ବାହାନଗା ରେଳଦୁର୍ଘଟଣା ମୋ ପାଇଁ ବଡ ପରୀକ୍ଷା ଥିଲା- ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ।

ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କନକ ନ୍ୟୁଜ୍ ବୈଦ୍ୟୁତିକ ଗଣମାଧ୍ୟମ ତରଫରୁ ଆୟୋଜିତ ନ୍ୟୁଜ୍‌ ମେକର ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ୨୦୨୩ର ସବୁଠାରୁ ହୃଦୟ ବିଦାରକ ଏବଂ ସ୍ମରଣୀୟ ଘଟଣାବଳୀ (ବାହାନଗା) ରେଳ ଦୁର୍ଘଟଣା ସଂପର୍କରେ କନକ ନ୍ୟୁଜକୁ ସେ ସାକ୍ଷାତକାର ଦେଇଥିଲେ । କନକ ନ୍ୟୁଜ୍‌ ର ସଂପାଦିକା ତନୟା ପଟ୍ଟନାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମୁଖ୍ୟ ଶାସନ ସଚିବ ଦେଇଥିଲେ । ଏହି ଘଟଣାକୁ କିଭଳି ରାଜ୍ୟ ପ୍ରଶାସନ ତତ୍ପରତାର ସହ ନେଇ ରେଳ ଦୁର୍ଘଟଣା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ କରିଥିଲା, ସେ ସଂପର୍କରେ ତାଙ୍କୁ ପ୍ରଶ୍ନ ପଚାରାଯାଇଥିଲା । କନକ ନ୍ୟୁଜ୍‌ର ସଂପାଦିକାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ବାହାନଗା ରେଳ ଦୁର୍ଘଟଣା ସମୟ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପରିଚାଳନା ମୋ ପାଇଁ ବଡ ପରୀକ୍ଷା ଥିଲା । ୨୦୨୩ ଜୁନ୍ ୨ ତାରିଖ ସଂଧ୍ୟା ପ୍ରାୟ ୭ .୧୦ ମିନିଟ୍ ସମୟରେ ବାଲେଶ୍ୱର ଜିଲ୍ଲାପାଳ ତଥା ପରେ ପରେ ଗଣମାଧ୍ୟମରୁ ରେଳ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଦୁର୍ଘଟଣା ସ୍ଥଳରେ ସେବା ଯୋଗାଇଦେବା ପାଇଁ ସେ ୨ ଟି ଓଡ୍ରାଫ୍‌, ୭ ଟି ଫାୟାର ଟିମ ପଠାଇଥିଲେ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସମେତ ରାଜ୍ୟ ପ୍ରଶାସନର ଅଭିଜ୍ଞ ଓ ବରିଷ୍ଠ ପ୍ରାଶାସନିକ ପଦାଧିକାରୀମାନଙ୍କୁ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ପଠାଇ ନିଜେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କାର୍ଯ୍ୟଳୟରେ ସମସ୍ତ କାର୍ଯ୍ୟକୁ ତ୍ୱରାନିତ୍ୱ କରାଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ଏସ୍‌ଆର୍‌ସି କାର୍ଯ୍ୟାଳୟ ଆସି ଏହି ବିପର୍ଯ୍ୟୟ ସଂପର୍କରେ ବୁଝି ଆର୍ଥିକ ଦିଗ ପ୍ରତି ଚିନ୍ତା ନ କରି ରାଜ୍ୟ ସରକାରଙ୍କ ତରଫରୁ ଯାହା ଯାହା ପଦକ୍ଷେପ ନେବା କଥା, ସେ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଘଟଣା ପର ଦିନ ମୃତକଙ୍କୁ ଟ୍ରକ, ରେଳ ବ୍ୟବସ୍ଥାରେ ନଆଣି ମାନବୀୟ ମୂଲ୍ୟବୋଧର ପରିଚୟ ଦେଇ ସେମାନଙ୍କୁ ଯତ୍ନ ଓ ସମ୍ମାନର ସହିତ ଆଣିବା ପାଇଁ ୯୭ ଟି ଆମ୍ବୁଲାନ୍‌ସ୍‌ରେ ୧୯୪ ଟି ମୃତଦେହ ଭୁବନେଶ୍ୱର ଅଣାଯାଇ ଏମ୍‌ସ ଓ ଅନ୍ୟ ମେଡିକାଲରେ ରଖା ଯାଇଥିଲା । ମୃତ ଶରୀର ରଖିବାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ୟା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବ୍ୟବସ୍ଥା କରାଯାଇ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିଲା । ଏହି ଘଟଣାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ କଣ ଥିଲା ବୋଲି ପ୍ରଶ୍ନର ଉତ୍ତରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ଏଥିରେ ବାହାନଗା ଅଞ୍ଚଳର ଲୋକମାନଙ୍କର ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ଦୁର୍ଘଟଣା ଘଟିବା କ୍ଷଣି ରେଳ ଦୁର୍ଘଟଣା ସ୍ଥଳଠାରୁ ଆହତମାନଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ନେବାରେ ସହଯୋଗ କରିବାଠାରୁ ଆରମ୍ଭ କରି ମୃତ ଶରୀରଗୁଡିକୁ ସ୍ଥାନୀୟ ବିଦ୍ୟାଳୟରେ ରଖିବା ଆଦି ବିଭିନ୍ନ କାର୍ଯ୍ୟରେ ସେମାନେ ଯେପରି ସହଯୋଗ କରିଥିଲେ, ତାହା ଅବର୍ଣ୍ଣନୀୟ । ଏହି ମର୍ମନ୍ତୁଦ ଦୁର୍ଘଟଣା ସମୟର ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇ ସ୍ଥାନୀୟ ଜନସାଧାରଣ ତଥା ସେବା ପ୍ରଦାନ କରିଥିବା ସମସ୍ତଙ୍କୁ ସଂକଟ ବେଳର ସାହାରା ବୋଲି କନକ ନ୍ୟୁଜ୍ ତରଫରୁ ଅଭିହିତ କରାଯାଇଥିଲା । ସ୍ଥାନୀୟ ଲୋକମାନଙ୍କ ସେବା ଉଲ୍ଲେଖନୀୟ ଥିବା ବେଳେ ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ସୋରର ସାମାଜିକ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦର କର୍ମକର୍ତ୍ତାମାନଙ୍କର ସେବା ମଧ୍ୟ ପ୍ରଶଂସନୀୟ ରହିଥିଲା । ସଂକଟ ବେଳର ସାହାରା ଅନ୍ୟମାନଙ୍କ ମଧ୍ୟରେ ରହି ସେବା ପ୍ରଦାନ କରିଥିବା ଏହି ସ୍ୱେଚ୍ଛାସେବୀମାନଙ୍କୁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ, ସେସମୟରେ ଡାକ୍ତରମାନେ ମଧ୍ୟ ରାତା ରାତି ଆହତମାନଙ୍କୁ ଆବଶ୍ୟକ ସର୍ଜରୀ ଏବଂ ଚିକିତ୍ସା ଦେବାରେ କୌଣସି ଅବହେଳା କରିନଥିଲେ, ଯେଉଁଥିପାଇଁ ବହୁ ମୂଲ୍ୟବାନ ଜୀବନ ବଞ୍ଚାଯାଇ ପାରିଥିଲା । ଏପରି ସମୟରେ ସମସ୍ତଙ୍କ ସହିତ ସମନ୍ୱୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଜେନା ପ୍ରକାଶ କରିବା ସହିତ ୧୯୯୯ ମହାବାତ୍ୟା ସମୟରେ କଟକର ଜିଲ୍ଲାପାଳ ଥିବା ସମୟଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ବନ୍ୟା,ବାତ୍ୟା ପରି ଯେତେସବୁ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା କରାଯାଇଛି, ସେସବୁରୁ ଅଭିଜ୍ଞତାକୁ ପାଥେୟ କରି ବାହାନଗା ଦୁର୍ଘଟଣାକୁ ପରିଚାଳନା କରାଯାଇପାରିଥିଲା ବୋଲି ସେ ପ୍ରକାଶ କରିଥିଲେ । ତେବେ ବାହାନଗା ରେଳ ଦୁର୍ଘଟଣା ସମୟର ଅନୁଭୂତି ସ୍ୱତନ୍ତ୍ର ଥିଲା ବୋଲି ସେ ପ୍ରକାଶ କରିଥିଲେ । ଏହି ଦୁର୍ଘଟଣାରେ ସ୍ଥାନୀୟ ଲୋକମାନଙ୍କର ମାନବିକତାର ନିଦର୍ଶନ ଦେଖିବାକୁ ମିଳିଥିଲା ବୋଲି ସେ ପ୍ରକାଶ କରିବା ସହିତ ରାଜ୍ୟ ପ୍ରଶାସନ ବିପର୍ଯ୍ୟୟ ସମୟରେ ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିବାର କ୍ଷମତା ରଖୁଛି ବୋଲି ସେ କହିଥିଲେ ।