ଭୁବନେଶ୍ୱର : ୨୦୨୨-୨୩ ଆର୍ଥିକ ବର୍ଷରେ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମ୍ସିଏଲ୍) କୋଇଲା ଉତ୍ପାଦନରେ ସର୍ବକାଳୀନ ରେକର୍ଡ କରିଛି । ଚଳିତ ବର୍ଷ କମ୍ପାନୀ ୧୯୩.୩ ମିଲିଅନ ଟନ୍ ଉତ୍ପାଦନ କରିବା ସହିତ ୧୯୨.୭ ମିଲିଅନ ଟନ୍ କୋଇଲା ଯୋଗାଇବାରେ ନୂତନ ରେକର୍ଡ ସ୍ଥାପନ କରିଛି । ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଓମ୍ ପ୍ରକାଶ ସିଂ ଶନିବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ଏମ୍ସିଏଲ୍ର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଦେଶର ଉର୍ଜା ହାସଲ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବାରେ କମ୍ପାନୀକୁ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ଏମ୍ସିଏଲ୍ କୋଇଲା ଉତ୍ପାଦନରେ ୧୫% ଅଭିବୃଦ୍ଧି ହାସଲ କରିଛି । ଏଥିସହ କୋଇଲା ଉତ୍ତୋଳନରେ ଗତ ଆର୍ଥିକ ବର୍ଷରେ ତୁଳନାରେ ୨୦୨୨-୨୩ ବର୍ଷରେ ୯% ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ସିଂ କହିଛନ୍ତି । ଏହି ଅବସରରେ ଶ୍ରୀ ସିଂ କମ୍ପାନୀର ସମସ୍ତ ଭାଗିଦାରୀ, କର୍ମଚାରୀ, ଠିକାଦାରଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସିଏମ୍ଡିଙ୍କ ସମେତ ଏମ୍ସିଏଲ୍ର ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (କାର୍ମିକ), ଶ୍ରୀ ପି କେ ପଟେଲ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ, ଶ୍ରୀ ଯୁଗଳ କୁମାର ବୋରା, ନିର୍ଦ୍ଦେଶକ (ବୈଷୟିକ) ଏବଂ ଶ୍ରୀ ଅଜିତ କୁମାର ବେହୁରା, ନିର୍ଦ୍ଦେଶକ (ଅର୍ଥ) ପ୍ରମୁଖ ଉପସ୍ଥିତ ରହି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯୋଜନାଗୁଡ଼ିକୁ ସଫଳ କରାଇବାରେ କମ୍ପାନୀର ପ୍ରତ୍ୟେକ ସଦସ୍ୟଙ୍କର ସମନ୍ୱିତ ଏବଂ ଉତ୍ସର୍ଗୀକୃତ ପ୍ରୟାସକୁ ପ୍ରଂଶସା କରିଥିଲେ । ସିଏମ୍ଡି ଆହୁରି ମଧ୍ୟ କହିଥିଲେ ଯେ, ଏମ୍ସିଏଲ୍ ଧାର୍ଯ୍ୟ ସମୟ ପୂର୍ବରୁ ଏହାର ସମସ୍ତ ଲକ୍ଷ୍ୟ ହାସଲ କରିସାରିଛି ଏବଂ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭୦୦ ମିଲିୟନ ଟନ୍ ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରି କୋଲ ଇଣ୍ଡିଆକୁ ଯୋଗାଇ ପାରିଛି । ଏମ୍ସିଏଲ୍ ପରିବେଶ-ଅନୁକୂଳ ଯନ୍ତ୍ରପାତି ମାଧ୍ୟମରେ ସମୁଦାୟ ଉତ୍ପାଦନର ୯୭ ପ୍ରତିଶତ କୋଇଲା ଉତ୍ତୋଳନ କରିପାରିଛି । ଶ୍ରୀ ସିଂ କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ବିଦ୍ୟୁତ୍ କ୍ଷେତ୍ରକୁ କୋଇଲା ଯୋଗାଣରେ ମଧ୍ୟ ବୃଦ୍ଧି ଘଟିଛି । ୨୦୨୧- ୨୨ରେ ଏହା ୧୨୭.୧୨ ମିଲିଅନ ଟନ୍ରୁ ୧୭ ପ୍ରତିଶତ ବୃଦ୍ଧି ପାଇ ୨୦୨୨-୨୩ ଆର୍ଥକ ବର୍ଷରେ ୧୪୮.୮ ମିଲିଅନ ଟନ୍ରେ ପହଞ୍ଚିଛି । ୨୦୨୨-୨୩ ବର୍ଷରେ ଏମ୍ସିଏଲ୍ ୩,୮୫୦ କୋଟି ଟଙ୍କା ମୂଳବ୍ୟୟ (କ୍ୟାପେକ୍ସ) କରି ଏହାର ବ୍ୟବସାୟିକ କାର୍ଯ୍ୟଧାରାକୁ ସୁଦୃଢ କରିପାରିଛି । କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କ୍ଷେତ୍ରରେ ଏମ୍ସିଏଲ୍ ଓଡ଼ିଶାର ଶୀର୍ଷ କମ୍ପାନୀ ମଧ୍ୟରେ ଅନ୍ୟତମ । ୨୦୨୨- ୨୩ ଆର୍ଥିକ ବର୍ଷରେ କମ୍ପାନୀ ସିଏସ୍ଆର୍ ଅଧିନରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛି ।