
୨୦୦୪ ମସିହାରେ ଜଣେ ବନ୍ଧୁଙ୍କ ଅଭିଯୋଗ କ୍ରମେ ସମ୍ବଲପୁର ଓ ଝାରସୁଗଡ଼ାରେ ଗଢ଼ି ଉଠିଥିବା କଳକାରଖାନାର ପ୍ରଦୂଷଣ ଓ କଳା ପାଉଁଶ ଯୋଗୁଁ ଧନ ଜୀବନ ନଷ୍ଟ ହେଉଛି,ଜନ ସାଧାରଣ ବହୁ ଅତିଷ୍ଟ ହେଉଛନ୍ତି ଓ ପିଇବା ପାଣିରେ ମଧ୍ୟ କଳା ଆସ୍ତରଣ ଜମୁଛି । ଏହା ଶୁଣି ମୁଁ ପ୍ରଦୂଷିତ ଅଞ୍ଚଳ ଗସ୍ତ କଲି । ସବୁ କଳକାରଖାନା ପ୍ରଦୂଷଣ କରିବାରେ ମାତିଛନ୍ତି ଦେଖି ତାଜୁବ ହୋଇ ଭାବିଲି କାହା ବିରୁଦ୍ଧରେ ଲେଖିବି । ପୁଣି ଭାବିଲି ନା ପ୍ରଥମେ ସମ୍ବଲପୁରର ଠେଲ୍କୋଇଲି ଠାରେ ଗଢ଼ି ଉଠିଥିବା ଭୂଷଣ ଷ୍ଟିଲ୍ ଉପରେ ଲେଖା ଆରମ୍ଭ କରିବି ।
କାରଣ ବଡ଼ କମ୍ପାନୀର ଭୁଲ ଲେଖିଲେ ଆପେ ଆପେ ଛୋଟ କମ୍ପାନୀ ମଧ୍ୟ ସୁଧୁରି ଯିବେ ଭାବି ନ୍ୟୁଜ ଲେଖା ଆରମ୍ଭ କଲି । ଓଡ଼ିଶା ନ୍ୟୁଜ୍ର ପ୍ରଥମ ପୃଷ୍ଠାରେ ପ୍ରଦୂଷଣ ଜନିତ ନ୍ୟୁଜ୍ ପ୍ରକାଶିତ ହେଲା । ସେତେବେଳେ ଓଡି଼ଶା ନ୍ୟୁଜ୍ ବଡ଼ ସାଇଜ୍ରେ ପ୍ରକାଶନ ହେଉଥିଲା । ସବୁଆଡ଼େ ବାଣ୍ଟିଲି ।
ଜିଲ୍ଲାପାଳଙ୍କ ଅଫିସ୍ରେ ନ ବାଣ୍ଟିଲେ ପତ୍ରିକା ବଣ୍ଟନ ପୂର୍ଣ୍ଣାଙ୍ଗ ହେବ ନାହିଁ । ଜିଲ୍ଲାପାଳ ଜିଲ୍ଲାର ମୁଖ୍ୟ ବ୍ୟକ୍ତି । ସମ୍ବଲପୁରର ଜିଲ୍ଲାପାଳଙ୍କ ଅଫିସ୍ରେ ପତ୍ରିକା ବାଣ୍ଟୁଥାଏ । ଦେଖିଲି ଶାନ୍ତ, ଭଦ୍ର ଓ ସୁନ୍ଦର ବ୍ୟକ୍ତିତ୍ୱର ଅଧିକାରୀ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ପାଖାପାଖି ଥିଲେ । ତାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଥାନ୍ତି । ଏମାନଙ୍କ ଉପରେ ଟିକେ ଆଖି ପଡ଼ିଗଲା ।
ଜିଲ୍ଲାପାଳଙ୍କ ଅଫିସ୍କୁ ଏମାନେ କିଏ ଆସିଛନ୍ତି ଜାଣିବା ପାଇଁ ସେହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ଭଦ୍ର ବ୍ୟକ୍ତିଙ୍କୁ ପଚାରିଲି ‘ଏମାନେ କିଏ କି’ । ସେ ତତ୍କ୍ଷାଣତେ କହିଲେ ଏମାନେ ଭୂଷଣ ପାୱାର ଆଣ୍ଡ ଷ୍ଟିଲର ଜଣେ ଉପ-ସଭାପତି ଓ ଅନ୍ୟ ଜଣେ ନିର୍ଦ୍ଦେଶକ । ମୁଁ ପଚାରିଲି ଏମାନଙ୍କ ନାମ କ’ଣ । ସେ କହିଲେ ‘ଆଜ୍ଞା ଜଣଙ୍କୁ ଜାଣିଛି ଏହି ଗୋରା ଓ ସୁନ୍ଦର ବ୍ୟକ୍ତି ହେଉଛନ୍ତି ଇଂ. ପି.କେ.ମିଶ୍ର ବହୁ ପାୱାର ଫୁଲ ଲୋକ , ତାଙ୍କ ବାପା ଜଣେ ପୂର୍ବତନ ହୋମ୍ ସେକ୍ରେଟାରି ଥିଲେ । ଆଇ.ଏ.ଏସ୍ ଅଫିସରଙ୍କ ପୁଅ ଏବଂ ଓଡ଼ିଶା ଶାସନର ପାୱାରଫୁଲ୍ ନେତାଙ୍କ ସମ୍ପର୍କୀୟ ।’
ଏହା ଶୁଣି ଆରେ ଏମାନଙ୍କ ବିରୁଦ୍ଧରେ ମୁୁଁ ସମ୍ବାଦ ପ୍ରକାଶ କରିଛି । ପେପର୍ ଖଣ୍ଡେ ଦେଇ ଦେବି । ଟିକେ ଦେଖନ୍ତୁ ଜାଣିବେ ସେମାନେ କେଉଁ ଭଳି କାର୍ଯ୍ୟ କରୁଛନ୍ତି ଭାବି ଓଡ଼ିଶା ନ୍ୟୁଜ୍ ଖଣ୍ଡେ ଦେବା ପାଇଁ ମନସ୍ଥ କଲି । ପୁଣି ଭାବିଲି ଯଦି ଏଠି ପେପର ଦେବି ବଡ଼ ଲୋକ, ଯୁକ୍ତିତର୍କ ହୋଇପାରେ, କାରଣ ସେମାନେ ପାୱାରଫୁଲ୍ ଲୋକ । ତାଙ୍କର ଶାସନ ଅଛି । ଆମେ ତାଙ୍କ ପାଇଁ ରଦ୍ଦି କାଗଜ ଖଣ୍ଡେ ସଦୃଶ୍ୟ ।
ଏହା ବି ଭାବୁଥାଏ ନା ଯାହା ହୋଇଯାଉ ପଛେ ମିଶ୍ରବାବୁଙ୍କୁ ସମ୍ବଲପୁରର ସ୍ୱାର୍ଥ ପାଇଁ କାଗଜ ଖଣ୍ଡେ ଦେବି । ତାଙ୍କ ବିରୁଦ୍ଧରେ ଲେଖା ହୋଇଥିଲେ ମଧ୍ୟ ସେ ପଢ଼ନ୍ତୁ । କାରଣ ମୁଁ କିଛି ଭୁଲ ଲେଖି ନାହିଁ । ସତ୍ୟ ପାଇଁ ଦଣ୍ଡ କିମ୍ବା ପ୍ରତିଶୋଧ ମିଳିଲେ ମଧ୍ୟ ମୋର ଡ଼ରିବାର ନାହିଁ । ତୁରନ୍ତ ସାର୍ କହି ମିଶ୍ର ବାବୁଙ୍କୁ ଓଡ଼ିଶା ନ୍ୟୁଜ୍ ଖଣ୍ଡେ ଦେଲି । ସେହି ପେପରଟିକୁ ଧରି ମୋତେ ଚାହିଁଲେ । ମୁଁ ତାଙ୍କୁ ଆଙ୍ଗୁଳି ଦେଖାଇ ଏହି ନ୍ୟୁଜ୍ ପଢ଼ନ୍ତୁ ବୋଲି କହିଲି । ଯଦି କିଛି ଭୁଲ ଲେଖାଥିଲେ ମୋତେ କହିବେ । ସତ ଲେଖାଥିଲେ ମଧ୍ୟ ମୋତେ କହିବେ । ସେ କିଛି ହଁ କି ନାଁ କହିବା ପୂର୍ବରୁ ଜିଲ୍ଲାପାଳଙ୍କ ପିଅନ ଡାକିଲେ । ସେ ସେଠୁ ପଳାଇ ଗଲେ ।
ତା’ପରେ ମୁଁ ଭାବିଲି ଅପେକ୍ଷା କରିବି, ପୁଣି ପଚାରିବି ନ୍ୟୁଜ୍ ସତ କି ମିଛ । ପୁଣି ଭାବିଲି କାହିଁକି ପଚାରିବି ? କେତେ ସମୟ ଅପେକ୍ଷା କରିବି ବୋଲି ସେଠୁ ଅନ୍ୟ ଅଫିସରଙ୍କ ପ୍ରକୋଷ୍ଠକୁ ଚାଲିଗଲି । ବହୁ ଦିନ ପରେ ବି ସେହି ନ୍ୟୁଜ୍ ଉପରେ କିଛି ଟୀପଣି ଆସିଲା ନାହିଁ ବଂର ଯେଉଁ ନ୍ୟୁଜ୍ ତାଙ୍କ କଂପାନୀ ବିଷୟରେ ଲେଖା ହୋଇଥିଲା ମିଶ୍ର ସାର୍ ତାକୁ ସମାଧାନ କରି ଦେଇଥିଲେ । ଆମେ ସେହି ଅଞ୍ଚଳ ଗସ୍ତ କଲା ବେଳେ ଜାଣି ପାରିଥିଲୁ । ସେ ଯାହା ହେଉ ଜନ ସାଧାରଣଙ୍କ ମଙ୍ଗଳ ହେଲା ବୋଳି ଭାବି ମୁଁ ଚୁପ୍ ରହିଗଲି ।
କିଛି ମାସପରେ ଜିଲ୍ଲାପାଲଙ୍କ ଅଫିସରେ ଥିବା ଜୈନିକ ଓଏଏସ୍ ଅଫିସ୍ଙ୍କ ପାଖରେ ମିଶ୍ରସାର୍ ବସିଥିବା ବାହାରୁ ଦେଖି ରୁମ୍କୁ ପଶିଗଲି , ବହୁ ଦିନ ଧରି ତାଙ୍କୁ ଦେଖା ହୋଇ ନଥିଲା । ପ୍ରଥମେ ନମସ୍କାର କଲି, ସେ ବି ମୋତେ ଚିହ୍ନିପାରିଥିଲେ । ମିଶ୍ର ସାର୍ ବସି ଥିବାର ପ୍ରକୋଷ୍ଠର ଅଫିସର ମୋତେ ଆଗରୁ ଭଲରେ ଜାଣିଥିବାରୁ ମିଶ୍ର ସାର୍ଙ୍କ ସହିତ କଥା ହେବା ପାଇଁ କିଛି ଅସୁବିଧା ହେଲା ନାହିଁ । ମୁଁ ଠିଆ ଠିଆରେ ଗପ କରି ମୋ ପାଖରେ ଥିବା କ୍ୟାନନ୍ କ୍ୟାମେରାରୁ ତାଙ୍କର ଗୋଟିଏ ଫୋଟ ଉଠାଇଥିଲି । ପୁଣି ତାଙ୍କୁ ସେହି ଫୋଟ ଦେଖାଇଥିଲି । ସେ ମୋ କ୍ୟାମେରା ଧରି ତାଙ୍କ ଫୋଟ୍ ଦେଖିବା ସହ କ୍ୟାମେରା ବାବଦରେ ପଚାରିଥିଲେ । କାରଣ ସେହି ସମୟରେ ଡିଜିଟାଲ୍ କ୍ୟାମେରା ବଜାରରେ ଦେଖିବାକୁ କମ୍ ମିଳୁଥିଲା ,ମୂଲ୍ୟ ବି ଅଥିକା ଥିଲା । ଏହି ପରି କ୍ୟାମେରା ସମ୍ବଲପୁରରେ ଦେଖିବାକୁ କମ୍ ମିଲୁଥିଲା ।

ଡିଜିଟାଲ କ୍ୟାମେରା ବିଷୟରେ ଆଲୋଚନା କରୁ କରୁ ଖୋର୍ଦ୍ଧା ଜିଲ୍ଲା ବାଜପୁରର ଜଣେ ଜ୍ୟୋତିଷ ତଥା ହସ୍ତଗଣନାକାରୀ ବିପିନ୍ କୁମାର ରାଉତରାୟ ଏହି ଭଳି କ୍ୟାମେରା ବ୍ୟବହାର କରି କମ୍ପ୍ୟୁଟରରେ ହାତ ଦେଖନ୍ତି । ପ୍ରଥମେ ଲାଲ୍ ରଙ୍ଗ ଦ୍ୱାରା ହାତ ପାପୁଲିରେ ସେ ରଙ୍ଗ ବୋଳି ଦିଅନ୍ତି । ଖଣ୍ଡେ ସାଧା କାଗଜରେ ତା’ର ଛାପ ନିଅନ୍ତି । କ୍ୟାମେରାରେ ଫୋଟ ଉଠାଇ କମ୍ପ୍ୟୁଟରେ ଡାଉନ୍ଲୋଡ୍ କରି ହସ୍ତ ରେଖା ଭାଗ୍ୟ ଗଣନା କରନ୍ତି ବୋଲି ମିଶ୍ର ସାର ମୋତେ କହିଥିଲେ ଏହା ଶୁଣି ମନଟା ପୁରା ବ୍ୟଗ୍ର ହୋଇଯାଇଥିଲା । କାରଣ ହସ୍ତରେଖା ଉପରେ ମୋର ପୁରା ବିଶ୍ୱାସ ଥିଲା ତାହାର ଅନେକ କାରଣ ଅଛି ।
ମୁଁ ବି କେମିତି ନିଜ ବିଷୟରେ ଜାଣିବି, କେମିତି ଯୋଗାଯୋଗ କରି ପାରିବି ସେହି କଥା ମିଶ୍ର ସାର୍ଙ୍କ ଠାରୁ ବୁଝି ନେଲି, ସେ ସବୁ ବିଷୟ ସଠିକରେ୍ ବତାଇଲେ । ତା’ପରେ ମୁଁ ତାଙ୍କର ଫୋନ ନମ୍ବର ଓ ବିପିନ୍ ରାଉତରାୟଙ୍କ ଫୋନ ନମ୍ବର ନୋଟ୍ କରିଥିଲି । ଏତିକି ଭିତରେ ସେ ତର ତର ହୋଇ ସେହି ପ୍ରକୋଷ୍ଠ ଛାଡ଼ି ଅନ୍ୟ କେଉଁ ଆଡ଼େ ଗଲେ ।
ସମୟ ଥିଲେ ଆଉ ଟିକିଏ କଥା ହେବି ଭାବୁଥିଲି । କାରଣ ସେତେବେଳେ ତାଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ବଢ଼ୁଥାଏ । ମିଷ୍ଟଭାଷୀ, ଚଳଚଞ୍ଚଳ, ଅତି ସୁନ୍ଦର ବେଶଭୁଷା, ମାର୍ଜିତ ବ୍ୟବହାରର ବ୍ୟକ୍ତିତ୍ୱ ଥିବା ମିଶ୍ରଜୀ ମୁଁ ଲେଖିଥିବା ସମ୍ବାଦର ପ୍ରତିକ୍ରିୟା ସେତେବେଳେ ପର୍ଯ୍ୟନ୍ତ ବି ଦେଉ ନଥିବା ଦେଖି ଭାବିଲି ତାଙ୍କ ସହ ସଂପର୍କ ବଢ଼ାଇବି ବୋଲି ମନସ୍ତ କଲି ।
ଏଥି ମଧ୍ୟରେ ମୁଁ ସମ୍ବଲପୁରରୁ ମଟରସାଇକେଲ ଯୋଗେ ଜ୍ୟୋତିଷ ଶ୍ରୀ ରାଉତରାୟଙ୍କୁ ଭେଟିବା ପାଇଁ ଖୋର୍ଦ୍ଧା ଜିଲ୍ଲାର ବାଜପୁରକୁ ଗଲି । କାରଣ ସେତେବେଳେ ମୋର ଜଣେ ଅନ୍ତରଙ୍ଗ ପରିବାର ରେଖା ଘରେ ଦୁର୍ଘଟଣା, ଓଡ଼ିଶା ନ୍ୟୁଜ୍ର ଦୈନିକ ସଂସ୍କରଣ ପ୍ରକାଶନ ବନ୍ଦ,ବଞ୍ଚିବା ପାଇଁ ସଂଗ୍ରାମକୁ ନେଇ ବହୁ ଦ୍ୱନ୍ଦରେ ପଡ଼ିଥିଲି ।
କାଳେ ଶ୍ରୀ ରାଉତରାୟ ହସ୍ତ ଦେଖି କିଛି ଜାଣି ପାରିବେ ଭାବି ତାଙ୍କ ପାଖକୁ ଯାଇଥିଲି । ସେଠି ପହଞ୍ଚି ମିଶ୍ରବାବୁଙ୍କ କଥା କହିଲି । ସେ କିଛି କହିଲେ ନାହିଁ । ହଉ ବୋଲି ଖାଲି କହିଲେ । ମିଶ୍ରସାର କହିଥିବା ପ୍ରକାରେ ହାତରେ ଲାଲ୍ ରଙ୍ଗର ଲିପ୍ଷ୍ଟିକ୍ ବୋଳା ଗଲା । ହସ୍ତର ଛାପ ନିଆଗଲା । ଫୋଟ ଉଠିଲା । କମ୍ପ୍ୟୁଟରେ ଡାଉନ୍ଲୋଡ୍ କରାଗଲା । ୫୦ ପୃଷ୍ଠାର ମୋ ଭାଗ୍ୟ ବାବଦରେ ପ୍ରିଣ୍ଟ୍ ବାହାରିଗଲା । ୩୦୦ଟଙ୍କା ତାଙ୍କୁ ଫିସ୍ ଦେଇ ଭୁବନେଶ୍ୱର ପଳାଇ ଆସିଲି । ଭୁବନେଶ୍ୱରରେ ତାକୁ ତନତନ କରି ପଢ଼ିଲି । ପଢିଲାପରେ ସବୁ କଥା ପ୍ରାୟ ଠିକ୍ ପରି ଲାଗିଲା । ମନଟା ସୃଦୁଢ଼ ହେଲା । କୌଣସି ଦ୍ୱନ୍ଦ ରହିଲା ନାହିଁ । ତା’ପରେ ମନସ୍ତ କଲି ଓଡ଼ିଶା ନ୍ୟୁଜ୍ ପାକ୍ଷିକକୁ ଭୁବନେଶ୍ୱରରୁ ଏଥର ପ୍ରକାଶ କରିବି ।
ବିଭିନ୍ନ ଦ୍ୱନ୍ଦରୁ ମୁକ୍ତି ମିଳିଥିବାରୁ ସବୁ ବେଳେ କେମିତି କେଜାଣି ମିଶ୍ରବାବୁଙ୍କ ଚେହେରା କେବଳ ଆଖିରେ ଦୃଶ୍ୟମାନ ହେଉଥାଏ । ଭାବୁଥାଏ ଟିକେ ଦେଖା ମିଳନ୍ତେ କି ? ତାଙ୍କ ଫୋନ୍ ନମ୍ବର ମୋ ପାଖରେ ଥିଲେ ମଧ୍ୟ ଫୋନ କରିବାକୁ ଶକ୍ତି ଜାଗ୍ରତ ହେଉ ନଥିଲା । ସୌଭାଗ୍ୟ ବଶତଃ ହଠାତ୍ ପୁଣି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ରେ ଭେଟ ହୋଇଗଲା । ଦେଖୁ ଦେଖୁ ମନରେ ଆନନ୍ଦ ଆସିଗଲା । ତାଙ୍କ ପ୍ରତି ଅସୀମ ଶ୍ରଦ୍ଧା ବଢ଼ିଲା । ସେ ବି ମୋତେ ଅତି ଆଦର ସହ କଥା ବାର୍ତ୍ତା କଲେ । ବାଜପୁର ଯାଇଥିବା କଥା କହିଲି । ସେ କେବଳ ଶୁଣିଲେ କିଛି କହିଲେ ନାହିଁ । ବଡ଼ ଲୋକ କେବଳ ଶୁଣନ୍ତି, କିଛି କୁହନ୍ତି ନାହିଁ ଭାବି ମୁଁ ଚୁପ ରହିଲି । ଅନ୍ୟ କିଛି କଥା ନ ହୋଇ ମନସ୍ଥାପ କଲି ଏହି ଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ କାହିଁକି ଲେଖିଥିଲି । ଇଏତ ଜଣେ ଭଲ ମଣିଷ, କେବଳ ଜୀବିକା ନିର୍ବାହ ପାଇଁ ଏହି ପ୍ଲାଣ୍ଟରେ କାର୍ଯ୍ୟ କରୁଥିବେ ଭାବି ତାଙ୍କ ପ୍ରତି ଗଭୀର ସମ୍ମାନ ଦେଇ, ଆଜି ଠାରୁ ଏହି ବ୍ୟକ୍ତିଙ୍କୁ କେବେବି ଭୁଲିପାରିବି ନାହିଁ ଭାବି ହୃଦୟରେ ସ୍ଥାନ ଦେଲି ଏବଂ ତାଙ୍କୁ କହିଥିଲି ଯାହା ଲେଖିଥିଲି ତାହା ପାଇଁ ଦୁଃଖିତ , ସାର୍ ମୋତେ ଭୁଲ ବୁଝିବେ ନାହିଁ ।
ଏହି ଭିତରେ ମୋତେ ସମ୍ବାଦ ପ୍ରକାଶନର ଅନେକ କଥା ପଚାରୁଥାନ୍ତି । ସେତେବେଳେ ତାଙ୍କୁ କହି ଥିଲି ଭୁବନେଶ୍ୱରୁ ପାକ୍ଷିକ ପ୍ରକାଶ କରୁଛି । ଆପଣଙ୍କ ଫୋଟ ଓ ଶୁଭେଚ୍ଛା ବାର୍ତ୍ତା ଛାପିବି । ସେ କିଛି କହିଲେ ନାହିଁ , ମୁଁ କିନ୍ତୁ ତାଙ୍କର ଦୁଇ ଧାଡି଼ ଶୁଭେଚ୍ଛା ବାର୍ତ୍ତା ସହ ଫୋଟ ମୁଦ୍ରିତ କରିଥିଲି । ଖବର କାଗଜ ପ୍ରକାଶନ ପରେ ତାଙ୍କୁ ପୁଣି ଜିଲ୍ଲାପାଳଙ୍କ ଅଫିସ୍ରେ ଭେଟ ହୋଇଥିଲା ଏବଂ ତାଙ୍କୁ ଗୋଟେ କପି ଦେଇ ଥିଲି । ତା’ପରେ କମ୍ପାନୀରୁ ବିଜ୍ଞାପନ ପାଇବା ପାଇଁ ଏକ ଦରଖାସ୍ତ ଦେଇଥିଲି । ସେ ଲେଖାଥିବା ପାର୍ଶ୍ଵ ଉପରକୁ ଏବଂ ଖାଲି ଥିବା ପାର୍ଶ୍ଵ ଭିତରକୁ ଭାଙ୍ଗ ଦେଇ ମୋ ଦରଖାସ୍ତକୁ ପକେଟ୍ରେ ରଖିଥିଲେ । ଏହା ଦେଖି ମୁଁ ଭାବିଲି ସମସ୍ତେ ଲେଖା ପାର୍ଶ୍ଵ ଭିତର ପଟୁ ଭାଙ୍ଗି ରଖନ୍ତି ! ସାର୍ କେମିତି ଏହି ପରି କଲେ ଭାବୁଥାଏ । କାମ ବୋଧେ ହେବ ନାହିଁ । ଦେଖାଯାଉ କ’ଣ ହେବ ଭାବି ରହିଗଲି । ଦିନ ପରେ ଦିନ ବିତିଗଲା ପଛେ ବିଜ୍ଞାପନ ବି ମିଳିଲା ନାହିଁ । କିଛି ମାସ ପରେ ଭୁବନେଶ୍ୱର ଆସିଥିଲି, ଦେଖିବା ବିଜ୍ଞାପନତ ମିଳିଲା ନାହିଁ ସାର୍ଙ୍କୁ ଟିକେ ଫୋନ୍ କରିବା ଭାବି ଫୋନ କଲି । ଅନେକ ଥର ଦେଖା ହୋଇଥିଲେ ମଧ୍ୟ କେବେ ବି ଫୋନ୍ କରି ନଥିଲି । କିନ୍ତୁ ସେ ଦିନ ପ୍ରଥମ ଥର ପାଇଁ ଫୋନ୍କୁ ରିଙ୍ଗ୍ କରିଥିଲି । ଫୋନ ଉଠାଇବେ କି ନାହିଁ ଭାବୁଥିଲି । କାରଣ ଅନେକ ଉଚ୍ଚ ପଦସ୍ଥ ଅଧିକାରୀ ଭଲରେ ସଂପର୍କ ନ ଥିବା ବ୍ୟକ୍ତିଙ୍କ ଠାରୁ ଫୋନ ସହଜରେ ଉଠାନ୍ତି ନାହିଁ ଏହା ମୁଁ କେତେକ କ୍ଷେତ୍ରରେ ଜାଣିଛି । କିନ୍ତୁ ମିଶ୍ର ସାର୍ ୨/୩ ଥର ରିଙ୍ଗ ହୋଇଛି, ଫୋନ୍ ଉଠାଇଲେ । ମୁଁ ପରିଚୟ ଦେଲି । କହିଲି ସାର୍ ମୁଁ ଭୁବନେଶ୍ୱର ଆସିଛି । ଏତିକି କହିଛି ସେ ତୁରନ୍ତ ମୋତେ କହିଲେ “ଆପଣ କେଉଁଠି ଅଛନ୍ତି” । ମୁଁ କହିଲି “ଏମ୍ଏଲ୍ଏ କଲୋନୀରେ ଅଛି” । ତା’ହେଲେ ଅଫିସ୍ ଆସନ୍ତୁ ଏବଂ ରୁଟ୍ ଚାଟ୍ ମଧ୍ୟ ବତାଇଲେ । କହିଲେ ସିଆର୍ପି୍ ଛକ ଆସି ନୟାପଲ୍ଲୀ ଆଡ଼େ ଆସିବ । ତା’ପରେ ଡାହାଣ ପାଖରେ ଏକ ଜୀରାଫ୍ର ଏକ ପ୍ରତିମୂର୍ତ୍ତୀ ଥିବ । ଚାରିପାଖରେ ରଙ୍ଗିନ୍ ପଥର ଗଦା ହୋଇଥିବ । ଉଦ୍ୟାନ ବିଭାଗ ଅଫିସ୍ ପଡ଼ିବ । କିଛି ଦୂର ଗଲା ପରେ ଡାହାଣ ପାଖରେ ଆମ ଅଫିସ୍ ପଡ଼ିବ । ଅଫିସ୍ ସମ୍ମୁଖରେ ଏକ ଇନୋଭା ଗାଡ଼ି ଠିଆ ହୋଇଥିବ । ମୁଁ ସେହି ପ୍ରକାରେ ଗଲି । ଜୀରାଫର ପ୍ରତିମୂର୍ତ୍ତୀ ଦେଖି ଖୁସି ଲାଗିଲା । କାରଣ ଭୁବନେଶ୍ୱରରେ ଦୀର୍ଘ ବର୍ଷ ଥିଲେ ମଧ୍ୟ ସେହି ରାସ୍ତାରେ କେବେ ଯାଇ ନଥିଲି । ଏବେ ବି କୌଣସି ବ୍ୟକ୍ତି ମୋତେ ସେହି ରାସ୍ତା ପାଖ ଅଞ୍ଚଳରେ ଥିବା ମୁଁ ଜାଣିଥିବା ବ୍ୟକ୍ତିଙ୍କ ଠିକଣା ପଚାରିଲେ ପ୍ରଥମେ ଜୀରାଫ୍ ପରେ ପରେ ଏହି ବ୍ୟକ୍ତିମାନଙ୍କ ଘରଥିବା ସୂଚନା ଦେଇଥାଏ । ସେ ଯାହା ହେଉ ନିର୍ଦ୍ଦଷ୍ଟ ସ୍ଥାନରେ ପହଞ୍ଚିଲି ।
ମିଶ୍ର ସାର୍ଙ୍କୁ ଦେଖି ଆନନ୍ଦର ସୀମା କହିଲେ ନ ସରେ । କାରଣ ଦୀର୍ଘ ଦିନ ଧରି ଦ୍ୱନ୍ଦରେ ଥିବା ଏବଂ ସଠିକ୍ ଚିନ୍ତନ ନେଇପାରୁ ନ ଥିବାରୁ ସବୁ ବିଷୟ ମୋ ମନରୁ କେବଳ ମିଶ୍ର ସାର୍ଙ୍କ ଦ୍ୱାରା ଦୂରେଇ ଯାଇଥିଲା ଏବଂ ଚିନ୍ତନକୁ ସକାରାତ୍ମକ କରି ପାରିଥିଲି ଭାବି ବହୁ ସତର୍କତାରେ ଧିରେ ତାଙ୍କ ସମ୍ମୁଖରେ ଥିବା ଚେୟାରେ ବସିଲି । ସେ ଚା’ ଦେଲେ । ଚା’ ପିଆ ସରିଲା । ଦୀର୍ଘ ଦିନ ପୂର୍ବରୁ ବିଜ୍ଞାପନ ପାଇଁ ଦେଇଥିବା ଚିଠି ଟେବୁଲ ଉପରେ ଗଦା ହୋଇଥିବା କାଗଜ ଭିତରୁ ବାହାର କରି ସେଠି ବିଜ୍ଞାପନ ଦେବା ପାଇଁ ଅର୍ଡର କଲେ । ବହୁ କାଗଜ ପତ୍ରରେ ଭରିଥିବା ଟେବୁଲ୍ରୁ ମୁଁ ଦେଇଥିବା ଚିଠି କିଭଳି ବିନା ଦ୍ୱନ୍ଦରେ ମୋ ଆଗରେ କାଢ଼ିଲେ ଏହା ମୋତେ ତାଜୁବ କରିଥିଲା । ଭାବିଲି ସେ ସେହି ସମୟରେ ଲେଖା ଦେଖା ଯାଉଥିବା ପାଶ୍ୱର୍କୁ ଉପରେ ରଖି ଖାଲି ଥିବା ପାଶ୍ୱର୍କୁ ଭିତରେ ଭାଙ୍ଗ କରି ରଖିଥିବାରୁ ମୋ ଚିଠିକୁ ଅତି ସହଜରେ ବାହାର କରିପାରିଲେ । ଏହି ରହସ୍ୟ ସେଦିନଠାରୁ ତାଙ୍କଠାରୁ ଶିଖିଥିଲି । ତେଣୁ ଅନେକ ଜରୁରୀ ଆବଶ୍ୟକ କାଗଜପତ୍ର ମଧ୍ୟ ସେହି ପରି ମୋ ଅଫିସରେ ରଖେ । ଯାହାକି ଦରକାର ସମୟରେ ଅତି ସହଜରେ ଉପଲବ୍ଧ ହୁଏ ।
ମିଶ୍ର ସାର୍ କିଛି ସମୟ ପରେ ଏକ ଡିଡି ଦେଲେ । ତାହା ଦେଖି ବହୁ ଉଲ୍ଲସିତ ହେଲି । କାରଣ ବିଜ୍ଞାପନ ବିନା ଖବର କାଗଜ ପ୍ରକାଶନ ହେବା ବହୁ କଷ୍ଟକର । ଆମ ପାଇଁ ସେହି କଷ୍ଟର ଭାଷା ନାହିଁ । ସେ ଦିନ ଠାରୁ ମୋର ତାଙ୍କ ପ୍ରତି ଦୃଢ଼ ବିଶ୍ୱାସ ଜାଗ୍ରତ ହେଲା । ମିଶ୍ର ସାର୍ ଯଦି ଚାହିଁବେ ତେବେ ଓଡ଼ିଶା ନ୍ୟୁଜ୍ ଭୁବନେଶ୍ୱରରେ ତିଷ୍ଟିବ ଓ ପ୍ରତିଷ୍ଠିତ ହୋଇପାରିବ ।
ବାସ୍ତବରେ ମିଶ୍ରସାରଙ୍କ ଦ୍ୱାରା ହିଁ ଆମର ପାକ୍ଷିକ ସଂସ୍କରଣ ସୁଚାରୂପେ ସଂପାଦନା ଓ ପ୍ରକାଶନ ହୋଇପାରିଛି ।
ଏତିକି ନୁହେଁ ଆମ ଜୀବନରେ ପ୍ରତ୍ୟେକ ଉଥାନରେ ତାଙ୍କର ସଂପୂର୍ଣ୍ଣ ହସ୍ତ ଅଛି ।
ମୋର ସୁଖ ନାହିଁ କିନ୍ତୁ ଦୁଃଖ ବେଳେ ସେ ହିଁ ଏକ ମାତ୍ର ବ୍ୟକ୍ତି ଯିଏ କି, ଆଜି ପର୍ଯ୍ୟନ୍ତ ମୋ ପାଖରେ ପାଖରେ ଥିଲେ ।
ମୋତେ ବିଭିନ୍ନ ଧାର୍ମୀକ ସ୍ଥାନ ଦେଖାଇବାରେ ସାର୍ଙ୍କ ଭୂମିକା ଅଧିକ । ୨୦୦୯ ମସିହାରେ ହିମାଳୟ ପାଦ ଦେଶ, ଋଶିକେଶ ଓ ଗଙ୍ଗାନଦୀରେ ପାଦ ପକାଇବା ପାଇଁ ସୁଯୋଗ ଦେଇଥିଲେ । ସେହି ଦିନ ମୁଁ ବହୁ ଆତ୍ମ ସନ୍ତୋଷ ଲାଭ କରିଥିଲି । କାରଣ ଆମ ଭାରତର ସେସବୁ ସ୍ଥାନ ଅଧିକ ପୂଣ୍ୟସ୍ଥଳ ।
ସବୁବେଳେ ଶାନ୍ତ, ଭଦ୍ର, ପରୋଉପକାରୀ,ମିଷ୍ଟଭାଷୀ ଓ ସମୟାନୁବର୍ତ୍ତୀତା ରକ୍ଷା କରୁଥିବା ମିଶ୍ରସାର୍ ଆମ ପାଇଁ ଏକ ପ୍ରେରଣା ଉତ୍ସ ହୋଇଛନ୍ତି ।
ତାଙ୍କ ପରି ମହାନ୍ ଶକ୍ତି, ସାହାସ ଓ ସାହାଯ୍ୟକାରୀ ବ୍ୟକ୍ତି ଆମେ ପାଇ ନାହୁଁ ।
ସାର୍ ଓଡ଼ିଶା ନ୍ୟୁଜ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତି । ବହୁ କର୍ମ ବ୍ୟସ୍ତ ଏବଂ ବଡ଼ କମ୍ପାନୀର ଦାୟୀତ୍ୱରେ ଥିଲେ ମଧ୍ୟ ସମୟ ବାହାର କରି ମୋତେ କଥା ହେବା ପାଇଁ ସୁଯୋଗ ଦିଅନ୍ତି । ମୋ ପ୍ରତି ଥିବା ତାଙ୍କ ମହାନତା ସ୍ନେହ ଯୁଗ ଯୁଗରେ ବି ଭୁଲି ପାରିବି ନାହିଁ ।
ତାଙ୍କୁ ମୋର ଭକ୍ତିପୁତ ପ୍ରଣାମ ।
ସୂଚନା ଯୋଗ୍ୟ ଯେ ମିଶ୍ରସାର୍ ଜଣେ ଧାତୁ ବିଜ୍ଞାନୀ ଇଞ୍ଜିନିୟର । ତାଙ୍କ ବାପା ଜଣେ ସୁନାମ ଧନ୍ୟ ପାୱାରଫୁଲ୍ ହୋମ୍ ସେକ୍ରେଟାରୀ ଭାବେ ଓଡ଼ିଶାରେ ପରିଚିତ । ମିଶ୍ରସାର୍ ଜଣେ ବିଜ୍ଞ ବ୍ୟକ୍ତି ଭାବେ ଗବେଷଣା କାର୍ଯ୍ୟରେ ଫ୍ରାନ୍ସ, ଇଟାଲି, ରୋମାନିଆ ଓ ଜର୍ମାନୀ ଯାଇ ତାଙ୍କର ପ୍ରତିଭା ସେଠି ଦେଖାଇଛନ୍ତି । ଏହାର ଅନେକ ଉଦାହରଣ ଅଛି । ତାହା ଆମେ ଉଲ୍ଲେଖ କରୁ ନାହୁଁ । ତାଙ୍କ ସହ ଯିଏ ମିଶିବ ସେ ହିଁ ଜାଣି ପାରିବ ତାଙ୍କର ବିଜ୍ଞ ଓ ଉଚ୍ଚକୋଟୀର ଚିନ୍ତାଧାରା ।
ଆଜି ଯଦି ଓଡ଼ିଶା ଶିଳ୍ପ ଜଗତରେ କିଛି ବିକାଶ ହୋଇଥାଏ, ତାହା କିଛି ଅଂଶ ମିଶ୍ର ସାର୍ଙ୍କ ଉଦ୍ୟମ ଯୋଗୁ ହିଁ ସମ୍ଭବ କହିଲେ ଅତୁକ୍ତି ହେବ ନାହିଁ । ଏହାର ଉଦାହରଣ ହେଲା ଯେତେବେଳେ ତାଙ୍କ ତତ୍ୱାବଧାନରେ ଭୂଷଣ ଷ୍ଟିଲ୍ ସମ୍ବଲପୁରରେ ଗଢ଼ିଉଠିଲା, ସେତେବେଳେ ଓଡ଼ିଶାରେ ବଡ଼ ଶିଳ୍ପ ଗୋଷ୍ଠୀ କିଏ ବି ନଥିଲେ । ଭୂଷଣ ଯେତେବେଳେ ସୁଚାରୂପେ ପ୍ରତିଷ୍ଠା ହେଲା ତାଙ୍କୁ ଦେଖି ଅନେକ ଶିଳ୍ପ ଗୋଷ୍ଠୀ ଓଡ଼ିଶା ଅଭିମୁଖେ ଆସିଥିଲେ । ତା’ ପୂର୍ବରୁ ଅନେକ ଶିଳ୍ପ ସଂସ୍ଥା ଓଡ଼ିଶା ଆସିଥିଲେ ମଧ୍ୟ ଫେରି ଯାଇଥିଲେ । କିନ୍ତୁ ମିଶ୍ରସାରଙ୍କ ଉଦ୍ୟମ ଏବଂ ସଠିକ୍ ମାର୍ଗ ଦର୍ଶନ ଫଳରେ ସମ୍ବଲପୁରରେ ଭୂଷଣ ଷ୍ଟିଲ୍ ପ୍ରତିଷ୍ଠା ହେଲା । ତାଙ୍କୁ ଦେଖି ଅନେକ ଶିଳ୍ପ ଗୋଷ୍ଠୀ ଓଡ଼ିଶା ଆସିଲେ ଏଥିରେ ଦ୍ୱିମତ ନାହିଁ । ଏବଂ ଓଡ଼ିଶାର ଦ୍ରୁତ ବିକାଶ ହେଲା । ଏହି ବିକାଶ ଓଡ଼ିଶାର ଜନସାଧାରଣ ଦେଖିପାରୁଥିବେ ।

ଆମର ଉତ୍ସାହଦାତା, ଦିଗ୍ଦର୍ଶକ ସ୍ଵର୍ଗତ ଇଂ. ପ୍ରଭାତ କୁମାର ମିଶ୍ର ଓଡ଼ିଶା ନ୍ୟୁଜ୍ ପରିବାର ପାଇଁ ପ୍ରାତଃ ସ୍ମରଣୀୟ ରହିବେ । ଆମେ ତାଙ୍କର ଋଣୀ ।
ସେ ମଇ ମାସ ୨୬ ତାରିଖ ଦିନ ଆମକୁ ଛାଡ଼ି, ଅନାଥକରି ଇଶ୍ଵରଙ୍କ ପାଖକୁ ଗମନ କରିଛନ୍ତି । ତାଙ୍କୁ ୭୬ ବର୍ଷ ହୋଇଥିଲା । ଓଡ଼ିଶା ନ୍ୟୁଜ୍ ର ଭବିଷ୍ୟତ ତାଙ୍କ ପୁଣଆତ୍ମା ପାଖରେ ଅଛି ବୋଲି ମୋର ବିଶ୍ଵାସ । ସମୀର କୁମାର ସିଂହ, ସଂପାଦକ ଏବଂ ପ୍ରକାଶକ , ଓଡିଶା ନ୍ୟୁଜ୍, ଭୁବନେଶ୍ଵର ।