ସବୁ ସରକାରୀ ଡାକ୍ତରଖାନାରେ ଭିତ୍ତିଭୂମି ବିକାଶ ସହିତ ଉଚ୍ଚ ମାନର ଚିକିତ୍ସା ବ୍ୟବସ୍ଥା ହେଉ ।

ସୋଆର ପ୍ରତିଷ୍ଠାତା ଶ୍ରୀ ମନୋରଞ୍ଜନ ନାୟକଙ୍କ ଦ୍ଵାରା ଫୁଲନଖରାରେ ଅତ୍ୟାଧୁନିକ ଓ ବିଦେଶରେ ମିଳୁଥିବା ସମସ୍ତ ଉନ୍ନତ ସେବା ଦେବା ଭଳି ସମ୍ ହସପିଟାଲର ଦ୍ଵିତୀୟ ହସପିଟାଲକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍ଘାଟନ କରାଇଛନ୍ତି । ଏଠାରେ ସୁଲଭ ମୂଲ୍ୟରେ ସବୁ ବର୍ଗର ଲୋକଙ୍କ ପାଇଁ ସୁପର Speciality ସେବା ଯୋଗାଇ ଦିଆଯିବ । 2005 ରେ ଏହି ଘରୋଇ ହସପିଟାଲ ଆରମ୍ଭ ହୋଇ ଆଜି ତାର ଏହି ଦ୍ଵିତୀୟ ହସପିଟାଲରେ ବର୍ତ୍ତମାନ 750 ବେଡକୁ ଦୁଇ ବର୍ଷ ମଧ୍ୟରେ 3000 କୁ ବର୍ଦ୍ଧିତ କରି ଖୁବ୍ ଶୀଘ୍ର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଏହାର ତୃତୀୟ ହସପିଟାଲ ଆରମ୍ଭ କରିବାକୁ ଯାଉଛନ୍ତି ଏହା ଅନେକ ସ୍ଵାଗତ ଯୋଗ୍ୟ ଘଟଣା । ସେହି କ୍ଷେତ୍ର ରେ 1944 ରେ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଯାହାକି 22 ଜଣ ବିଦ୍ୟାର୍ଥୀଙ୍କୁ ନେଇ ଆରମ୍ଭ ହୋଇ ଥିଲା ଆଜି ଏତେ ବର୍ଷ ପରେ ମଧ୍ୟ ସେମିତି କୌଣସି ଆଖି ଦୃଷ୍ଟିଆ ଉନ୍ନତି କରି ନାହିଁ । ଏହାର କ୍ଷେତ୍ରଫଳ 87.32 ଏକର ଜମି ଓ 2023 ସୁଦ୍ଧା ସାରା ଭାରତରେ ଏହାର Rank 200/151 ଥିଲା । ସେହିପରି 1959 ରେ SCB ର ଏକ ସମ୍ପ୍ରସାରଣ ବିଭାଗ ହିସାବରେ 40 ଜଣ ବିଦ୍ୟାର୍ଥୀଙ୍କୁ ନେଇ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସପିଟାଲ ସ୍ଥାପନ ହୋଇ 182.04 ଏକର ଜମିରେ ଯଦିଓ କିଛି ନୂଆ ନୂଆ ବିଭାଗ ମାନ ଖୋଲିଛି ଓ ଆହୁରି ଖୋଲୁଛି ମଧ୍ୟ ଓ ଶେଷ ରେ 1961 ରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ  ଆରମ୍ଭ ହୋଇ ଥିଲା । ଏହାର କ୍ଷେତ୍ରଫଳ 162 ଏକର ଅଟେ । ଏଠାରେ କହିବା କଥା ହେଲା ଯେ ଓଡ଼ିଶାରେ ଯେତେ ସବୁ ବେ ସରକାରୀ ହସପିଟାଲ ଅଛି ସେମାନେ ସବୁ ଅନେକ ଉଚ୍ଚ ମାନର ଚିକିତ୍ସା ଲୋକ ମାନଙ୍କୁ ଯୋଗାଇ ଦେଉଛନ୍ତି ଓ ଲୋକ ମାନେ ଅନେକ ଉପକୃତ ହେଉଛନ୍ତି । କିନ୍ତୁ ସରକାରୀ ଡାକ୍ତରଖାନା ଗୁଡିକରେ ଚିକିତ୍ସାରମାନ ଉଚ୍ଚ ମାନର ନୁହେଁ । ଅନେକ ଡାକ୍ତରଖାନା ଗୁଡ଼ିକରେ ଡାକ୍ତର , ଟେକ୍ନିସିଆନ୍, ଅନ୍ୟାନ୍ୟ ଜରୁରୀ କର୍ମଚାରୀଙ୍କ ଘୋର ଅଭାବ ଅନୁଭବ ହେଉଥିବା ବେଳେ ବେସରକାରୀ ସ୍ତରରେ ଡାକ୍ତରଖାନା ଗୁଡିକ କିପରି ଭାବରେ ଏ ସବୁ କୁ ମ୍ୟାନେଜ କରୁଛନ୍ତି । ସରକାରଙ୍କ ଅର୍ଥର ଅଭାବ ନାହିଁ ବିଦ୍ୟାର୍ଥୀ ମାନେ ମେଡିକାଲ କଲେଜରେ ଭର୍ତ୍ତି ହେଉଛନ୍ତି ପ୍ରବେଶିକା ପରୀକ୍ଷା ଦେଇ । ତେବେ ସେଥିରୁ ପାସ କରୁଥିବା ବିଦ୍ୟାର୍ଥୀ ମାନେ ଯାଉଛନ୍ତି କୁଆଡେ । ଯେଉଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର କେବଳ ବିପିଏଲ ତାଲିକାଭୁକ୍ତ ଲୋକଙ୍କୁ ରାଜ୍ୟରେ ତଥା ରାଜ୍ୟ ବାହାରେ ବିଭିନ୍ନ ପ୍ରକାରର ପ୍ରତିଷ୍ଠିତ ଡାକ୍ତରଖାନା ଗୁଡିକରେ ବ୍ୟବସ୍ଥା କରି ଲୋକଙ୍କ ଚିକିତ୍ସା ପାଇଁ ପଠା ଯାଉଛି ଓ ସେ ବାବଦ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତାର କି ମୂଲ୍ୟ ଅଛି । କିନ୍ତୁ ସରକାରୀ ଡାକ୍ତରଖାନା ଗୁଡିକର ମାନ ବୃଦ୍ଧି କରୁ ନାହାନ୍ତି । ବର୍ଷ ବର୍ଷ ଧରି କଟକ ବଡ ମେଡିକାଲରେ ରୋଗୀ ମାନଙ୍କୁ ଉଚ୍ଚତର ସେବା ଓ ଚିକିତ୍ସା ପାଇଁ ରୂପାନ୍ତରିତ କାମ ଚାଲିଛି ଯେ ତାହା ସରିବାର ନା ଧରୁନି । ବିଦ୍ୟାର୍ଥୀ ମାନେ ସରକାରୀ ମେଡିକାଲ କଲେଜ ରେ ନାମ ଲେଖାଇବାକୁ ଅନେକ ପରିଶ୍ରମ କରିବାକୁ ହୁଏ ଓ ଜଣେ ଯଦି ଏକ ଅତି ଭଲ ଛାତ୍ର ବା ଛାତ୍ରୀ ନ ହୋଇ ଥିବ ତେବେ ସେ ପ୍ରବେଶିକା ପରୀକ୍ଷା ରେ ପାସ କରିବା ଅସମ୍ଭବ । ଯଦି ଏକ ବେସରକାରୀ ଡାକ୍ତରଖାନା ଓ କଲେଜ ତାର ଶାଖା ଗୁଡ଼ିକ ସାରା ଦେଶରେ ଖୋଲି ପାରୁଛି ତେବେ ଗୋଟିଏ ରାଜ୍ୟରେ ଗୋଟିଏ ଗୋଟିଏ କଲେଜ ଓ ହସପିଟାଲ ଥାଇ ତାର ଉନ୍ନତି କାହିଁକି ହୋଇ ପାରିବ ନାହିଁ ଓ ସେଥିରେ ଉଚ୍ଚ ମାନର ଚିକିତ୍ସା ବ୍ୟବସ୍ଥା କାହିଁକି ରହି ପାରିବ ନାହିଁ । ଏହି ସମ୍ପୂର୍ଣ ରୂପେ ସରକାରଙ୍କ ଉଦାସୀନତା ଓ ଅପାରଗତା ଯୋଗୁଁ ହିଁ ହେଉଛି । ଆମ ଦେଶରେ ସମସ୍ତେ ଉଚ୍ଚ ମାନର ଚିକିତ୍ସା ବ୍ୟବସ୍ଥା ପାଇଁ ପାରନ୍ତି ନାହିଁ କାରଣ ଆୟୁଷ୍ମାନ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁସାରେ ଯେଉଁ ମାନେ ଏହାର ତାଲିକାଭୁକ୍ତ ସେମାନେ ମାଗଣା ସୁବିଧା ପାଇବେ । ଅନେକ ଲୋକ ଗରିବ ହେଲେ ମଧ୍ୟ ଏହି ବିପିଏଲ ତାଲିକାଭୁକ୍ତ ହୋଇନାହାନ୍ତି ତେଣୁ ସେମାନେ ଏହାର ଫାଇଦା ଉଠାଇ ପାରୁନାହାନ୍ତି ଓ ପଇସା ଅଭାବ ରୁ ଓ ପ୍ରକୃତ ଚିକିତ୍ସା ଅଭାବରୁ ବା କେବେ କେବେ ବେ ସରକାରୀ ହସପିଟାଲ କୁ ଯାଇ ଅନେକ ଖର୍ଚ୍ଚାନ୍ତ ହୋଇ ଶେଷରେ ମୃତ୍ୟୁ ବରଣ କରୁଛନ୍ତି ବା ଅଧା ଚିକିତ୍ସା ରୁ ଡାକ୍ତରଖାନା ଛାଡ଼ି ପଳାଉଛନ୍ତି ନିଜ ଭାଗ୍ୟ କୁ ଆଦରି ନେଉଛନ୍ତି । ଏହା କଣ ଆମ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାବାସୀଙ୍କୁ ନିଜ ପରିବାର କହିବାର ନିଦର୍ଶନ । ରାଜ୍ୟର ପ୍ରତି ଲୋକଙ୍କ ମୌଳିକ ଅଧିକାର ହେଉଛି ,ସ୍ବାସ୍ଥ୍ୟ ,ଖାଦ୍ୟ ,ପାନୀୟ ଜଳ,ଶିକ୍ଷା ,ରାସ୍ତା , ଗମନା ଗମନର ମାଧ୍ୟମ , ଆବାସ ଓ ବିଦ୍ୟୁତ୍ । ଏବେ ସରକାର ଜାଗା ମିଶନ ଜରିଆରେ ଯେଉଁ ଲୋକ ମାନେ ଯେଉଁ ଜାଗାକୁ ଜବରଦଖଲ କରି ରହିଛନ୍ତି ସେହି ଜାଗାକୁ ସେହି ଲୋକଙ୍କ ନା ରେ ପଟ୍ଟା ପ୍ରଦାନ କରୁଛନ୍ତି କିନ୍ତୁ ଏହା ଏକ ବିରାଟ ବ୍ୟତିକ୍ରମ କାରଣ ଅନେକ ଲୋକ ରାସ୍ତା ,ଡ୍ରେନ ,ଅଫିସ ଜାଗା ଏପରି କି ସରକାରୀ କ୍ୱାର୍ଟର ର କନରଭେନ୍ସୀ ଲେନ୍ କୁ ମାଡି ବସିଛନ୍ତି ଓ ତାଙ୍କ ନା ରେ ପଟ୍ଟା କରିଦେଉଛନ୍ତି ଏହା ଖୁବ୍ ମାରାତ୍ମକ ପ୍ରସଙ୍ଗ । ହଁ ସରକାର ଯେପରି ଅନେକ ଜାଗାରେ ଘର କରି ବସ୍ତି ଲୋକଙ୍କୁ ସେଠାରେ ଥଇଥାନ କରୁଛନ୍ତି ତାହା ଉତ୍ତମ କଥା । ସବୁ ବସ୍ତି ଲୋକଙ୍କୁ ପର୍ଯ୍ୟାୟ କ୍ରମେ ଉଠାଇ ଏପରି ଘର ଦେଲେ ହୁଅନ୍ତା । ସେ ଯାହା ହେଉ ସବୁଠାରୁ ଅଧିକ ଜରୁରୀ ହେଉଛି ସ୍ବାସ୍ଥ୍ୟ । ସରକାର ରାଜ୍ୟ ବାସୀ ଙ୍କୁ ସ୍ବାସ୍ଥ୍ୟ ବିମା କରି ଯଦି ସେଥିରେ ଅନ୍ତର୍ଭୁକ୍ତ କରାଇ ସ୍ବାସ୍ଥ୍ୟ ସେବା ଦେଲେ ସମସ୍ତେ ଉପକୃତ ହୋଇ ପାରିବ । ତାଛଡା ସରକାରୀ ଡାକ୍ତରଖାନା ଗୁଡ଼ିକ ନିହାତି ଭାବରେ ରୂପାନ୍ତରିତ ହୋଇ ବେସରକାରୀ ଡାକ୍ତରଖାନା ପରି ଅତି ଉଚ୍ଚ ମାନର ସୁବିଧା ଦେଲେ ଆଉ କେହି ସେଠାକୁ ଯିବାକୁ ଚାହାନ୍ତେ ନାହିଁ । ସରକାରଙ୍କ ଅନେକ ଅଯଥା ଖର୍ଚ୍ଚ ବଞ୍ଚି ଯାଆନ୍ତା । ଏବେ ସରକାର ଘୋଷଣା କରିଛନ୍ତି ଯେ ରାଜ୍ୟର ପ୍ରତି ତହସିଲ ଅନ୍ତର୍ଗତ ସରକାରୀ ଡାକ୍ତରଖାନା ଗୁଡିକୁ ରୂପାନ୍ତର କରି ଚକା ଚକ୍ କରିବାକୁ ଅଣ୍ଟା ଭିଡିଛନ୍ତି କିନ୍ତୁ ତା ସହିତ ଭଲ ଡାକ୍ତର ଓ ଭଲ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ନିହାତି ଆବଶ୍ୟକ । ଯେପରି ସ୍କୁଲ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରୂପାନ୍ତରିତ କରାଯାଉଛି କିନ୍ତୁ ଟିଚିଂ ଷ୍ଟାଫ୍ ନାହାନ୍ତି , ଲ୍ୟାବ ନାହିଁ , ଭଲ ଲାଇବ୍ରେରୀ ନାହିଁ । କିନ୍ତୁ ଯାହାହେଉ କଟକ ସଦରରେ ମେୟର ବସ୍ତି ପିଲାଙ୍କ ପଢ଼ିବା ପାଇଁ ବିଭିନ୍ନ ଜାଗାରେ କଟକ୍ ରେ ଓପନ ଲାଇବ୍ରେରୀ ଖୋଲିଛନ୍ତି ଏହା ଫଳରେ ଅଧ୍ୟୟନରତ ପିଲା ମାନଙ୍କୁ ଅନେକ ସୁବିଧା ହେଉଛି । ବର୍ତ୍ତମାନ ଆମ ରାଜ୍ୟ ସରକାର ନିଜର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହିତ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ମଧ୍ୟ ଅନୁମୋଦନ ଦେବା ଉଚିତ୍ ସମସ୍ତ ଙ୍କ ସୁବିଧା ପାଇଁ ।

ପ୍ରଦୀପ୍ତ କୁମାର କର,ପ୍ଲଟ ନଂ 25,ସୂର୍ଯ୍ୟ ନଗର,ଭୁବନେଶ୍ୱର,9437084312