ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ‘ଏକତା ଦୌଡ’ର(Run For Unity) ଫ୍ଲାଗ୍ ଅଫ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ କଳିଙ୍ଗ ଷ୍ଟାଡିୟମ ଠାରେ ‘ଏକତା ଦୌଡ’ ବା Run For Unityକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ରାଷ୍ଟ୍ରୀୟ ଏକତା ପାଇଁ ଶପଥ ପାଠ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ଛୋଟ ପିଲା, କ୍ରୀଡା ହଷ୍ଟଲର ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ରୀଡା ସଂଗଠନର ପିଲାମାନେ ଯୋଗଦେଇ ଦୌଡରେ ଭାଗ ନେଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ନେତୃତ୍ବ ନେଇ ଏହି ଦୌଡରେ ସାମିଲ ହୋଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଦେଶର ଏକତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ପଟେଲଙ୍କ ସଂକଳ୍ପ ଓ ଦୃଢ ପଦକ୍ଷେପର ତୁଳନା ନାହିଁ । ଦେଶର ଏକତା ପାଇଁ ସର୍ଦ୍ଦାର ପଟେଲ ସମର୍ପିତ ହୋଇ ଏକ ଅଖଣ୍ଡ ଭାରତର ମୂଳଦୁଆ ସ୍ଥାପନ କରି ଦେଶୀୟ ରାଜ୍ୟ ମାନଙ୍କର ସମ୍ମିଶ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେଥିପାଇଁ ତାଙ୍କୁ ଲୌହ ମାନବର ଆଖ୍ୟା ଦିଆଯାଏ । ତାଙ୍କ ଆଦର୍ଶରେ ଦେଶର ଏକତା ଓ ଅଖଣ୍ଡତା ପାଇଁ ଦେଶର ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ କାମ କରିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ଗଣ, ବିଧାୟକ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, କ୍ରୀଡା ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଯେ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅକ୍ଟୋବର ୩୧ ତାରିଖକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ରବିବାର ଦିନ ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମରେ ୨୯ ତାରିଖ ଠାରୁ ରାଷ୍ଟ୍ରୀୟ ଏକତାର ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିବା ପାଇଁ  Run For Unity କାର୍ଯ୍ୟକ୍ରମ କରିବା ପାଇଁ ଆହ୍ବାନ ଦେଇଥିଲେ । ୨୦୧୪ ମସିହାରୁ ସାରା ଦେଶରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଉଛି ।