ଧାର୍ମିକ ଏବଂ ନୈତିକ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ

ମାନବକୁ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଓ ପ୍ରଗତି କରିବା ପାଇଁ ଧାର୍ମିକ ଏବଂ ନୈତିକ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ । ଏହାର ଅଭାବରେ ଶିକ୍ଷା ଅପୂର୍ଣ୍ଣ ରହିଯାଏ । ସଦାଚାର, ନୈତିକତା ଓ ଧାର୍ମିକ ଶିକ୍ଷାର ସମାବେଶ ବିନା ବିଦ୍ୟାଳୟର ତଥାକଥିତ ଶିକ୍ଷା ନିଃସାର । ଧର୍ମ ଓ ନୈତିକତାର ସମ୍ବନ୍ଧ ଅଭିନ୍ନ । ଧର୍ମ ହିଁ ନୈତିକତାର ଜନ୍ମଦାତ୍ରୀ । ଧର୍ମବିନା ନୈତିକତାର କୌଣସି ଅସ୍ତିତ୍ୱ ନଥାଏ । ଧର୍ମବିନା ନୈତିକତାର ମୂଲ୍ୟ ରହେ ନାହିଁ । ଧର୍ମ ହିଁ ନୈତିକତାର ପ୍ରାଣ ଭରିଦିଏ । ସମାଜକୁ ସୁସ୍ଥ ଏବଂ ସଂଯତ ପଥରେ ଅଗ୍ରସର କରାଇବା ପାଇଁ ବ୍ୟକ୍ତିକୁ ଧାର୍ମିକ ଓ ନୈତିକତା ହେବାକୁ ପଡ଼ିବ । ଆଜିର ମଣିଷ ନାନା ପ୍ରକାର ଅମାନବୀୟ, ଅସଂଯତ, ଅସୁସ୍ଥ ସଭ୍ୟତା, ବିଚାର ଓ ଭାବନାର ବଶୀଭୂତ ହୋଇ ନାନା ଦୁର୍ଗୁଣର ଭଣ୍ଡାର ହୋଇ ସମାଜକୁ ନଷ୍ଟଭ୍ରଷ୍ଟ କରୁଛନ୍ତି । ଯାହାଫଳରେ ସୁସ୍ଥ ଓ ପବିତ୍ର ବାତାବରଣ ପୁରା ବିଗିଡ଼ି ଯାଇଛି । ମଣିଷ ନୈତିକତା ଓ ସଦ୍‌ମାର୍ଗକୁ ଆଧାର କରି ଚଳିବାକୁ ପଡ଼ିବ । ଶରୀର ଧାରଣ ପାଇଁ ଖାଦ୍ୟ ଯେପରି ଆବଶ୍ୟକ ସେହିପରି ଆତ୍ମା ପାଇଁ ପ୍ରାର୍ଥନା ରୂପ ଖାଦ୍ୟ ଆବଶ୍ୟକ । କେବଳ ଶବ୍ଦ ଗୁଣୁଗୁଣୁ କରି ଗାଇବାକୁ ପ୍ରାର୍ଥନା କୁହାଯାଇ ନପାରେ । ଏପରି କ୍ରିୟା ପ୍ରାର୍ଥନାରେ କେବଳ ବାହ୍ୟ ଏବଂ ବ୍ୟବହାରିକ ଆଚରଣ । ପ୍ରାର୍ଥନା ପାଇଁ ନୀତି ନିୟମ ଏବଂ ତ୍ୟାଗର ସହ ରହିବାକୁ ପଡ଼ିବ । ବର୍ତ୍ତମାନ ସାରା ପୃଥିବୀର ବାତାବରଣ ସର୍ବତ୍ର ଦୂଷିତ,ଉଦ୍‌ବେଗ,ଉଦଣ୍ଡତା ଉତ୍ସୃଙ୍ଖଳତା ଏବଂ ଦାମ୍ଭିକ ଯୋଗୁଁ ଅଶ୍ୱସ୍ତିକର ହୋଇପଡ଼ିଛି । ମନୁଷ୍ୟ ସଂଯମ ହରାଇ ନାନା ପାପ ଓ ଅନ୍ୟାୟ କର୍ମରେ ଲିପ୍ତ,ଯାହାଫଳରେ ପରିବେଶ ଦୂଷିତ ହେବା ସହିତ ରୋଗ, ଶୋକ ଭୟଙ୍କର ଭାବେ ଦେଖାଦେଇଛି । ଆଜି ଯେଉଁ ପରିସ୍ଥିତି ସାରା ବିଶ୍ୱରେ ଦେଖାଦେଇଛି ତା’ପାଇଁ ଏହିସବୁ କାରଣଗୁଡ଼ିକ ଦାୟୀ । ଯଥା:ଏକଛତ୍ରବାଦ ଶାସନ, ସ୍ୱାର୍ଥପର, ଧନଲୋଭୀ, ପିତାମାତାଙ୍କ କଥା ନମାନିବା, ବିଶ୍ୱାସଘାତକତା, ନିଜ ପରିବାର ପ୍ରତି ସ୍ନେହଭାବ ନରହିବା, ଆତ୍ମସଂଯମୀ ନହେବା, କ୍ରୋଧି ଓ ହିଂସ୍ର ହେବା, ଈଶ୍ୱରଙ୍କ ଅପେକ୍ଷା ଭୋଗ ବିଳାସକୁ ଅଧିକ ଭଲ ପାଇବା,ଈଶ୍ୱରଙ୍କୁ ଭଲ ପାଇବା ବାହାନା କରି ତାଙ୍କୁ ଜୀବନରେ ଅସ୍ୱୀକାର କରିବା, ମନ୍ଦିର, ଚର୍ଚ୍ଚ,ମସ୍‌ଜିଦ୍ ସହିତ ଅନେକ ଉପାସନା ପୀଠର ପରିଚାଳନା ଦାୟିତ୍ୱ ଠିକ୍ ନହେବା ଯୋଗୁଁ ବିଶ୍ୱରେ ଅଶାନ୍ତି ଦେଖାଦେଇଛି । ଆମେ ସମସ୍ତେ ଶପଥ କରି ବିଶ୍ୱରେ ଏକ ସୁସ୍ଥ ବାତାବରଣ ଆଣିବା ପାଇଁ ଯଦି ଚେଷ୍ଟା କରିବା, ତେବେ ଆଗାମୀ ଦିନରେ ଆଜିର ଦେଖାଦେଇଥିବା ସମସ୍ୟା ଆଉ ଦେଖାଦେବ ନାହିଁ । ଏହି ଭୀଷଣ ସମୟ ପାଇଁ ଆମେମାନେ ଦାୟୀ ।