍ଯ୍ୟକର୍ତ୍ତାମାନେ ମୋଦୀ ଗ୍ୟାରେଣ୍ଟି, ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ତଥା ଗତ ୧୦ ବର୍ଷର ଟ୍ରାକ୍ ରେକର୍ଡକୁ ସମ୍ବଲପୁରର ଘରେ ଘରେ ପହଞ୍ଚାଇବା ପାଇଁ ଆହୁରି ପରିଶ୍ରମ କରିବା ଦରକାର ।
ସେହିପରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ ୧୯୮୦ ମସିହାରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହୋଇଥିଲା । କଂଗ୍ରେସ ବିରୋଧରେ ଦେଶରେ ଗଢ଼ି ଉଠିଥିବା ରାଜନୈତିକ ଶକ୍ତି ଭାବେ ଭାରତୀୟ ଜନସଂଘର ଜନ୍ମ ହୋଇଥିଲା । ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା କରିବାରେ ଅଟଳବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱ ଚିର ସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ ।
ସମ୍ବଲପୁର ଜିଲ୍ଲା ସଭାପତି ଶ୍ରୀ ପଟେଲ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଆଜି ବିଜେପି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ରୂପ ନେଇଛି । ବିଜେପିର ଯାତ୍ରା ଏକ ସଂଘର୍ଷ ପୂର୍ଣ୍ଣ ଯାତ୍ରା ଥିଲା । ଏହି ସମୟ ମଧ୍ୟରେ ସଙ୍ଗଠନର ସମସ୍ତ ମହାନ ବ୍ୟକ୍ତିତ୍ୱ ଯିଏ ନିଜକୁ ଦେଶ ପାଇଁ ଓ ଦଳକୁ ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ରୂପେ ଗଢି ତୋଳିଛନ୍ତି, ସେହି ମହାମନିଷୀମାନଙ୍କୁ କୋଟି କୋଟି ପ୍ରଣାମ ।
ବିଜେପି ପ୍ରତିଷ୍ଠା ଦିବସ ଅବସରରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ବେହେରା, କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା, ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ, ଦାମୋଦର କର, ଫଣୀ ଭୂଷଣ ମିଶ୍ର, ସୁଶାନ୍ତ ପୁରୋହିତ, ସରୋଜ ଦଲପତ, ସୁଧୀର ବହିଦାର, ପ୍ରଭୁଦତ୍ତ ପଣ୍ଡା, ମୋହନ ଦାଶ, ଅରୁଣ କୁମାର ଦାସ, କ୍ରିଷ୍ଣା ମହାକୁଡ଼, ସୌମିତ୍ର ଜତି, ସନ୍ତୋଷ ଡାଲୁଆ, ସବିତା ନନ୍ଦ, ସରୋଜିନୀ ବନଛୋର, ଆରତୀ ବରାଡ଼, ପୁଷ୍ପାଞ୍ଜଳି ଜେନା, ଭବାନୀ ଦୁଶର, ମଞ୍ଜୁଳା ଓରାମ, ମୁନମୁନ ସୌଦାଗାର, ସବିତା ହୋତା ଙ୍କ ସମେତ ସମ୍ବଲପୁର ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଓ ପ୍ରତ୍ୟେକ ମଣ୍ଡଳ ସ୍ତରର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ ।